ଅସମାନତାର ବାରୁଦଗଦାରେ ଭାରତ

ଭାଲଚନ୍ଦ୍ର ଷଡ଼ଙ୍ଗୀ

ନିକଟରେ ପ୍ରକାଶିତ ବିଶ୍ୱ ଅସମାନତା ରିପୋର୍ଟରେ ଭାରତ ସମେତ ବିଶ୍ୱରେ ଆର୍ଥିକ ଅସମାନତାର ଏକ ଚିନ୍ତାଜନକ ଚିତ୍ର ସାମ୍‌ନାକୁ ଆସିଛି। ରିପୋର୍ଟରେ କୁହାଯାଇଛି ଯେ, ବିଶ୍ୱରେ ଆର୍ଥିକ ଅସମାନତାର ବ୍ୟବଧାନ ଯେଉଁ ପରିମାଣରେ ଗଭୀର ହୋଇଛି, ସେପରି ବିଂଶ ଶତାବ୍ଦୀର ଆରମ୍ଭରେ ବି ନ ଥିଲା। ସମାଜରେ ଗରିବ ଅଧିକ ଗରିବ ହେଉଥିବା ବେଳେ ଧନୀମାନଙ୍କ ସମ୍ପତ୍ତିରେ ସୀମାହୀନ ବୃଦ୍ଧି ଦେଖିବାକୁ ମିଳିଛି। ବିଶ୍ୱର ୧୦% ଅଧିକ ଧନୀଙ୍କ ପାଖରେ ମୋଟ ସମ୍ପତ୍ତିର ତିନି ଚତୁର୍ଥାଂଶ ବା ୭୬% ରହିଥିବା ବେଳେ ଅଧାରୁ ଅଧିକ ବିଶ୍ୱବାସୀ ମାତ୍ର ୨%ରେ ନିଜର ଗୁଜୁରାଣ ମେଣ୍ଟାଉଛନ୍ତି।
ବିଶ୍ୱରେ ଅସମାନତାର ଭୟାନକ ସ୍ଥିତି ପରିପ୍ରେକ୍ଷୀରେ ଆମ ଦେଶର ସ୍ଥିତିକୁ ବି ଚର୍ଚ୍ଚା କରିବା ଜରୁରୀ। ପ୍ୟାରିସ୍‌ସ୍ଥିତ ‘ୱାଲର୍‌ଡ ଇନଇକ୍ୱାଲିଟି ଲେବ୍‌’ ନାମକ ସଂସ୍ଥା ଦ୍ୱାରା ପ୍ରକାଶିତ ବିଶ୍ୱ ଅସମାନତା ରିପୋର୍ଟରେ ଭାରତକୁ ଏକ ଅତ୍ୟନ୍ତ ଅସମାନତାପୂର୍ଣ୍ଣ ଦେଶ ବୋଲି ଘୋଷଣା କରାଯାଇଛି। ଏହି ରିପୋର୍ଟ ଅନୁଯାୟୀ ବିଶ୍ୱର ଯେଉଁ ଦେଶମାନଙ୍କରେ ସବୁଠାରୁ ବେଶି ଅସମାନତା ରହିଛି, ତା’ମଧ୍ୟରେ ଭାରତ ରହିଛି। ସେଥିରେ କୁହାଯାଇଛି ଯେ ଭାରତ ଚରମ ଦାରିଦ୍ର୍ୟ ଓ ଅସମାନତାରେ ବୁଡ଼ି ରହିଛି। ଆୟ ତୁଳନାରେ ସମ୍ପତ୍ତିର ମାପକାଠିରେ ଏହି ଅସମାନତା ଆହୁରି ବେଶି। ଦେଶର ଶୀର୍ଷସ୍ତର ୧୦% ଧନୀ ଲୋକଙ୍କ ହାତରେ ମୋଟ ଜାତୀୟ ସମ୍ପତ୍ତିର ୬୫% ରହିଥିବା ବେଳେ ପ୍ରାୟ ଅର୍ଦ୍ଧେକ ମଣିଷଙ୍କ ହାତରେ ସମ୍ପତ୍ତି ବୋଲି କିଛି ନାହିଁ। କିଛିଦିନ ପୂର୍ବରୁ ପ୍ରକାଶିତ ବିଶ୍ୱ କ୍ଷୁଧା ସୂଚକାଙ୍କରେ ମଧ୍ୟ ଭାରତର ସ୍ଥିତି