Video: ଆରବ ସାଗରରେ ଦମ୍‌ ଦେଖାଇଲା ଭାରତୀୟ ନୌସେନା, ସମୁଦ୍ର ଲୁଟେରାଙ୍କ ବିରୋଧରେ କରାଗଲା ବଡ଼ ଅପରେଶନ

ନୂଆଦିଲ୍ଲୀ,୧୬।୩: ଭାରତୀୟ ନୌସେନା ପୁଣି ଥରେ ନିଜର ଶକ୍ତି ପ୍ରଦର୍ଶନ କରିଛି। ଆରବ ସାଗର ମଧ୍ୟଭାଗରେ ସମୁଦ୍ର ଲୁଟେରାମାନଙ୍କ କବଳରୁ ବାଲାଂଦେଶର ଏକ ଜାହାଜକୁ ରକ୍ଷା କରିବାରେ ସଫଳ ହୋଇଛି। ଶନିବାର ଲୁଟେରାମାନେ ଏମ୍‌ଭି ରୁଏନ୍‌ ନାମକ ଜାହାଜକୁ ଅପହରଣ କରି ନେଇଥିଲେ। ହେଲେ ନୌସେନା ପକ୍ଷରୁ ସମୁଦ୍ର ମଝିରେ ଜାହାଜକୁ ରୋକାଯାଇ କବ୍ଜାରେ ଥିବା ଚାଳକଦଳର ସଦସ୍ୟଙ୍କୁ ଉଦ୍ଧାର କରାଯାଇଛି।

ଭାରତୀୟ ନୌସେନା ସୂଚନା ଦେଇଛି ଯେ, ଆରବ ସାଗର ମଧ୍ୟରେ ଏକ୍ସ-ଏମ୍‌ଭି ରୁଏନ ଜାହାଜକୁ ବ୍ୟବହାର କରି ଡକାୟତି ଉଦ୍ୟମକୁ ସଫଳତାର ସହ ରୋକାଯାଇଛି। ଡିସେମ୍ବର ୧୪, ୨୦୨୩ ରେ ସୋମାଲି ଡକାୟତମାନଙ୍କ ଦ୍ୱାରା ଜାହାଜକୁ ଅପହରଣ କରାଯାଇଥିଲା। ନୌସେନା ଜାହାଜକୁ ଘେରିଯିବା ପରେ ଡକାୟତମାନେ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଉପରକୁ ଗୁଳି ଚଳାଇଥିଲେ। ପରେନୌସେନା ଅଧିକାରୀମାନେ ସେମାନଙ୍କୁ ଉଚିତ ଜବାବ ଦେଇଥିଲେ।

ଅପହରଣ ହୋଇଥିବା ଜାହାଜ ଏବଂ ଡକାୟତି ବିରୁଦ୍ଧରେ ତଥା ସେମାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ବିପଦକୁ ପ୍ରଭାବଶୂନ୍ୟ କରିବା ପାଇଁ ନୌସେନା ବର୍ତ୍ତମାନ ଅନ୍ତର୍ଜାତୀୟ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏହା ଏଭଳି ଏକ ଜାହାଜ ଥିଲା ଯାହାକୁ ସୋମାଲି ଡକାୟତମାନେ ବ୍ୟବହାର କରୁଥିଲେ। ଜାହାଜକୁ ରୋକା ଯିବା ପରେ ଲୁଟେରାମାନେ ନୌସେନାର ଯୁଦ୍ଧ ଜାହାଜ ଉପରେ ଆକ୍ରମଣ କରିଥିଲେ। ଯାହାକୁ ସେନା ପକ୍ଷରୁ ଉପଯୁକ୍ତ ଜବାବ ଦିଆଯାଇଥିଲା। ଏବେ ଡକାୟତମାନଙ୍କ ବିରୋଧରେ ନୌସେନାର ଏହି ଅପରେଶନର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ନୌସେନା କହିଛି ଯେ, ଜାହାଜରେ ଥିବା ଡକାୟତମାନଙ୍କୁ ଆତ୍ମସମର୍ପଣ କରିବାକୁ ଏବଂ କ୍ରୁ ସଦସ୍ୟମାନଙ୍କୁ ମୁକ୍ତ କରିବାକୁ ଉଦ୍ୟମ ଚାଲିଛି। ନିଜର ସାମୁଦ୍ରିକ ସୀମା ସୁରକ୍ଷା ପାଇଁ ନୌସେନା ନିଜର ପ୍ରତିବଦ୍ଧତାକୁ ଦୋହରାଇଛି। ଭାରତୀୟ ନୌସେନା ଅଞ୍ଚଳରେ ସାମୁଦ୍ରିକ ସୁରକ୍ଷା ଏବଂ ନାବିକଙ୍କ ସୁରକ୍ଷା ଲାଗି ନୌସେନା ପ୍ରତିବଦ୍ଧ।

ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଶୁକ୍ରବାର ଭାରତୀୟ ନୌସେନା ସୋମାଲି ଲୁଟେରାଙ୍କଠାରୁ ବାଂଲାଦେଶୀ ଜାହାଜକୁ ଉଦ୍ଧାର କରିଥିଲା। ବାଂଲାଦେଶୀ ବାଣିଜ୍ୟ ଜାହାଜ ଅବଦୁଲ୍ଲା ମୋଜାମ୍ବିକରୁ ସଂଯୁକ୍ତ ଆରବ ଏମିରେଟ୍ସ ଅଭିମୁଖେ ଯାତ୍ରା କରୁଥିଲା। ହେଲେ ଏହି ଜାହାଜକୁ ମାର୍ଚ୍ଚ ୧୨ରେ ୧୫ ରୁ ୨୦ ଡକାୟତ ଆକ୍ରମଣ କରିଥିଲେ। ଏହି ଜାହାଜରେ ୨୩ ଜଣ କ୍ରୁ ସଦସ୍ୟ ଥିଲେ। ଏହି ଅପହରଣ ବିଷୟରେ ସୂଚନା ପାଇବା ମାତ୍ରେ ଭାରତୀୟ ନୌସେନା ତୁରନ୍ତ ଉଦ୍ଧାର କାର୍ଯ୍ୟ କରିଥିଲା ଏବଂ ଜାହାଜଟି ଡକାୟତମାନଙ୍କଠାରୁ ଉଦ୍ଧାର କରାଯାଇଥିଲା। ବାଂଲାଦେଶୀ ବାଣିଜ୍ୟ ଜାହାଜରେ ୫୫ ହଜାର ଟନ୍‌ କୋଇଲା ଥିଲା ।

Share
Tags: Indian Navy