Categories: Home Leftଖେଳ

ସ୍ପେନ୍‌କୁ ହରାଇଲା ଭାରତ

ଡସେଲଡର୍ଫ, ୨୩ା୮(ପି.ଟି.): ଭାରତୀୟ ଜୁନିୟର ମହିଳା ହକି ଦଳ ଏଠାରେ ଚାଲିଥିବା ଚତୁଃରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ ସ୍ପେନ୍‌କୁ ୨-୧ ଗୋଲ୍‌ରେ ପରାସ୍ତ କରିଛି। ଭାରତ ପକ୍ଷରୁ ଅନୁ (୨୧ତମ ମିନିଟ) ଓ ସାକ୍ଷୀ ରାଣା (୪୭ତମ) ଗୋଟିଏ ଲେଖାଏ ଗୋଲ୍‌ ଦେଇଥିବା ବେଳେ ସ୍ପେନ୍‌ ତରଫରୁ ଲିମା ଟେରେସା (୨୩ତମ) ଗୋଟିଏ ଗୋଲ୍‌ ଦେବାରେ ସକ୍ଷମ ହୋଇଥିଲେ। ମ୍ୟାଚର ପ୍ରଥମ କ୍ୱାର୍ଟର ଖେଳ ଗୋଲ ଶୂନ୍ୟ ରହିଥିଲା। ଦ୍ୱିତୀୟ କ୍ୱାର୍ଟରର ୨୧ତମ ମିନିଟ୍‌ରେ ଅନୁ ମ୍ୟାଚର ପ୍ରଥମ ଗୋଲ୍‌ ସ୍କୋର କରି ଭାରତକୁ ଅଗ୍ରଣୀ କରାଇଥିଲେ। ତେବେ ଏହାର ଦୁଇ ମିନିଟ ବ୍ୟବଧାନରେ ଟେରେସା ଫିଲ୍ଡ ଗୋଲ୍‌ ଜରିଆରେ ସ୍ପେନ ପ୍ରତ୍ୟାବର୍ତ୍ତନ କରି ମ୍ୟାଚକୁ ୧-୧ ସ୍ତରକୁ ନେଇ ଆସିଥିଲା। ତୃତୀୟ କ୍ୱାର୍ଟରରେ ଗୋଲ୍‌ ସମ୍ଭବ ହୋଇ ନ ଥିଲା। ତେବେ ୪୭ତମ ମିନିଟ୍‌ରେ ସାକ୍ଷୀଙ୍କ ଏକ ଚମତ୍କାର ଫିଲ୍ଡ ଗୋଲ ଦ୍ୱାରା ମ୍ୟାଚ ଭାରତ ହାତକୁ ଚାଲିଆସିଥିଲା। ସ୍ପେନ ଗୋଲ୍‌ ପରିଶୋଧ ଲାଗି ଉଦ୍ୟମ କରି ବିଫଳ ରହିଥିଲା।