କୁଆଲାଲୁମ୍ପୁର,୯ା୨(ପି.ଟି.): ବାଣିଜ୍ୟ, ପୁଞ୍ଜିନିବେଶ, ପ୍ରତିରକ୍ଷା, ଶକ୍ତି, ଆଧୁନିକ ଉତ୍ପାଦନ ଏବଂ ସେମିକଣ୍ଡକ୍ଟର ଆଦି ସର୍ବାଧିକ ପ୍ରାଥମିକତା ଥିବା ସେକ୍ଟରରେ ଭାରତ ଓ ମାଲେସିଆ ସମ୍ପର୍କ ବଢ଼ାଇବା ପାଇଁ ରବିବାର ପ୍ରତିଜ୍ଞାବଦ୍ଧ ହୋଇଛନ୍ତି। ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ପାଇଁ ଉଭୟ ପକ୍ଷ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।
ମାଲେସିଆ ପ୍ରଧାନମନ୍ତ୍ରୀ ଅନ୍ଓ୍ବାର ଇବ୍ରାହିମ୍ଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପରେ ମୋଦି ଆତଙ୍କବାଦ ବିରୋଧରେ ଲଢ଼େଇରେ ଭାରତର ଆଭିମୁଖ୍ୟକୁ ଦୋହରାଇଛନ୍ତି। ଆତଙ୍କବାଦ ସମ୍ପର୍କରେ ଭାରତର ବାର୍ତ୍ତା ସ୍ପଷ୍ଟ, ଯେଉଁଥିରେ କୌଣସି ଦୋମୁହଁା ନୀତି କିମ୍ବା ସାଲିସ୍ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେମିକଣ୍ଡକ୍ଟର ସେକ୍ଟର ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗ ବଢ଼ାଇବା ପାଇଁ ଏହି ଅବସରରେ ଭାରତ ଓ ମାଲେସିଆ ମଧ୍ୟରେ ମୋଟ ୧୧ଟି ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ବାଣିଜ୍ୟରେ ଭାରତୀୟ ଟଙ୍କା ଏବଂ ମାଲେସିଆର ରିଙ୍ଗିଟ୍ ବ୍ୟବହାରକୁ ପ୍ରୋତ୍ସାହନ ଦେବା ଉଦ୍ୟମକୁ ଉଭୟ ମୋଦି ଏବଂ ଇବ୍ରାହିମ୍ ପ୍ରଶଂସା କରିଛନ୍ତି। ରଣନୀତିକ ଆସ୍ଥା ଜରିଆରେ ଆର୍ଥିକ ପରିବର୍ତ୍ତନର ମାର୍ଗକୁ ପ୍ରଶସ୍ତ କରିବୁ ବୋଲି ମୋଦି କହିବା ସହ ଭାରତ-ମାଲେସିଆ ସମ୍ପର୍କକୁ ସ୍ବତନ୍ତ୍ର ବୋଲି କହିଛନ୍ତି। ଆମେ ସାମୁଦ୍ରିକ ପଡ଼ୋଶୀ ଏବଂ ଅନେକ ଶହ ବର୍ଷ ଧରି ଦୁଇ ଦେଶର ଲୋକଙ୍କ ମଧ୍ୟରେ ନିବିଡ଼ ତଥା ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ରହିଆସିଛି ବୋଲି ପ୍ରଧାନମନ୍ତ୍ରୀ କହିବା ସହ ମାଲେସିଆରେ ଭାରତୀୟ କନ୍ସୁଲେଟ୍ ଜେନେରାଲ ସ୍ଥାପନ କରିବାକୁ ଘୋଷଣା କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ରବିବାର ମାଲେସିଆରେ ପ୍ରମୁଖ ବ୍ୟବସାୟୀ ଓ ଶିଳ୍ପପତିମାନଙ୍କୁ ଭେଟି ଆଲୋଚନା କରିଛନ୍ତି। ଭାରତୀୟ ଅଭିବୃଦ୍ଧି ଉପରେ ସେଠାର କମ୍ପାନୀଗୁଡ଼ିକର ଆଗ୍ରହକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ସେ ପେଟ୍ରୋନାସ୍ର ଅଧ୍ୟକ୍ଷ ତଥା ଗ୍ରୁପ୍ ସିଇଓ ଟେଙ୍ଗ୍କୁ ମହମ୍ମଦ ଟୌଫିକ, ବେର୍ଜାୟା କର୍ପୋରେଶନ ବେର୍ହାଡର ପ୍ରତିଷ୍ଠାତା ଭିନ୍ସେଣ୍ଟ ଟାନ୍ ଚି ୟୁଉନ୍, ଖାଜାନା ନ୍ୟାଶନାଲ ବେର୍ହାଡର ପରିଚାଳନା ନିର୍ଦ୍ଦେଶକ ଅମିରୁଲ ଫୈସଲ ଓ୍ବାନ୍ ଜାହିର ଏବଂ ଫିସନ ଇଲେକ୍ଟ୍ରୋନିକ୍ସର ପ୍ରତିଷ୍ଠାତା ପୁଆ ଖେଇନ୍ ସେଙ୍ଗ୍ଙ୍କୁ ଭେଟିଥିଲେ।