‘ଭାରତକୁ ଚାଇନା ସହ ଯିବାକୁ ବାଧ୍ୟ କରାଯାଉଛି,’ ଟ୍ରମ୍ପଙ୍କ ଉପରେ ରାଗିଲେ ପୂର୍ବତନ NSA

ଓ୍ବାଶିଂଟନ,୩୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି। ଟ୍ରମ୍ପଙ୍କ ନିଷ୍ପତ୍ତିକୁ ତାଙ୍କ ନିଜ ଦେଶରେ ବିରୋଧ କରାଯାଉଛି। ପୂର୍ବତନ ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଜ୍ୟାକ ସୁଲିଭାନ କହିଛନ୍ତି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୫୦ ପ୍ରତିଶତ ଶୁଳ୍କ ଲାଗୁ କରି ଭାରତ ଉପରେ ଅଧିକ ବାଣିଜ୍ୟ ଚାପ ପକାଇଛନ୍ତି। ସୁଲିଭାନ ବିଶ୍ୱାସ କରନ୍ତି ଯେ ଟ୍ରମ୍ପଙ୍କ ନୀତି ଯୋଗୁ ଭାରତ ଧୀରେ ଧୀରେ ଚାଇନା ଆଡକୁ ଢଳି ପଡ଼ୁଛି।
ଜ୍ୟାକ ସୁଲିଭାନ ଏକ ପଡ କାଷ୍ଟରେ କହିଛନ୍ତି, ‘ଯେତେବେଳେ ସେ ଅନ୍ୟ ଦେଶର ନେତାମାନଙ୍କ ସହ କଥା ହୁଅନ୍ତି, ସେମାନେ କୁହନ୍ତି ଯେ ଆମେରିକା ଆଉ ବିଶ୍ୱସନୀୟ ନୁହେଁ। ଅନେକ ଦେଶ ଆମେରିକାକୁ ସବୁଠାରୁ ବଡ଼ ସମସ୍ୟା ସୃଷ୍ଟିକାରୀ ବୋଲି ମାନିଥାନ୍ତି, ଯେତେବେଳେ ଚାଇନା ଏକ ଦାୟିତ୍ୱବାନ ଏବଂ ବିଶ୍ୱସନୀୟ ଦେଶ ଭାବରେ ଉଭା ହେଉଛି। ସେ କହିଛନ୍ତି ଯେ ପୂର୍ବରୁ ଆମେରିକାର ପ୍ରତିଛବି ଦୃଢ଼ ଥିଲା, କିନ୍ତୁ ଏବେ ଚାଇନାର ଲୋକପ୍ରିୟତା ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ଆମେରିକାର ବିଶ୍ୱସନୀୟତା ଦୁର୍ବଳ ହେଉଛି।’
ଭାରତର ଉଦାହରଣ ଦେଇ ସୁଲିଭାନ କହିଛନ୍ତି, ‘ଉଭୟ ପକ୍ଷର ସମ୍ମତିରେ ଭାରତ ସହିତ ଏକ ଗଭୀର ଏବଂ ସ୍ଥାୟୀ ସମ୍ପର୍କ ଗଠନ ପାଇଁ ପ୍ରୟାସ କରାଯାଉଥିଲା, କିନ୍ତୁ ଟ୍ରମ୍ପ ଭାରତ ଉପରେ ଏତେ ବଡ଼ ବାଣିଜି୍ୟକ ଆକ୍ରମଣ କରିଥିଲେ ଯେ ଏବେ ଭାରତୀୟ ନେତାମାନେ କହିବାକୁ ପଡୁଛି ଯେ ହୁଏତ ଆମକୁ ବେଜିଂ ଯାଇ ଚାଇନା ସହିତ ବସିବାକୁ ପଡିବ, ଯାହା ଦ୍ୱାରା ଆମେରିକା ବିରୁଦ୍ଧରେ ଏକ ସନ୍ତୁଳନ ହୋଇପାରିବ।’

Share