ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ ନିୟନ୍ତ୍ରଣରେ ଥିବା ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଭାରତ ଦାବି କରିଛି। ଭାରତ ଏହା ମଧ୍ୟ କହିଛି ଯେ, ଏହି ଆଞ୍ଚଳିକ ଜଳପଥ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଭାରତ ଏକମାତ୍ର ଦେଶ ଯାହାର ନାବିକମାନେ ସେଠାରେ ପ୍ରାଣ ହରାଇଛନ୍ତି।
ବୈଦେଶିକ ସଚିବ ବିକ୍ରମ ମିଶ୍ରି ଏହି ପ୍ରସଙ୍ଗରେ ୟୁକେ ଦ୍ୱାରା ଆୟୋଜିତ ଏକ ବହୁପାକ୍ଷିକ ବୈଠକରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ। ଏଥିରେ ୬୦ରୁ ଅଧିକ ଦେଶ ଯୋଗ ଦେଇଥିଲେ। ଏହି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିର ସମାଧାନ ପାଇଁ କୂଟନୀତି ହେଉଛି ସବୁଠାରୁ ନିରାପଦ ଉପାୟ। ଏହି ସଙ୍କଟ ଭାରତର ଶକ୍ତି ସୁରକ୍ଷାକୁ ସିଧାସଳଖ ପ୍ରଭାବିତ କରିଛି। ମଧ୍ୟପ୍ରାଚ୍ୟରେ ଅସ୍ଥିର ପରିସ୍ଥିତି ଯୋଗୁ ସାମୁଦ୍ରିକ ସୁରକ୍ଷା ପ୍ରଭାବିତ ହେଉଛି। ସମସ୍ତ ପକ୍ଷଙ୍କ ମଧ୍ୟରେ ଆଲୋଚନା ଏବଂ କୂଟନୀତି ଏହି ସଙ୍କଟରୁ ବାହାରିବାର ଏକମାତ୍ର ଉପାୟ।
ଅଧିକାରୀଙ୍କ ଅନୁଯାୟୀ, ବିଦେଶୀ ପତାକା ଜାହାଜରେ ଏପର୍ଯ୍ୟନ୍ତ ହରମୁଜ ପ୍ରଣାଳୀରେ ଅତି କମରେ ତିନି ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ହୋଇଛି ଏବଂ ଜଣେ ଆହତ ହୋଇଛନ୍ତି, ଏହି ଅଞ୍ଚଳରେ ଜାହାଜ ଫସି ରହିଛି। ଭାରତ ଏହି ପ୍ରସଙ୍ଗରେ ୟୁକେର ୬୦ଟି ଦେଶ ସହିତ ଏକ ବୈଠକରେ ଅଂଶଗ୍ରହଣ କରିଥିଲା ଏବଂ ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ପ୍ରମୁଖ ରଣନୀତି ଉପରେ ଆଲୋଚନା କରିଥିଲା।
ସରକାରୀ ତଥ୍ୟ ଅନୁଯାୟୀ, ପ୍ରାୟ ୧୦ ନିୟୁତ ଭାରତୀୟ ନାଗରିକ ଉପସାଗର ଦେଶରେ ବାସ କରନ୍ତି। ସମସ୍ତ ଭାରତୀୟ ନାଗରିକ ସୁରକ୍ଷିତ ଅଛନ୍ତି ଏବଂ ସମସ୍ତ ଭାରତୀୟ ଦୂତାବାସ ସେମାନଙ୍କ ସହିତ ଯୋଗାଯୋଗରେ ଅଛି। ଏପର୍ଯ୍ୟନ୍ତ ସଂଘର୍ଷରେ ୮ ଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଛି ଏବଂ ଜଣେ ନିଖୋଜ ଅଛନ୍ତି। ଭାରତୀୟ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି।
ଭାରତ ଆଜରବାଇଜାନ ଦେଇ ଇରାନରୁ ୨୦୪ ଜଣ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିବାରେ ସାହାଯ୍ୟ କରିଛି। ବୈଦେଶିକ ମନ୍ତ୍ରଣାଳୟ ଆଜରବାଇଜାନ ସରକାରଙ୍କୁ ଏହାର ସହଯୋଗ ପାଇଁ ଧନ୍ୟବାଦ ଜଣାଇଛି ଏବଂ କହିଛି ଯେ, ଆଗାମୀ ଦିନରେ ଅଧିକ ନାଗରିକଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯିବ।
ସୂଚନାଯୋଗ୍ୟ, ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍କୁ ପୁନର୍ବାର ଖୋଲିବା ଉଦ୍ୟମରେ ୬୦ରୁ ଊର୍ଦ୍ଧ୍ୱ ଦେଶ ଏକାଠି ହୋଇଥିବାବେଳେ ବ୍ରିଟେନ୍ର ଆମନ୍ତ୍ରଣକ୍ରମେ ଭାରତ ସେଥିରେ ସାମିଲ ହୋଇଛି। ବୈଠକରେ ଭାରତର ବହିର୍ବ୍ୟାପାର ସଚିବ ବିକ୍ରମ ମିସ୍ରି ଯୋଗ ଦେଇଛନ୍ତି। ଷ୍ଟ୍ରେଟ୍ ଅଫ୍ ହମୁର୍ଜ୍ ବନ୍ଦ ଯୋଗୁ ସାରା ବିଶ୍ୱରେ ତୈଳ ଓ ଗ୍ୟାସ୍ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଉକ୍ତ ପ୍ରଣାଳୀ ଦେଇ ଜାହାଜ ଚଳାଚଳକୁ ସୁନିଶ୍ଚିତ କରାଇବା ଉପରେ ଆଲୋଚନା ପାଇଁ ବ୍ରିଟେନ୍ ପକ୍ଷରୁ ଭାରତ ସମେତ ଅନେକ ଦେଶଙ୍କୁ ଆମନ୍ତ୍ରଣ କରାଯାଇଥିଲା। ମିସ୍ରି ଭର୍ଚୁଆଲ୍ ମୋଡ୍ରେ ଯୋଗଦେଇ ନୂଆଦିଲ୍ଲୀର ଆଭିମୁଖ୍ୟ ଉପସ୍ଥାପନ କରିଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।