ଚେନ୍ନାଇ,୨୫ା୨(ପି.ଟି.): ଚଳିତ ଟି୨୦ ବିଶ୍ୱକପ୍ର ସୁପର-୮ ପର୍ଯ୍ୟାୟର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଭାରତୀୟ ଦଳ ଗୁରୁବାର ଜିମ୍ବାଓ୍ବେକୁ ଭେଟିବାକୁ ଯାଉଛି। ଗତ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାଠାରୁ ବଡ଼ ପରାଜୟ ସମ୍ମୁଖୀନ ହୋଇଥିବା ଡିଫେଣ୍ଡିଂ ଚାମ୍ପିୟନ ଟିମ୍ ଇଣ୍ଡିଆକୁ ତା’ର ସେମିଫାଇନାଲ ଆଶା ଉଜ୍ଜୀବିତ ରଖିବା ପାଇଁ ଏହି ମ୍ୟାଚ୍ରେ ନିଶ୍ଚିତ ବିଜୟ ଦରକାର। ତେବେ ଟପ ଅର୍ଡର ବ୍ୟାଟରଙ୍କ ପ୍ରଦର୍ଶନ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି।
ପୂର୍ବରୁ ଇଶାନ କିଶନ ଓ ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିପାକ୍ଷିକ ଘରୋଇ ସିରିଜ୍କୁ ଭାରତ ସହଜରେ ଜିତି ନେଇଥିଲା। ହେଲେ ପେଟ ସଂକ୍ରମଣ ହେବା ପରଠାରୁ ଅଭିଷେକଙ୍କ ବ୍ୟାଟିଂ ପ୍ରଭାବିତ ହୋଇଛି। ଧିମା ପିଚ୍ ଓ ଅଫ ସ୍ପିନରଙ୍କ କାରଣରୁ ତାଙ୍କଠାରୁ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳୁନାହିଁ। ସେ ଏପର୍ଯ୍ୟନ୍ତ ୪ ମ୍ୟାଚ୍ରେ ୩.୭୫ ଆଭରେଜରେ ମାତ୍ର ୧୫ ରନ କରିଛନ୍ତି। ତାଙ୍କ ବ୍ୟତୀତ ତିଲକ ବର୍ମାଙ୍କ ଷ୍ଟ୍ରାଇକ୍ ରେଟ୍ ମଧ୍ୟ ଚିନ୍ତାର କାରଣ ପାଲିଛି। ଅବଶ୍ୟ ସେ ଫର୍ମରେ ଥିବା ଇଶାନ କିଶନଙ୍କୁ ଗୁରୁତ୍ୱପୂର୍ଣ୍ଣ ସମର୍ଥନ ଯୋଗାଇଛନ୍ତି। କିନ୍ତୁ ପାଓ୍ବରପ୍ଲେରେ ୧୧୮ ଷ୍ଟ୍ରାଇକ୍-ରେଟ୍ରେ ରନ କରିବା ଦଳକୁ ସହଯୋଗ କରୁ ନାହିଁ। ଅନ୍ୟପକ୍ଷରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟୁର୍ନାମେଣ୍ଟରେ ୧୮୦ ରନ କରିଛନ୍ତି। ହେଲେ ସେ ତାହା ୧୨୭ ଷ୍ଟ୍ରାଇକ-ରେଟ୍ରେ କରିଛନ୍ତି, ଯାହାକି ତାଙ୍କ କ୍ୟାରିୟର ଷ୍ଟ୍ରାଇକ୍ରେଟ ୧୬୧ଠାରୁ ଖୁବ କମ୍। ମଧ୍ୟକ୍ରମରେ ଶିବମ ଦୁବେ ଓ ହାର୍ଦ୍ଦିକ ପାଣ୍ଡ୍ୟା ଦ୍ରୁତ ଗତିରେ ରନ କରି ନ ଥିଲେ ଭାରତୀୟ ଦଳ ପ୍ରତ୍ୟେକ ମ୍ୟାଚ୍ରେ ସମ୍ମାନଜନକ ସ୍କୋର ଛିଡ଼ା କରିପାରି ନ ଥାନ୍ତା।
