Categories: Home Leftଖେଳ

ଆଇସିସି ଟୁର୍ନମେଣ୍ଟରେ ଭାରତ- ନ୍ୟୁଜିଲାଣ୍ଡ ରେକର୍ଡ

ଦୁବାଇ,୮ା୩: ରବିବାର ଦୁବାଇରେ ଖେଳାଯିବାକୁ ଥିବା ଫାଇନାଲରେ ଭାରତ, ନ୍ୟୁଜିଲାଣ୍ଡକୁ ଭେଟିବାକୁ ଯାଉଛି। ଭାରତ ୨୦୦୨ ସଂସ୍କରଣରେ ଶ୍ରୀଲଙ୍କା ସହିତ ମିଳିତ ଚାମ୍ପିୟନ ହୋଇଥିଲା। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଥର ପାଇଁ ଏହି ଆଇସିସି ଟୁର୍ନାମେଣ୍ଟ ଜିତିବା ଲକ୍ଷ୍ୟରେ ରହିଛି। ନ୍ୟୁଜିଲାଣ୍ଡ ୨୦୦୦ ସଂସ୍କରଣରେ ଚାମ୍ପିୟନ ହୋଇଥିଲା। ସଂଯୋଗର ବିଷୟ ଯେ, ନ୍ୟୁଜିଲାଣ୍ଡ ସେଥର ଫାଇନାଲରେ ଭାରତକୁ ହରାଇଥିଲା। ହେଲେ ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୦୨ ଓ ୨୦୧୩ ସଂସ୍କରଣର ଚାମ୍ପିୟନ ଭାରତ ଏଥର ତୃତୀୟ ଥର ପାଇଁ ଟାଇଟଲ ହାସଲ କରିବାକୁ ଲକ୍ଷ୍ୟ ରଖିଛି।

ଏପର୍ଯ୍ୟନ୍ତ ଆଇସିସି ଟୁର୍ନାମେଣ୍ଟରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୧୬ଟି ମ୍ୟାଚ ଖେଳାଯାଇଛି। ଏଥିରୁ ନ୍ୟୁଜିଲାଣ୍ଡ ୧୦ ମ୍ୟାଚ ଜିତିଥିବା ବେଳେ ଭାରତ ୬ଟି ମ୍ୟାଚ୍‌ରେ ବିଜୟ ହୋଇଛି।

ଆଇସିସି ଟୁର୍ନାମେଣ୍ଟର ନକଆଉଟ ପର୍ଯ୍ୟାୟରେ ମଧ୍ୟ ନ୍ୟୁଜିଲାଣ୍ଡର ପଲା ଭାରି ରହିଛି। ଦୁଇ ଦଳ ନକ୍‌ଆଉଟ ପର୍ଯ୍ୟାୟରେ ୪ ଥର ମୁହାଁମୁହିଁ ହୋଇଛନ୍ତି, ଯେଉଁଥିରୁ ନ୍ୟୁଜିଲାଣ୍ଡ ୩ ଥର ବାଜି ମାରିଥିବା ବେଳେ ଭାରତ କେବଳ ଥରେ ବିଜୟ ସ୍ବାଦ ଚାଖିଛି।

ଅନ୍ତିମ ଥର ୨୦୨୩ ବିଶ୍ୱକପ ସେମିଫାଇନାଲରେ ଦୁଇ ଦଳ ପରସ୍ପରକୁ ଭେଟିଥିଲେ। ଏହି ହାଇ ସ୍କୋରିଂ ମ୍ୟାଚରେ ଭାରତ ବିଜୟୀ ହୋଇଥିଲା। ଏଥିପୂର୍ବରୁ ୨୦୨୧ ଆଇସିସି ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ, ୨୦୧୯ ଦିନିକିଆ ବିଶ୍ୱକପ ସେମିଫାଇନାଲ ଓ ୨୦୦୦ ଆଇସିସି ନକଆଉଟ ଟୁର୍ନାମେଣ୍ଟର ଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ଭାରତ ପରାଜିତ ହୋଇଛି।

Share