ନୂଆଦିଲ୍ଲୀ,୧।୭: ଇରାନର ୩ଟି ନ୍ୟୁକ୍ଲିୟର ଫାସିଲିଟିକୁ ଧ୍ୱଂସ କରିବା ଲାଗି ଆମେରିକା ଗତ ୨୨ ତାରିଖରେ ଜିବିୟୁ-୫୭/ଏ ବଙ୍କର-ବଷ୍ଟରକୁ ନିୟୋଜିତ କରିଥିଲା। ଏହି ଅତ୍ୟାଧୁନିକ ସାମର୍ଥ୍ୟ ହାସଲ କରିବା ଲାଗି ଭାରତ ଜୋର୍ଦାର ଉଦ୍ୟମ ଚଳାଇଛି। ନୂଆ ତଥା ଶକ୍ତିଶାଳୀ ମିଶାଇଲ୍ ସିଷ୍ଟମ୍ ନିର୍ମାଣ ସହ ଭାରତ ଭବିଷ୍ୟତ ଯୁଦ୍ଧ ପାଇଁ ପ୍ରସ୍ତୁତି ଚଳାଇଛି। ଏହି ମିଶାଇଲ୍ ସିଷ୍ଟମ୍ ଭୂଗର୍ଭରେ ଥିବା ଶକ୍ତିଶାଳୀ ଢାଞ୍ଚାକୁ ଭେଦ କରିପାରିବ। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆର୍ଡିଓ) ପକ୍ଷରୁ ଅଗ୍ନି-୫ ଅନ୍ତର୍ମହାଦେଶୀୟ ବାଲିଷ୍ଟିକ୍ ମିଶାଇଲ୍ର ଉନ୍ନତ ଭର୍ସନ୍ର ବିକାଶ କରାଯାଉଛି। ଅଗ୍ନି-୫ ଆଣବିକ ଅସ୍ତ୍ର ସହ ୫,୦୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କ୍ଷମତା ରଖିଥିବାବେଳେ ନୂଆ ଭାରିଆଣ୍ଟରେ ପାରମ୍ପରିକ ଅସ୍ତ୍ର ସାମର୍ଥ୍ୟ ରହିବ, ଯାହା ୭,୫୦୦ କିଲୋଗ୍ରାମ ବଙ୍କର-ବଷ୍ଟର ଯୁଦ୍ଧାସ୍ତ୍ର ବହନ କରିପାରିବ। ମାଟିତଳେ ୫୦ରୁ ୧୦୦ ମିଟର ଗଭୀରରେ ଥିବା ବହୁସ୍ତରୀୟ ଶକ୍ତିଶାଳୀ କଂକ୍ରିଟ୍ ଢାଞ୍ଚାକୁ ଏହା ଧ୍ୱଂସ କରିପାରିବ। ଆମେରିକା ନକଟରେ ୧୪ଟି ଜିବିୟୁ-୫୭ ବ୍ୟବହାର କରିଥିଲା, ଯାହାକି ବିଶ୍ୱର ସବୁଠୁ ଶକ୍ତିଶାଳୀ ବଙ୍କର-ବଷ୍ଟର ବୋମା। ଭାରତ ଅନୁରୂପ ସାମର୍ଥ୍ୟ ହାସଲ କରିବାକୁ ଚାହୁଁଥିବା ଜଣାପଡ଼ିଛି।