ଅତ୍ୟନ୍ତ ନୈରାଶ୍ୟଜନକ ରହିଥିବା ଦେଖିବାକୁ ମିଳିଥିଲା। ବିଶ୍ୱର ସବୁଠାରୁ କ୍ଷୁଧାଗ୍ରସ୍ତ ୧୦୭ଟି ଦେଶ ମଧ୍ୟରେ ଭାରତର ସ୍ଥାନ ୯୪ ରହିଥିଲା; ଯାହା ଫଳରେ ଦେଶର ୧୪% ମଣିଷ ଅପପୁଷ୍ଟିର ଶିକାର ହୋଇଥିବା ବେଳେ ପର୍ଯ୍ୟାପ୍ତ ପୁଷ୍ଟିର ଅଭାବରେ ୩୭% ଶିଶୁଙ୍କ ଶାରୀରିକ ବିକାଶ ବାଧିତ ହେଉଛି। ନିକଟରେ କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ଦ୍ୱାରା ଜାରି ଗରିବୀ ସୂଚକାଙ୍କରେ ମଧ୍ୟ ଦେଶର ପ୍ରତି ଚାରି ଜଣରେ ଜଣେ ବ୍ୟକ୍ତି ବହୁ କୋଣୀୟ ଭାବେ ଗରିବ ବୋଲି କୁହାଯାଇଛି।
ଦି ୱାଲର୍‌ଡ ମ୍ୟାପ୍‌ ଅଫ୍‌ ଇନ୍‌ଇକ୍ୱାଲିଟି ଅନୁଯାୟୀ କୌଣସି ଦେଶର ନାଗରିକମାନଙ୍କ ହାରାହାରି ଆୟ ଦେଖି ସେଠାକାର ଆୟ ଅସମାନତାର ଚିତ୍ରକୁ ବୁଝିହେବନି। ଉଦାହରଣ ସ୍ବରୂପ ଆମେରିକାରେ ନାଗରିକମାନଙ୍କ ହାରାହାରି ମୁଣ୍ଡପିଛା ଆୟ ଅଧିକ ହେଲେ ବି ସେଠାରେ ଅସମାନତା ଅତ୍ୟଧିକ। ଅନ୍ୟପକ୍ଷରେ ସ୍ବୀଡେନରେ ଏହି ଅସମାନତା ଅନେକ ପରିମାଣରେ କମ୍‌। ଗରିବ ଦେଶମାନଙ୍କ ମଧ୍ୟରେ ଭାରତରେ ଅସମାନତା ଅତ୍ୟଧିକ ରହିଛି। ଦାରିଦ୍ର୍ୟ ଓ ଅସମାନତା ଉଭୟ ଭୟଙ୍କର ରୂପ ଧାରଣ କରିଛନ୍ତି। ଦେଶର ୧% ଧନ କୁବେରଙ୍କ ହାତରେ ଦେଶର ମୋଟ ଜାତୀୟ ଆୟର ଏକ ପଞ୍ଚମାଂଶ (୨୨%) ଜମା ହୋଇଥିବା ବେଳେ ଶୀର୍ଷ ୧୦% ଲୋକ ଦେଶର ମୋଟ ୫୭% ଆୟର ଅଧିକାରୀ ଥିବା ଜଣାପଡ଼ିଛି। ଅନ୍ୟପଟେ ଦେଶର ଅର୍ଦ୍ଧେକ ବ୍ୟକ୍ତିଙ୍କ ମୋଟ ଆୟ ଦେଶର ମୋଟ ଜାତୀୟ ଆୟର ମାତ୍ର ୧୩.୧% ରହିଥିବା ଜଣାପଡ଼ିଛି।
