ନ୍ୟୁୟର୍କ,୧୫।୧୨: କୃତ୍ରିମ ବୁଦ୍ଧମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ବିବେଚିତ ହୋଇଛି। ଷ୍ଟାନ୍ଫୋର୍ଡ ବିଶ୍ୱବିଦ୍ୟଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଏହା ଜଣାପଡ଼ିଛି। ୟୁନିଭର୍ସିଟିଜ୍ ଗ୍ଲୋବାଲ ଏଆଇ ଭାଇବ୍ରାନ୍ସ ଟୁଲ୍ସ ଭିଜୁଅଲ କ୍ୟାପିଟାଲିଷ୍ଟ ଚାର୍ଟ ଅନୁଯାୟୀ, ଭାରତ ୨୧.୫୯ ସ୍କୋର ଧାରଣ କରି ଏହି ସ୍ଥାନ ହାସଲ କରିଛି। ସର୍ବାଗ୍ରେ ଆମେରିକା ୭୮.୬ ପ୍ରତିଶତ ଓ ଚାଇନା ୩୬.୯୫ ପ୍ରତିଶତ ସ୍କୋର କରି ଦ୍ୱିତୀୟରେ ରହିଛନ୍ତି। ରିପୋର୍ଟରେ କୁହାଯାଇଛି ଯେ, ବୈଶ୍ୱିକ ଏଆଇ ଦୃଶ୍ୟପଟରେ ଭାରତ ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ରର ମର୍ଯ୍ୟାଦା ପାଇଛି। ଉପରଲିଖିତ ଦୁଇ ଦେଶ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ହେଲେ ଭାରତର ସ୍କୋରକୁ ବଢ଼ାଇବାର ଆବଶ୍ୟକତା ଅଛି ବୋଲି ଉକ୍ତ ଚାର୍ଟ ପକ୍ଷରୁ କୁହାଯାଇଛି। ତେବେ ନୂଆଦିଲ୍ଲୀର ସ୍କୋର ଦକ୍ଷିଣ କୋରିଆ, ଜାପାନ, ସିଙ୍ଗାପୁର, ବ୍ରିଟେନ୍, ଜର୍ମାନୀ ଓ ଅନ୍ୟାନ୍ୟ ବୃହତ୍ ରାଷ୍ଟ୍ରଠାରୁ ଆଗରେ ରହିବା ଏକ ସକାରାତ୍ମକ ସୂଚନା ଦେଇଛି।
ଟୁଲ୍ର ମାପଦଣ୍ଡ ଅନୁଯାୟୀ ପ୍ରତିଭା ଉପଲବ୍ଧତା, ଗବେଷଣା ଓ ବିକାଶ, ପୁଞ୍ଜିନିବେଶ, ସରକାରୀ ନୀତି ଓ ଅନୁଭୂତି, ଭିତ୍ତିଭୂମି ଓ ଅର୍ଥନୈତିକ ପ୍ରଭାବକୁ ହିସାବକୁ ନିଆଯାଇ ସ୍କୋର ନିର୍ଦ୍ଧାରଣ କରାଯାଇଛି। ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଏଆଇର ଦ୍ରୁତ ପ୍ରଗତି ପ୍ରଯୁକ୍ତି ବ୍ୟବସ୍ଥା, ପୁଞ୍ଜିନିବେଶ ଓ ପ୍ରତିଭାଧାରୀଙ୍କ ପ୍ରଦର୍ଶନ ଉପରେ ନିର୍ଭର କରିଥାଏ। ଆସନ୍ତା କିଛି ବର୍ଷ ମଧ୍ୟରେ ଦେଶର ଏଆଇ ଭିତ୍ତିଭୂମିର ବିକାଶ ଲାଗି ଶ୍ରେଷ୍ଠ ବୈଶ୍ୱିକ କମ୍ପାନୀଗୁଡ଼ିକ ବହୁ କୋଟି ଟଙ୍କାର ଅର୍ଥ ବିନିଯୋଗ କରିବେ ବୋଲି ଘୋଷଣା କରିବା ପରେ ଏଆଇର ଚାହିଦା ବହୁମାତ୍ରାରେ ବଢ଼ିଯାଇଛି। ଏଆଇ, ଲଜିଷ୍ଟିକ୍ସ, କ୍ଲାଉଡ୍ କମ୍ପ୍ୟୁଟିଂ ଇନ୍ଫ୍ରାଷ୍ଟ୍ରକଚର ଆଦି କ୍ଷେତ୍ରରେ ୨୦୩୦ ସୁଦ୍ଧା ଆମାଜନ ୩୫ ବିଲିୟନ ଡଲାର ପୁଞ୍ଜିନିବେଶ କରିବ ବୋଲି ଘୋଷଣା କରିଥିଲା। ସେହିପରି ମାଇକ୍ରୋସଫ୍ଟ ଏସିଆ ମହାଦେଶରେ କ୍ଲାଉଡ୍ ଓ ଏଆଇ ସମ୍ପ୍ରସାରଣ ଲାଗି ୧୭.୫ ବିଲିୟନ ଡଲାର ନିବେଶ କରିବା ଲାଗି ଘୋଷଣା କରିଥିଲା। ଏହା ପୂର୍ବରୁ ଇଣ୍ଟେଲ, କଗ୍ନିଜାଣ୍ଟ, ଓପନ୍ ଏଆଇ ମଧ୍ୟ ଭାରତ ଏଆଇର ଚାହିଦାକୁ ଦେଖି ପର୍ଯ୍ୟାପ୍ତ ଅର୍ଥ ନିବେଶ କରିବେ ବୋଲି କହିଥିଲେ।