ନୂଆଦିଲ୍ଲୀ,୨୫ା୮: ଭାରତ ଓ ଜାପାନ ମଧ୍ୟରେ ଅନୁଷ୍ଠିତ ‘ଇଣ୍ଡିଆ-ଜାପାନ ଏନର୍ଜି ଡାଏଲଗ’ରେ କାର୍ବନ କ୍ୟାପଚର, ଗ୍ରୀନ କେମିକାଲ, ବାୟୋଫ୍ୟୁଲ, କ୍ଲିନ ହାଇଡ୍ରୋଜେନ ଓ ଅତ୍ୟାଧୁନିକ ଜଳବିଦ୍ୟୁତ ପ୍ରଯୁକ୍ତିରେ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ଚୁକ୍ତି ହୋଇଛି। ଏହା ଏକ ପ୍ରାଥମିକ କାର୍ଯ୍ୟକ୍ରମ ପରି ଦେଖାଗଲେ ମଧ୍ୟ, ଏହାର ରାଜନୈତିକ ଓ ରଣନୈତିକ ଗୁରୁତ୍ୱ ବେଶ ଗଭୀର।
ଏହି ଡାଏଲଗ ଚାଇନାର ବ୍ରହ୍ମପୁତ୍ର ନଦୀ ଉପରେ ମେଗା ଡ୍ୟାମ ନିର୍ମାଣ ଯୋଜନା ଦ୍ୱାରା ଭାରତରେ ଜଳଯୁଦ୍ଧର ଆଶଙ୍କା ସୃଷ୍ଟି ହେବା ପରେ ଅନୁଷ୍ଠିତ ହୋଇଛି। ଏହା ଇଣ୍ଡୋ-ପାସିଫିକ ଅଞ୍ଚଳରେ ଚାଇନାର ଏନର୍ଜି ଓ ଟେକ୍ନୋଲୋଜି ଆଧିପତ୍ୟକୁ ରୋକିବା ପାଇଁ ଏକ ସ୍ପଷ୍ଟ ସଙ୍କେତ। ମନ୍ତ୍ରୀସ୍ତରୀୟ ବୈଠକରେ କାର୍ବନ କ୍ୟାପଚର, ଗ୍ରୀନ କେମିକାଲ, ବାୟୋଫ୍ୟୁଲ, କ୍ଲିନ ହାଇଡ୍ରୋଜେନ, ଅମୋନିଆ ପ୍ରୋଜେକ୍ଟ, ନବୀକରଣୀୟ ଏନର୍ଜି ଓ ଏନର୍ଜି ଦକ୍ଷତା କାର୍ଯ୍ୟକ୍ରମରେ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୩୦ ଅଗଷ୍ଟରେ ଜାପାନ ଗସ୍ତ କରିବେ, ଯେଉଁଠାରେ ଜାପାନର ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କ ସହ ଆଲୋଚନା କରିବେ। ଏହି ସମୟରେ ଜାପାନ ପକ୍ଷରୁ ଭାରତରେ ଆଗାମୀ ଦଶନ୍ଧି ପାଇଁ ୫.୯୫ ଲକ୍ଷ କୋଟି ଟଙ୍କାର ବିନିଯୋଗ ଘୋଷଣା ହେବାର ସମ୍ଭାବନା ରହିଛି।
ଏହି ସହଯୋଗିତା କେବଳ ଏନର୍ଜି କ୍ଷେତ୍ର ସୀମିତ ନୁହେଁ, ବରଂ ଇଣ୍ଡୋ-ପାସିଫିକ ଅଞ୍ଚଳରେ ସୁରକ୍ଷିତ, ଟିକସହ ଓ ସ୍ଥାୟୀ ଏନର୍ଜି ବ୍ୟବସ୍ଥା ଗଢ଼ିବା ଲକ୍ଷ୍ୟ ରଖିଛି। ଏହା ଚାଇନାକୁ ଏକ ସ୍ପଷ୍ଟ ସଙ୍କେତ ଯେ ଏସିଆରେ ଏନର୍ଜି ଓ ଟେକ୍ନୋଲୋଜି ଯୋଗାଣ ଶୃଙ୍ଖଳାରେ ତା’ର ଏକଛତ୍ର ଆଧିପତ୍ୟ ଚଳିବ ନାହିଁ।
ଏହି ଡାଏଲଗର ସମୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ, କାରଣ ଭାରତ-ଆମେରିକା ସମ୍ପର୍କରେ ଅମେରିକାର ଟ୍ୟାରିଫ ନୀତି ଓ ରୁଷିଆରୁ ତୈଳ କିଣା ନେଇ ଚାପ ଯୋଗୁଁ ତିକ୍ତତା ଦେଖାଦେଇଛି। ଏହି ପରିପ୍ରେକ୍ଷୀରେ ଭାରତ ଜାପାନ, ରୁଷିଆ ଓ ୟୁରୋପୀୟ ଦେଶମାନଙ୍କ ସହ ସହଯୋଗ ବୃଦ୍ଧି କରି ଏକ ବହୁମୁଖୀ ରଣନୀତି (ମଲ୍ଟି-ଆଲାଇନମେଣ୍ଟ) ଗ୍ରହଣ କରିଛି। ଏହା ଦର୍ଶାଉଛି ଯେ ଏନର୍ଜି ଭଳି ସମ୍ବେଦନଶୀଳ କ୍ଷେତ୍ରରେ ଭାରତ ଏକମାତ୍ର ଦେଶ ଉପରେ ନିର୍ଭର ନକରି ଭରସାଯୋଗ୍ୟ ବନ୍ଧୁ ରାଷ୍ଟ୍ରମାନଙ୍କ ସହ ସହଯୋଗ ବୃଦ୍ଧି କରୁଛି।