ଆମ ଦେଶରେ ଲିଙ୍ଗଗତ ଅସମାନତା ମଧ୍ୟ ଯଥେଷ୍ଟ ବେଶି । ବିଶ୍ୱସ୍ତରରେ ଶ୍ରମ ବଜାରରେ ମହିଳାଙ୍କ ଭାଗିଦାରି କ୍ଷେତ୍ରରେ ଭାରତର ସ୍ଥିତି ନିରାଶାଜନକ। ଚାଇନାକୁ ବାଦ ଦେଲେ ବାକି ଏସିଆରେ ମହିଳା ଶ୍ରମିକମାନଙ୍କ ଆୟ ପୁରୁଷଙ୍କ ଆୟ ତୁଳନାରେ ୨୧% ରହିଥିବା ବେଳେ ଭାରତରେ ତାହା ମାତ୍ର ୧୮% । ୨୦୧୧-୧୯ ମଧ୍ୟରେ ଗ୍ରାମୀଣ କ୍ଷେତ୍ରରେ କାର୍ଯ୍ୟସ୍ଥଳରେ ମହିଳାଙ୍କ ଭାଗିଦାରି ୩୫.୮% ରୁ ୨୬.୪%କୁ ହ୍ରାସ ପାଇଛି। ମହିଳାଙ୍କୁ ମିଳୁଥିବା ମଜୁରି ସାଧାରଣତଃ ପୁରୁଷଙ୍କ ତୁଳନାରେ କମ୍‌ ହୋଇଥାଏ। ଦେଶର ଶ୍ରମ ବଜାରରେ ଲିଙ୍ଗଗତ ଭେଦଭାବ ଏତେ ବ୍ୟାପକ ଯେ ଆଜି ମଧ୍ୟ ଅନେକ କ୍ଷେତ୍ର ଓ କାମ କେବଳ ପୁରୁଷଙ୍କ ପାଇଁ ହିଁ ସଂରକ୍ଷିତ ରହିଛି। ତମାମ ଆଇନଗତ ବ୍ୟବସ୍ଥା ଓ ସାମାଜିକ ସଚେତନତା ସତ୍ତ୍ୱେ ସମ୍ପତ୍ତି ଓ ଜମିର ଅଧିକାରରୁ ମହିଳାମାନେ ବଞ୍ଚିତ ହେବା ଦେଖାଯାଇଛି। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳକୁ ମିଶାଇଲେ ମହିଳାମାନେ ଆମର ମଜୁରି ମିଳୁଥିବା ଶ୍ରମଶକ୍ତିର ମାତ୍ର ୧୮% ରହିଛନ୍ତି।
ଗତବର୍ଷ ତୁଳନାରେ ଚଳିତବର୍ଷ ଦେଶରେ ବେରୋଜଗାରୀଙ୍କ ସଂଖ୍ୟାରେ ବୃଦ୍ଧି ପାଇଛି। କରୋନା ଓ ଲକ୍‌ଡାଉନ୍‌ ଯୋଗୁ ଦେଶର ପ୍ରତି ପାଞ୍ଚ ଜଣରେ ଜଣେ ବ୍ୟକ୍ତି ରୋଜଗାର ହରାଇଛନ୍ତି। କେନ୍ଦ୍ର ସରକାରଙ୍କ ତଥ୍ୟରୁ ଜଣାପଡ଼ିଛି ଯେ ୧୮ରୁ ୨୯ ବର୍ଷ ମଧ୍ୟରେ ରୋଜଗାର ହରାଇବା ସଂଖ୍ୟା ସବୁଠାରୁ ବେଶି। ୨୦୨୧ର ପ୍ରଥମ ତିନି ମାସ ମଧ୍ୟରେ ୨୨.୯% ବ୍ୟକ୍ତି ରୋଜଗାର ହରାଇଥିବା ବେଳେ ୨୦୨୦ରେ ତାହା ୨୧.୧% ରହିଥିଲା। ୨୦୧୯ ଶେଷ ତ୍ରୈମାସିକୀରେ ସହରାଞ୍ଚଳରେ ମହିଳା ବେରୋଜଗାରଙ୍କ ହାର ୨୫% ଥିବା ବେଳେ ଗତବର୍ଷ ତାହା ୩୦%କୁ ବୃଦ୍ଧି ପାଇଥିଲା।
