ରାହୁଲଙ୍କ ପ୍ରତିଶ୍ରୁତି: କ୍ଷମତାକୁ ଆସିଲେ ନିଯୁକ୍ତିରେ ମହିଳାଙ୍କୁ ୫୦% ସଂରକ୍ଷଣ ଦେବୁ

ନୂଆଦିଲ୍ଲୀ,୨୯।୩: ଆଗାମୀ ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଆସିଲେ ସରକାରୀ ନିଯୁକ୍ତିରେ ମହିଳାମାନଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯିବ ବୋଲି ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ପ୍ରତିଶ୍ରୁତି ଦେଇଛନ୍ତି। ମହିଳା ସଶକ୍ତ ହେଲେ ଭାରତର ଭାଗ୍ୟ ବଦଳାଇଦେବେ ବୋଲି ସେ କହିଛନ୍ତି। ଏବେ ମଧ୍ୟ କାହିଁକି ପ୍ରତି ୩ ମହିଳାରେ ଜଣେ ନିଯୁକ୍ତ ହେଉଛନ୍ତି ଏବଂ ପ୍ରତି ୧୦ ସରକାରୀ ପଦବୀ ମଧ୍ୟରେ ମହିଳା କର୍ମଚାରୀଙ୍କ ସଂଖ୍ୟା ମାତ୍ର ଜଣେ କାହିଁକି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି।

ତେବେ ଦେଶ ଚଳାଇବାରେ ସରକାରରେ ମହିଳାମାନଙ୍କ ସମାନ ଭାଗୀଦାରି ରହିବା ଦ୍ୱାରା ସେମାନଙ୍କ ସମାର୍ଥ୍ୟର ପୂର୍ଣ୍ଣ ଉପଯୋଗ ହୋଇପାରିବ। ତେଣୁ ସମସ୍ତ ନୂଆ ସରକାରୀ ନିଯୁକ୍ତିର ଅଧା ମହିଳାମାନଙ୍କ ନିମନ୍ତେ ସଂରକ୍ଷିତ ରଖିବାକୁ କଂଗ୍ରେସ ନିଷ୍ପତ୍ତି ନେଇଥିବା ରାହୁଲ କହିଛନ୍ତି। ଏଥିସହିତ ପାର୍ଲାମେଣ୍ଟ ଏବଂ ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ନିମନ୍ତେ ସଂରକ୍ଷଣ ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକାରୀ ହେବା କଂଗ୍ରେସ ଚାହେଁ ବୋଲି ରାହୁଲ ଏକ୍ସ’ରେ ଉଲ୍ଲେଖ କରିଛନ୍ତି।

Share
Tags: National