ନୂଆଦିଲ୍ଲୀ,୯।୭: ବର୍ତ୍ତମାନ ସମୟରେ ସବୁବର୍ଗର ଲୋକଙ୍କ ହାତରେ ସ୍ମାର୍ଟଫୋନ୍ ରହିଛି। ଏପରିକି ଭାରତରେ ପ୍ରାୟ ୬୫୦ ମିଲିୟନ ଲୋକ ସ୍ମାର୍ଟଫୋନ୍ ବ୍ୟବହାର କରୁଥିଲାବେଳେ ଟାୟାର ୨ ଓ ୩ ସହରର ୬୦% ସ୍ମାର୍ଟଫୋନ୍ ଗ୍ରାହକ ରହିଛନ୍ତି। ଫଳରେ ଭାରତ ବିଶ୍ୱର ୨ୟ ବୃହତ୍ତମ ସ୍ମାର୍ଟଫୋନ୍ ବଜାରରେ ସାମିଲ ହୋଇଛି। ଅପରପକ୍ଷରେ ଭାରତ ଡିଜିଟାଲ ଓ ମେକ୍ ଇଣ୍ଡିଆ ପଦକ୍ଷେପ ଜରିଆରେ ଦେଶର ମେଡ୍ ଇନ୍ ଇଣ୍ଡିଆ ଫୋନ୍ ଶେୟାର ଗତ ୧୦ ବର୍ଷରେ ପ୍ରାୟ ୪ଗୁଣ ବୃଦ୍ଧି ପାଇ ୨୦୨୩-୨୪ ରେ ୯୯.୨%ରେ ପହଞ୍ଚତ୍ଛି। ୨୦୧୪-୧୫ରେ ଏହି ପରିମାଣ ପ୍ରାୟ ୨୬% ରହିଥିଲା। ସେହିଭଳି ସ୍ବଦେଶୀ ଜ୍ଞାନକୌଶଳ ଓ ଘରୋଇ ଟେଲିକମ କମ୍ପାନୀଗୁଡିକ ଉଭୟ ସ୍ମାର୍ଟଫୋନ୍ ଓ ଫିଚର ଫୋନ୍ ନିର୍ମାଣ କରୁଛନ୍ତି। ଏପରିକି କେନ୍ଦ୍ର ସରକାରଙ୍କ ସହାୟତା ଓ ଘରୋଇ କମ୍ପାନୀଗୁଡିକର ଇଚ୍ଛାଶକ୍ତି ଯୋଗୁ ଭାରତୀୟ ଉପଭୋକ୍ତାମାନେ ସୁଲଭ ମୂଲ୍ୟରେ ସ୍ମାର୍ଟଫୋନ ପାଇପାରୁଛନ୍ତି।
ଅପରପକ୍ଷରେ ଭାରତୀୟ କମ୍ପାନୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଫଳରେ ବଜାର ମଧ୍ୟ ଏକ ପ୍ରକାରର ପ୍ରତିଯୋଗିତାମୂଳକ ରହୁଛି। ସେହିପରି ନିକଟରେ ନେକ୍ସଟ କ୍ୱାଣ୍ଟମ ଓଏସ ପକ୍ଷରୁ ଘରୋଇ ୫ଜି ବ୍ରାଣ୍ଡ୍ ଏଆଇପ୍ଲସର ଶୁଭାରମ୍ଭ କରିଛି। ଏ ନେଇ ନେକ୍ସଟ କ୍ୱାଣ୍ଟମ ଓଏସର ସିଇଓ ମାଧବ ସେଠ କହିଛନ୍ତି, ବର୍ତ୍ତମାନ ସମୟରେ ଭାରତ ସ୍ମାର୍ଟଫୋନ ନିର୍ମାଣ ଓ ଉତ୍ପାଦନର ହବ୍ ପାଲଟିଛି। କାରଣ ଭାରତ ଖାଲି ନିର୍ମାଣ କରୁନାହିଁ, ଭାରତରେ ନିର୍ମାଣ ହେଉଥିବା ଉତ୍ପାଦ ବିଶ୍ୱ ବଜାରରେ ଲିଡର ପାଲଟିଛି। ଏପରିକି ବର୍ତ୍ତମାନ ଆମ ଦେଶ ବିଲ୍ଡ ଇନ୍ ଇଣ୍ଡିଆ ରେଡି ଫର ଦି ଓ୍ବାର୍ଲଡ ଭିଜନରେ ଉତ୍ପାଦ ନିର୍ମାଣ କରୁଛି।
ବଜାରରେ ଏଆଇପ୍ଲସ ରେଞ୍ଜ:
ଦେଶର ପ୍ରମୁଖ ଘରୋଇ ସ୍ମାର୍ଟଫୋନ ବ୍ରାଣ୍ଡ ତଥା ନେକ୍ସଟ କ୍ୱାଣ୍ଟମ ସିଫ୍ଟ ଟେକ୍ନୋଲୋଜିର ବହୁ ପ୍ରତୀକ୍ଷିତ ‘ଏଆଇପ୍ଲସ’ର ଶୁଭାରମ୍ଭ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଏଆଇପ୍ଲସ ରେଞ୍ଜ (ସ୍ମାର୍ଟଫୋନ, ସ୍ମାର୍ଟ ଓ୍ବାଚ ଏବଂ ଇୟର ବଡ)ର ଅନାବରଣ ମଙ୍ଗଳବାର ହୋଇଯାଇଛି। ଏହି ଅବସରରେ ନେକ୍ସଟ କ୍ୱାଣ୍ଟମ ସିଫ୍ଟ ଟେକ୍ନୋଲୋଜିର ସିଇଓ ମାଧବ ସେଠ୍ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଅନାବରଣ ସହ ବଜାର ପ୍ରବେଶ କରାଇଥିଲେ। ଏହି ପରିପ୍ରେକ୍ଷୀରେ ଗୁଗଲ କ୍ଲାଉଡ ଇଣ୍ଡିଆର ଏମ୍ଡି ଶଶୀ କୁମାର ଶ୍ରୀଧରନ ଏବଂ ଫ୍ଲିପକାର୍ଟର ଭିପି (ମୋବାଇଲ) ସ୍ମ୍ରିଥି ରବିଚନ୍ଦ୍ରନ ପ୍ରମୁଖ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, ଏଆଇପ୍ଲସର ୨ଟି ସ୍ମାର୍ଟଫୋନ ଏଆଇପ୍ଲସର ପଲ୍ସ ଓ ନୋଭା ୫ଜି ସହ ସ୍ମାର୍ଟଓ୍ବାଚ ଓ ଇୟରବଡର ଶୁଭାରମ୍ଭ କରାଯାଇଥିଲା। ଏହି ଫୋନ୍ରେ ସମସ୍ତ ପ୍ରକାରର ସୁରକ୍ଷା ବ୍ୟବସ୍ଥା ସହ ଅତ୍ୟାଧୁନିକ ଫିଚର ଓ ଆକର୍ଷଣୀୟ କଲର ଅନ୍ତର୍ଭୁକ୍ତ ରହିଛି। ସେହିପରି ସୁଲଭ ମୂଲ୍ୟରେ ଆକର୍ଷଣୀୟ ସ୍ମାର୍ଟଫୋନ୍ ବଜାରରେ ଉପଲବ୍ଧ ହେବା ସହିତ ବଜାରରେ ଏକ ଭିନ୍ନ ପ୍ରକାରର ପ୍ରତିଯୋଗିତା ଆରମ୍ଭ ହେବ ବୋଲି କୁହାଯାଉଛି।