କରୋନା କାଳରେ ଦୁଇ କୋଟି ଲୋକ ଚାକିରି ହରାଇଥିବା ବେଳେ ୧୨ କୋଟି ଶ୍ରମିକ ରୋଜଗାର ହରାଇଛନ୍ତି। ଦେଶର ୪୦ କୋଟି ଲୋକ ଦାରିଦ୍ର୍ୟ ଭିତରକୁ ଠେଲି ହୋଇଯାଇଛନ୍ତି। ହେଲେ କରୋନାର ଏହି ଅବଧିରେ ଦେଶର ପ୍ରମୁଖ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ୨ ଲକ୍ଷ କୋଟି ବୃଦ୍ଧି ପାଇଥିବା ବେଳେ ଗୌତମ ଆଦାନୀ, ଅଜୀମ ପ୍ରେମଜୀ, ପୁନାୱାଲା ଆଦି ଶିଳ୍ପପତିଙ୍କ ସମ୍ପତ୍ତିରେ ୩୦ ରୁ ୭୦ ହଜାର କୋଟି ଟଙ୍କା ବୃଦ୍ଧି ପାଇଛି। ପୁଞ୍ଜିପତି ବିପୁଳ ସମ୍ପତ୍ତି କମାଇବା ପଛରେ ରହିଛି ସରକାରଙ୍କ ଅସମାନତା ବୃଦ୍ଧିକାରୀ ଆର୍ଥିକ ନୀତି ।
ରିପୋର୍ଟରେ ବିଶ୍ୱରେ ବର୍ଦ୍ଧିତ ଅସମାନତା ପାଇଁ ନବଉଦାର ଆର୍ଥିକ ନୀତିକୁ ହିଁ ଦାୟୀ କରାଯାଇଛି। ଅର୍ଥନୀତିଜ୍ଞମାନଙ୍କ ମତରେ ୮୦ ଦଶକରୁ ହିଁ ସାରା ବିଶ୍ୱରେ ଆର୍ଥିକ ଅସମାନତା ବୃଦ୍ଧି ପାଇ ଚାଲିଛି। ଯଦିଓ ପ୍ରାୟତଃ ସବୁଦେଶ ଆର୍ଥିକ ଅସମାନତା ବୃଦ୍ଧି ପାଇଁ ଦାୟୀ ନବ ଉଦାର ଅର୍ଥନୀତିକୁ ଆପଣେଇଛନ୍ତି, କିନ୍ତୁ ସବୁଠାରେ ଅସମାନତା ଏକା ଭାବେ ବୃଦ୍ଧି ପାଇନି। ଆମେରିକା, ରୁଷିଆ, ଭାରତ ପରି ଦେଶଗୁଡ଼ିକରେ ଅସମାନତା ଦ୍ରୁତ ହାରରେ ବୃଦ୍ଧି ପାଇଥିବା ବେଳେ ପୂର୍ବ ୟୁରୋପ ଦେଶଗୁଡ଼ିକରେ ଏହି ହାର ମନ୍ଥର । ଆମେରିକାର ନବେ ପ୍ରତିଶତ ଜନତାଙ୍କ ଆୟରେ ଗତ ୪୦ ବର୍ଷ ମଧ୍ୟରେ ବୃଦ୍ଧି ଘଟି ନ ଥିବା ଜଣାପଡ଼ିଛି। ସେଠାକାର ୧% ଧନୀଙ୍କର ସମ୍ପତ୍ତିରେ ଗତବର୍ଷ ୨୧୩% ବୃଦ୍ଧି ପାଇଥିବା ଜଣାପଡ଼ିଛି।
ଦେଶ ସ୍ବାଧୀନ ହେବା ସମୟରେ ଦେଶର ୧% ଧନୀ ଲୋକଙ୍କ ପାଖରେ ୨୦% ସମ୍ପତ୍ତି ଥିବା ବେଳେ ତାହା ବୃଦ୍ଧି ପାଇଁ ଆଜି ବିପଜ୍ଜନକ ସ୍ତରରେ ପହଞ୍ଚତ୍ଛି। ୧୯୮୦ ଦଶକରୁ ଏହି ବିଷମତା ବୃଦ୍ଧି ପାଇବା ସହିତ ୧୯୯୧ରେ ଦେଶରେ ଆର୍ଥିକ ଉଦାରୀକରଣ ନୀତି ଲାଗୁ ହେବା ପରେ ଏହା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ନବ ଉଦାର ଆର୍ଥିକ ନୀତି ଦେଶରେ ଧନୀ ଓ ଗରିବଙ୍କ ମଧ୍ୟରେ ଆର୍ଥିକ ବୈଷମ୍ୟ ବୃଦ୍ଧିର ସବୁଠାରୁ ବଡ଼ କାରଣ ଭାବେ ଦେଖାଦେଇଛି। ୧୯୯୧ରେ ଭାରତରେ ନବ ଉଦାର ଅର୍ଥନୀତିକୁ ଲାଗୁ କରିବାର ପରିଣତି ସ୍ବରୂପ ଉଭୟ ଆୟ ଏବଂ ସମ୍ପତ୍ତିର ଅସମାନତା ବୃଦ୍ଧି ପାଇଛି। ସେତେବେଳେ ଦେଶର ଶୀର୍ଷ ୧୦% ଧନୀଲୋକଙ୍କ ହାତରେ ୫୧% ସମ୍ପତ୍ତି ରହିଥିବା ବେଳେ ତଳର ୫୦% ଲୋକଙ୍କ ହାତରେ ମାତ୍ର ୯% ସମ୍ପତ୍ତି ରହିଥିଲା। ଅଥଚ ୨୦୨୧ରେ ଉପରୋକ୍ତ ୧୦% ଲୋକଙ୍କ ହାତରେ ସମ୍ପତ୍ତିର ପରିମାଣ ୬୫%କୁ ବୃଦ୍ଧି ପାଇଥିବା ବେଳେ ୫୦% ଗରିବଙ୍କ ହାତରେ ସମ୍ପତ୍ତି ୬%କୁ ହ୍ରାସ ପାଇଛି। ସେହିପରି ୧୯୯୧ରେ ଶୀର୍ଷସ୍ଥ ୧୦% ଲୋକେ ମୋଟ ଜାତୀୟ ଆୟର ୩୫%ର ଅଧିକାରୀ ହୋଇଥିବା ବେଳେ ତଳର ୫୦% ଗରିବଙ୍କ ହାତରେ ୨୦% ଜାତୀୟ ଆୟ ରହିଥିଲା। ଅଥଚ ୨୦୨୧ରେ ଉପରୋକ୍ତ ୧୦% ଧନୀ ଲୋକଙ୍କ ଆୟ ଜାତୀୟ ଆୟର ୫୭%ରେ ପହଞ୍ଚିଥିବା ବେଳେ ସର୍ବାଧିକ ଗରିବ ୫୦% ଲୋକଙ୍କ ଆୟ ଜାତୀୟ ଆୟର ୧୩%କୁ ହ୍ରାସ ପାଇଛି। ବର୍ତ୍ତମାନ ଏଭଳି ଅସ୍ବାଭାବିକ ବୃଦ୍ଧି ପାଇବା ଆମର ଆର୍ଥିକ ନୀତିର ବିଫଳତାକୁ ହିଁ ଦର୍ଶାଉଛି।
ଦେଶରେ ଧନୀ ଓ ଗରିବଙ୍କ ଆୟ ଓ ସମ୍ପତ୍ତିରେ ଏଭଳି ଦ୍ରୁତ ବୈଷମ୍ୟ ପଛରେ ସାଧାରଣତଃ ପାଞ୍ଚୋଟି କାରଣକୁ ଚିହ୍ନିତ କରାଯାଇପାରେ। ପ୍ରଥମତଃ ଦେଶରେ ସମ୍ବଳର ଅସମାନ ବଣ୍ଟନ ବା ମାଲିକାନା। ଜମି, ଜଙ୍ଗଲ ପରି ଉପତ୍ାଦନର ଉପକରଣ ବା ସମ୍ପତ୍ତି ଉପରେ ଲୋକଙ୍କ ଅଧିକାର ଦେବାକୁ ଅତୀତରେ ଭୂସଂସ୍କାର ଆଇନ ଓ ଜଙ୍ଗଲ ଅଧିକାର ଆଇନ ପ୍ରଣୟନ କରାଯାଇଥିଲେ ମଧ୍ୟ ଏସବୁ ଆଇନ ଲୋକଙ୍କୁ ସେସବୁ ସମ୍ବଳ ଉପରେ ମାଲିକାନା ଦେବାରେ ସଫଳ ହୋଇପାରିନି। ଚାଷରେ ନିୟୋଜିତ ଅଧିକାଂଶ ଲୋକ ଭୂମିହୀନ ରହିଥିବା ବେଳେ ଜଙ୍ଗଲ ଉପରେ ନିର୍ଭରଶୀଳ ଅଧିକାଂଶ ଲୋକଙ୍କର ତା’ଉପରେ କୌଣସି ମାଲିକାନା ନାହିଁ। ଦେଶରେ ଆର୍ଥିକ ଅସମାନତାର ଅନ୍ୟତମ କାରଣ ହେଉଛି କୃଷି କ୍ଷେତ୍ରରେ ବୃଦ୍ଧି ପାଉଥିବା ସଙ୍କଟ; ଯାହା କି ଦେଶର ସିଂହଭାଗ ଲୋକଙ୍କୁ ଗରିବ କରିବା ସହିତ ସେମାନଙ୍କ କ୍ରୟ କ୍ଷମତାକୁ ହ୍ରାସ କରିଚାଲିଛି। ତୃତୀୟତଃ ଦେଶରେ ଦରବୃଦ୍ଧି ତୁଳନାରେ ଶ୍ରମିକଙ୍କ ମଜୁରିରେ ଲଗାତର ହ୍ରାସ। ଚତୁର୍ଥତଃ ନବ ଉଦାର ଅର୍ଥନୀତିରେ ସରକାରମାନେ ପୁଞ୍ଜିର ସ୍ବାର୍ଥରେ ଶିକ୍ଷା, ସ୍ବାସ୍ଥ୍ୟସେବା ପରି ବିଭିନ୍ନ ସେବାର ଯେଉଁ ଘରୋଇକରଣ କଲେ ତାହା ଆର୍ଥିକ ବିଷମତାକୁ ଅନେକ ପରିମାଣରେ ବଢ଼ାଇଛି। ଶିକ୍ଷା, ସ୍ବାସ୍ଥ୍ୟସେବା, ପାନୀୟ ଜଳ ଆଦି ମୌଳିକ ସେବାମାନଙ୍କର ଘରୋଇକରଣ ହେବା ଫଳରେ ସରକାରୀ ବିନିଯୋଗ ହ୍ରାସ ସହ ଲୋକଙ୍କ ଖର୍ଚ୍ଚଭାର ବଢ଼ି ସେମାନଙ୍କ ଦାରିଦ୍ର୍ୟକୁ ବଢ଼ାଇଛି। ଦେଶରେ ଆର୍ଥିକ ବୈଷମ୍ୟର ଆଉ ଏକ କାରଣ ହେଉଛି ସରକାରଙ୍କ ଗରିବ ବିରୋଧୀ ତଥା ଧନୀ ସପକ୍ଷବାଦୀ ଟିକସ ବ୍ୟବସ୍ଥା।
ଆର୍ଥିକ ବୈଷମ୍ୟରେ ଏଭଳି ବୃଦ୍ଧି ନିଶ୍ଚିତ ରୂପେ ଚିନ୍ତାଜନକ। ଆମ ଦେଶରେ ସମ୍ବିଧାନ ପ୍ରଦତ୍ତ ସମାନତାର ବିଚାରକୁ ସାକାର କରିବାକୁ ହେଲେ ଆର୍ଥିକ ସମାନତା ଅତ୍ୟନ୍ତ ଜରୁରୀ। ସମାଜର ପଛୁଆ ଓ ଅବହେଳିତ ଲୋକଙ୍କୁ ଅନ୍ୟମାନଙ୍କ ସହ ସମାନ ସୁଯୋଗ ଓ ପ୍ରତିନିଧିତ୍ୱ ମିଳିବାକୁ ସୁନିଶ୍ଚିତ କରିବା ପାଇଁ ଆର୍ଥିକ ସମାନତାର ଏକ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଆର୍ଥିକ ଅସମାନତାରେ ଏଭଳି ବୃଦ୍ଧି ଦେଶର ଅର୍ଥନୀତିକୁ ଭୟଙ୍କର ଭାବେ ଯେ ପ୍ରଭାବିତ କରିପାରେ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।
ମୋ: ୯୪୩୭୧୬୬୩୯୧