ବେଲୁଚିସ୍ତାନରେ ଟ୍ରେନ ଅପହରଣ ପଛରେ ରହିଛି ଭାରତ: ବଡ଼ ଅଭିଯୋଗ ଆଣିଲେ ପାକିସ୍ତାନ ସରକାର

ଇସଲାମାବାଦ,୧୨।୩: ପାକିସ୍ତାନର ବେଲୁଚିସ୍ତାନରେ ବାଲୁଚ ଲିବରେଶନ ଆର୍ମି (BLA) ଜାଫର ଏକ୍ସପ୍ରେସକୁ ମଙ୍ଗଳବାର ଅପହରଣ କରିଛି। କେବଳ ଏତିକି ନୁହେଁ, ବାଲୁଚ ସେନା ଟ୍ରେନ୍ରେ ଥିବା ସମସ୍ତ ଯାତ୍ରୀଙ୍କୁ ବନ୍ଧକ ରଖିଛି। ଏବେ ସୁଦ୍ଧା ୧୦୪ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି।

ଏକ ରିପୋର୍ଟ ଅନୁସାରେ, ବେଲୁଚିସ୍ତାନ ଲିବରେଶନ ଆର୍ମି (BLA) ଆକ୍ରମଣର ଦାୟୀ ବୋଲି ଦାବି କରିଛି ଏବଂ ଟ୍ରେନଟିକୁ ଲାଇନଚ୍ୟୁତ କରିଛି। ବାଲୁଚ ବିଦ୍ରୋହୀମାନେ ମଧ୍ୟ ୨୧୪ ଜଣ ଯାତ୍ରୀଙ୍କୁ ବନ୍ଧକ ରଖିଥିବା ଦାବି କରିଛନ୍ତି। ଏହି ସମୟରେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫଙ୍କ ପରାମର୍ଶଦାତା ରାଣା ସନାଉଲ୍ଲାହ ଟ୍ରେନ ଅପହରଣ ସମ୍ପର୍କରେ ଭାରତ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କ ପରାମର୍ଶଦାତା ବେଲୁଚିସ୍ତାନ ଟ୍ରେନ ଅପହରଣ ଘଟଣା ସମ୍ପର୍କରେ ଭାରତ ବିରୋଧରେ ଭିତ୍ତିହୀନ ଅଭିଯୋଗ ଆଣିଛନ୍ତି। ଏହା ସେହି ପାକିସ୍ତାନ, ଯିଏ ଦଶନ୍ଧି ଧରି ଆତଙ୍କବାଦୀଙ୍କୁ ପ୍ରୋତ୍ସାହିତ କରିଥିଲା, ଆତଙ୍କବାଦୀ ସଂଗଠନଗୁଡ଼ିକୁ ଆଶ୍ରୟ ଦେଇଥିଲା ଏବଂ ଜିହାଦର ବିଷ ପ୍ରସାର କରିଥିଲା, କିନ୍ତୁ ଏବେ କୌଣସି ପ୍ରମାଣ ବିନା ଭାରତକୁ ଦୋଷ ଦେଉଛି।

ପରାମର୍ଶଦାତା ଦାବି କରିଛନ୍ତି ଯେ ଏହି ଆକ୍ରମଣ ପଛରେ ଭାରତ ଅଛି। ଭାରତ ଆଫଗାନିସ୍ତାନ ଭିତରୁ ଏହି ଆକ୍ରମଣଗୁଡ଼ିକୁ ପରିଚାଳନା କରୁଛି। ଯେତେବେଳେ ତାଙ୍କୁ ପଚରାଯାଇଥିଲା ତେହେରିକ-ଏ-ତାଲିବାନ ପାକିସ୍ତାନ (TTP) ଏବଂ ବାଲୁଚ ବିଦ୍ରୋହୀଙ୍କ ମଧ୍ୟରେ କୌଣସି ସମ୍ପର୍କ ଅଛି କି? ଟିଟିପି କ’ଣ ବାଲୁଚମାନଙ୍କୁ ସମର୍ଥନ କରେ? ତେଣୁ ଏହାର ଜବାବରେ ପରାମର୍ଶଦାତା କହିଛନ୍ତି, ଭାରତ ଏସବୁ କରୁଛି, ଏଥିରେ କୌଣସି ସନ୍ଦେହ ନାହିଁ। ଏହା ପରେ, ବାଲୁଚ ବିଦ୍ରୋହୀଙ୍କୁ ଆଫଗାନିସ୍ତାନରେ ଏକ ନିରାପଦ ଆଶ୍ରୟସ୍ଥଳ ମିଳିଯାଉଛି।