India's captain Virat Kohli (2nd R) congratulates paceman Jasprit Bumrah (2nd L) for his wicket of Shardul Thakur during the third one-day international cricket match between Australia and India at Manuka Oval in Canberra on December 2, 2020. (Photo by DAVID GRAY / AFP) / / IMAGE RESTRICTED TO EDITORIAL USE - STRICTLY NO COMMERCIAL USE (Photo by DAVID GRAY/AFP via Getty Images)
କାନବେରା, ୩।୧୨- ହାର୍ଦ୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡେଜାଙ୍କ ୧୫୦ ରନର ଭାଗୀଦାରି ଏବଂ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତ ବୁଧବାର ଅନୁଷ୍ଠିତ ତୃତୀୟ ଥର ଅନ୍ତିମ ଦିନିକିଆ କ୍ରିକେଟ ମ୍ୟାଚରେ ଅଷ୍ଟ୍ରେଲିଆକୁ ୧୩ ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୫୦ ଓଭରରେ ୫ ଉଇକେଟ ହରାଇ ୩୦୨ ରନ କରିଥିବାବେଳେ ଘରୋଇ ଦଳ ୪୯.୩ ଓଭରରେ ୨୮୯ ରନକରି ଅଲଆଉଟ ହୋଇଯାଇଥିଲା। ପାଣ୍ଡ୍ୟା ମ୍ୟାନ ଅଫ ଦି ମ୍ୟାଚ ଓ ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ ମ୍ୟାନ୍ ଅଫ୍ ଦି ସିରିଜ ପୁରସ୍କାର ପାଇଛନ୍ତି। ପ୍ରଥମ ୨ଟି ମ୍ୟାଚ ଜିତିଥିବା ଅଷ୍ଟ୍ରେଲିଆ ୨-୧ରେ ସିରିଜ ବିଜୟୀ ହୋଇଛି। ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ପୂର୍ବରୁ ଏହି ବିଜୟ ଭାରତର ମନୋବଳ ଦୃଢ଼ କରିଛି।
ପାଣ୍ଡ୍ୟା-ଜାଡେଜାଙ୍କ ଶତକୀୟ ଭାଗୀଦାରି
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୬ ରନରେ ଇନ୍ଫର୍ମ ଓପନର ଶିଖର ଧାଓ୍ବନ(୧୬ ରନ)ଙ୍କ ଉଇକେଟ ହରାଇଥିଲେ ହେଁ ଶୁବମନ ଗିଲ୍ ଏବଂ ଅଧିନାୟକ ବିରାଟ କୋହଲି ଇନିଂସ ସମ୍ଭାଳି ନେଇଥିଲେ। ତେବେ ଯୁବ ଓପନର ଗିଲ୍ ୩୩, ଶ୍ରେୟାସ ଆୟାର ୧୯ ଓ ଲୋକେଶ ରାହୁଲ ୫ ରନରେ ଆଉଟ ହେବାରୁ ଭାରତର ଦ୍ରୁତ ରନ ହାରରେ ଅଙ୍କୁଶ ଲାଗିଥିଲା। ଆତ୍ମବିଶ୍ୱାସର ସହିତ ଖେଳିଥିବା କୋହଲି ୭୮ ବଲ୍ରୁ ୬୩ (୫ ଚୌକା) ରନ କରି କ୍ରମାଗତ ତୃତୀୟ ଥରପାଇଁ ଜୋଶ୍ ହାଜେଲଉଡ୍ଙ୍କ ଶିକାର ହୋଇଥିଲେ। ଭାରତ ୩୨ ଓଭରରେ ୧୫୨ ରନରେ ୫ମ ଉଇକେଟ ହରାଇଥିଲା। ଫଳରେ ଭାରତର ବଡ଼ ସ୍କୋର ହେବାନେଇ ଆଶଙ୍କା ଦେଖା ଦେଇଥିଲା। ତେବେ ପାଣ୍ଡ୍ୟା ଓ ଜାଡେଜା ଅସମାପ୍ତ ୬ଷ୍ଠ ଉଇକେଟରେ ୧୦୮ ବଲ୍ରୁ ଦ୍ରୁତ ୧୫୦ ରନର ଭାଗୀଦାରି ଗଢ଼ି ଦଳୀୟ ସ୍କୋରକୁ ୩୦୦ ଅତିକ୍ରମ କରାଇଥିଲେ। ହାର୍ଦ୍ଦିକ ୭୬ ବଲ୍ରୁ ୯୨(୭ ଚୌକା, ୧ ଛକା) ଓ ଜାଡେଜା ୫୦ ବଲ୍ରୁ ୬୬(୫ ଚୌକା, ୩ ଛକା) ରନରେ ଅପରାଜିତ ରହିଥିଲେ। ଅଷ୍ଟ୍ରେଲିଆ ବୋଲରଙ୍କ ମଧ୍ୟରେ ଆଷ୍ଟନ ଅଗର ୨ଟି ଏବଂ ହାଜେଲଉଡ୍, ସିଅନ ଆବୋଟ ଓ ଆଡାମ ଜାମ୍ପା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ପଦାର୍ପଣରେ ନଟରାଜନଙ୍କୁ ସଫଳତା
ଭାରତ ଏହି ମ୍ୟାଚରେ ୪ ପରିବର୍ତ୍ତନ ସହ ପଡ଼ିଆକୁ ଓହ୍ଲାଇଥିଲା। ମୟଙ୍କ ଅଗ୍ରଓ୍ବାଲ, ନବଦୀପ ସଇନି, ମହମ୍ମଦ ସାମି ଓ ୟୁଜବେନ୍ଦ୍ର ଚହଲଙ୍କ ସ୍ଥାନରେ ଶୁବମନ ଗିଲ, ଟି. ନଟରାଜନ, ଶାର୍ଦ୍ଦୁଳ ଠାକୁର ଓ କୁଲଦୀପ ଯାଦବଙ୍କୁ ସାମିଲ କରାଯାଇଥିଲା। ସେହିପରି ଅଷ୍ଟ୍ରେଲିଆ ଦଳରେ ଡେଭିଡ ଓ୍ବାର୍ନର, ପ୍ୟାଟ୍ କୁମିନ୍ସ ଓ ମିଚେଲ ଷ୍ଟାର୍କଙ୍କ ସ୍ଥାନ ନେଇଥିଲେ କାମେରି ଗ୍ରୀନ୍, ଆବୋଟ ଓ ଅଗର। ଭାରତର ନଟରାଜନ ଓ ଅଷ୍ଟ୍ରେଲିଆର ଗ୍ରୀନ୍ ଏଠାରେ ଦିନିକିଆ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ନଟରାଜନ ନିଜ ପ୍ରଥମ ମ୍ୟାଚରେ ଚମତ୍କାର ବୋଲିଂ କରି ସଫଳତା ପାଇଥିଲେ। ୩୦୩ ରନ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ୫୬ ରନରେ ୨ଟି ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ିଥିଲା। ଅଧିନାୟକ ଆରୋନ ଫିଞ୍ଚ୍ ୮୨ ବଲ୍ରୁ ୭୫(୭ ଚୌକା, ୩ ଛକା) ଓ ଗ୍ଲେନ ମ୍ୟାକ୍ସଓ୍ବେଲ ୩୮ ବଲ୍ରୁ ଦ୍ରୁତ ୫୯(୩ ଚୌକା, ୪ ଛକା) ରନ ସ୍କୋର କରିଥିଲେ ହେଁ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁ ଦଳ ବିଜୟ ଲକ୍ଷ୍ୟଠାରୁ ଦୂରରେ ରହି ଯାଇଥିଲା। ଆଲେକ୍ସ କାରେ ୩୮ ଓ ଅଗର ୨୮ ରନର ଯୋଗଦାନ ଦେଇଥିଲେ। ସିରିଜରେ ପ୍ରଥମଥରପାଇଁ ଭାରତୀୟ ବୋଲର ପ୍ରଭାବୀ ସାବ୍ୟସ୍ତ ହୋଇଥିଲେ। ଶାର୍ଦ୍ଦୁଳ ସର୍ବାଧିକ ୩ଟି ଉଇକେଟ ନେଇଥିବାବେଳେ ଯଶପ୍ରୀତ୍ ବୁମ୍ରା ଓ ପଦାର୍ପଣକାରୀ ନଟରାଜନ ୨ଟି ଲେଖାଏ ଏବଂ କୁଲଦୀପ ଓ ଜାଡେଜା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।