ଆବୁଧାବି,୧୯ା୯: ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଶୁକ୍ରବାର ଚଳିତ ଏସିଆ କପ୍ରେ ତା’ର ଅନ୍ତିମ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ରେ ଓମାନକୁ ଭେଟିବ। ଭାରତ ପୂର୍ବରୁ ସୁପର-୪’ ପର୍ଯ୍ୟାୟରେ ସ୍ଥାନ ପକ୍କା କରିସାରିଥିବାରୁ ଶେଖ୍ ଜାୟେଦ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ର ବିଶେଷ ଗୁରୁତ୍ୱ ନାହିଁ।
ଆସନ୍ତା ରବିବାର ଭାରତୀୟ ଦଳ ସୁପର-୪’ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ଏଣୁ ଓମାନ ବିପକ୍ଷ ମ୍ୟାଚ୍ ଜରିଆରେ ଦଳୀୟ ବ୍ୟାଟରଙ୍କୁ ଭରପୂର ସୁଯୋଗ ଦେବା ଲକ୍ଷ୍ୟରେ ରହିବ ଟିମ୍ ମ୍ୟାନେଜମେଣ୍ଟ।
ଓପନର ଅଭିଷେକ ଶର୍ମା ପ୍ରଥମ ଦୁଇ ମ୍ୟାଚ୍ରେ ଦଳକୁ ବିସ୍ଫୋରକ ଆରମ୍ଭ ପ୍ରଦାନ କରିଥିବା ବେଳେ ଉପଅଧିନାୟକ ଶୁବମନ ଗିଲ ଟିକେ ଲମ୍ବା ସମୟ ଧରି ବ୍ୟାଟିଂ କରିପାରି ନାହାନ୍ତି।
ଅଧିନାୟକ ସୂର୍ଯ୍ୟକୁମାର ପାକିସ୍ତାନ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲେ। କିନ୍ତୁ ସେ ତିଲକ ବର୍ମାଙ୍କୁ ଅଧିକ ଗେମ୍ ଟାଇମ୍ ଦେବାକୁ ପସନ୍ଦ କରିପାରନ୍ତି। ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ସଞ୍ଜୁ ସାମସନ, ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲଙ୍କୁ ବ୍ୟାଟିଂ କରିବାକୁ ସୁଯୋଗ ମିଳିନାହିଁ।
ଭାରତ ଯଦି ଫାଇନାଲକୁ ଯାଏ, ତେବେ ଆସନ୍ତା ୭ ଦିନ ମଧ୍ୟରେ ୪ଟି ମ୍ୟାଚ୍ ଖେଳିବାକୁ ପଡ଼ିବ। ଏଣୁ ଭାରତୀୟ ମିଡିଲ ଅର୍ଡର ବ୍ୟାଟରଙ୍କୁ ଗୁରୁତ୍ୱପୂର୍ଣ୍ଣ ସପ୍ତାହ ପୂର୍ବରୁ ଅଧିକ ଗେମ୍ ଟାଇମର ଆବଶ୍ୟକତା ରହିଛି। କିନ୍ତୁ ଭାରତୀୟ ଦଳର ବୋଲିଂ ଲାଇନ ଅପ୍ ଏତେ ଶକ୍ତିଶାଳୀ ଯେ, ଏହା ଆଗରେ ଜତିନ୍ଦର ସିଂଙ୍କ ନେତୃତ୍ୱାଧୀନ ଓମାନ ଦଳର ଏକ ଭଲ ସ୍କୋର କରିବାର ଖୁବ କମ୍ ସମ୍ଭାବନା ରହିଛି।
ପାକିସ୍ତାନ ଓ ୟୁଏଇ ବିପକ୍ଷ ଦୁଇଟି ମ୍ୟାଚ୍ରେ ଓମାନ ଯଥାକ୍ରମେ ୬୭ ଓ ୧୩୦ ରନ କରିଥିଲା। ଉଭୟ ମ୍ୟାଚ୍ରେ ଦଳର କୌଣସି ବ୍ୟାଟର ୩୦ ରନ କରିପାରି ନ ଥିଲେ। ଏହି ମ୍ୟାଚ୍ ଲାଗି ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ବିଶେଷ କୌଣସି ଏକ୍ସପେରିମେଣ୍ଟ ନ କରିପାରନ୍ତି। କିନ୍ତୁ ଯଶପ୍ରୀତ ବୁମରାଙ୍କୁ ବିଶ୍ରାମ ଦିଆଯାଇପାରେ। ଏଭଳି ପରିସ୍ଥିତିରେ ବାମହାତୀ ପେସର ଅର୍ଶଦୀପ ସିଂଙ୍କୁ ଏକମାତ୍ର ସ୍ପେଶାଲିଷ୍ଟ ପେସର ଭାବେ ସାମିଲ କରାଯିବ। ଏହାଛଡ଼ା ବୋଲିଂ ଲାଇନ୍ ଅପ୍ରେ କୁଲଦୀପ ଯାଦବ ଓ ବରୁଣ ଚକ୍ରବର୍ତ୍ତୀଙ୍କ ମଧ୍ୟରୁ ଜଣଙ୍କୁ ବିଶ୍ରାମ ଦିଆଯିବାର ସମ୍ଭାବନା ରହିଛି। ଏହି ସ୍ଥାନରେ ହର୍ଷିତ ରାଣାଙ୍କୁ ସାମିଲ କରାଯାଇପାରେ।