ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ଏସୀୟ ଦେଶଗୁଡ଼ିକ ଗମ୍ଭୀର ଗ୍ୟାସ ଏବଂ ତୈଳ ଅଭାବର ସମ୍ମୁଖୀନ ହେଉଛନ୍ତି। ଭାରତ ମଧ୍ୟ ଏଲପିଜି ସଙ୍କଟ ଅନୁଭବ କରୁଛି। ଏହାରି ଭିତରେ କିଛି ଆଶ୍ୱାସନାଦାୟକ ଖବର ଆସିଛି। ପାଇକ୍ସିସ ପାୟୋନିୟର୍ ନାମକ ଏକ ଜାହାଜ ରବିବାର (ମାର୍ଚ୍ଚ ୨୨) ରେ ଏଲପିଜି ଗ୍ୟାସ ନେଇ ଭାରତରେ ପହଞ୍ଚିଛି।
ଏକ ରିପୋର୍ଟ ଅନୁଯାୟୀ, ଆସନ୍ତା ସପ୍ତାହରେ ଅଧିକ ମାତ୍ରାରେ ନ୍ୟୁ ମାଙ୍ଗାଲୁରୁ ବନ୍ଦରରେ ଏଲପିଜି ଆସିବାର ଆଶା କରାଯାଉଛି। ରିପୋର୍ଟ ଅନୁଯାୟୀ, ମୋଟ ପ୍ରାୟ ୭୨,୭୦୦ ଟନ ଏଲପିଜି ଆସିବାର ଆଶା କରାଯାଉଛି ଏବଂ ପଠାଣ ଆରମ୍ଭ ହୋଇସାରିଛି।
ପ୍ରଥମ ଟ୍ୟାଙ୍କର୍ ରବିବାର ପହଞ୍ଚିଥିଲା, ଯେଉଁଥିରେ ୧୬,୭୧୪ ଟନ ଏଲପିଜି ଥିଲା। ଏହି ଟ୍ୟାଙ୍କର ପାଇକ୍ସିସ ପାୟୋନିୟର। ଯେଉଁଥିରେ ସିଙ୍ଗାପୁର ପତାକା ଲାଗିଛି। ଏହାର ମୋଟ ଓଜନ ୪୭,୨୩୬ ଟନ। ଏହି ଜାହାଜଟି ଫେବୃଆରୀ ୧୪ ତାରିଖରେ ନେଦରଲ୍ୟାଣ୍ଡ ବନ୍ଦରରୁ ବାହାରିଥିଲା ଏବଂ ଏଜିସ ଲଜିଷ୍ଟିକ ଲିମିଟେଡ ପାଇଁ ଏଲପିଜି ଅନଲୋଡ କରିବ। ଏହା ପରେ ସୋମବାର ସକାଳେ ଫେରିଯିବ।