ସାମ୍ସନ ଫେରିବେ କି
ଟିମ୍ ସିଲେକ୍ସନରେ ସବୁଠୁ ବଡ଼ ପ୍ରଶ୍ନ ହେଉଛି ସଞ୍ଜୁ ସାମସନ ଫେରିବେ କି। ଭାରତୀୟ ଦଳର ଟପ୍ ଅର୍ଡରରେ ଅଭିଷେକ, ଇଶାନ ଓ ତିଲକଙ୍କ ରୂପେ ୩ ବାମହାତୀ ବ୍ୟାଟର ରହିଛନ୍ତି। ଏଥିଯୋଗୁ ଗତ ମ୍ୟାଚ୍ରେ ପ୍ରତିପକ୍ଷ ଦକ୍ଷିଣ ଆଫ୍ରିକା ପାଓ୍ବରପ୍ଲେରେ ଅଫ୍ ସ୍ପିନରଙ୍କୁ ଲଗାଇଥିଲେ, ଯାହା ଫଳରେ ଭାରତର ରନ ସ୍କୋରିଂ ହାର ହ୍ରାସ ପାଇଥିଲା। ଏଣୁ ସାମସନଙ୍କୁ ସାମିଲ କରିବା ଦ୍ୱାରା ଟପ ଅର୍ଡର ସମସ୍ୟା ଦୂର ହୋଇପାରେ। ହେଲେ କେରଳ ବ୍ୟାଟର ବର୍ତ୍ତମାନ ସେତେ ଭଲ ଫର୍ମରେ ନାହାନ୍ତି। ଜଣେ ସଂଘର୍ଷ କରୁଥିବା ବ୍ୟାଟରଙ୍କୁ କଷ୍ଟକର କାମ କରିବାକୁ ଦେବା ଦଳକୁ ବିପଦରେ ପକାଇପାରେ। ଏଭଳି ପରିସ୍ଥିତିରେ ଟିମ ମ୍ୟାନେଜମେଣ୍ଟ ବ୍ୟାଟିଂ ଅର୍ଡରରେ ପରିବର୍ତ୍ତନ କରିପାରେ। ନଂ-୩ରେ ସୂର୍ଯ୍ୟଙ୍କୁ ପଠାଇବା ଦ୍ୱାରା ଟପ୍ ଅର୍ଡରରେ ଜଣେ ଡାହାଣହାତୀ ବ୍ୟାଟର ଖେଳିପାରିବ। ଏହି କ୍ଷେତ୍ରରେ ତିଲକ ନଂ-୪ରେ ବ୍ୟାଟିଂ କରିପାରନ୍ତି। ଗତ ମ୍ୟାଚ୍ରେ ପ୍ଲେଇଂ ଇଲେଭେନରୁ ବାଦ୍ ପଡ଼ିଥିବା ଅକ୍ଷର ପଟେଲ ଏଥର ଦଳକୁ ଫେରିବେ ବୋଲି ଆଶା କରାଯାଉଛି।
ଗ୍ରାଉଣ୍ଡରେ ସର୍ବଦା ସ୍ପିନରଙ୍କୁ ଫାଇଦା ମିଳେ। ହେଲେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଏକ ବ୍ୟବହୃତ ପିଚ୍ରେ ଖେଳାଯିବ, ଯାହାକୁ ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ରେ ବ୍ୟବହାର କରାଯାଇଥିଲା। ପୂର୍ବାହ୍ନରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ସହଜରେ ୧୮୦ ରନର ଟାର୍ଗେଟକୁ ହାସଲ କରି ନେଇଥିଲା। ଜିମ୍ବାଓ୍ବେ ପାଖରେ ଗ୍ରେମ କ୍ରେମର, ସିକନ୍ଦର ରଜା ଓ ରିଆନ ବର୍ଲଙ୍କ ଭଳି ସ୍ପିନର ଅଛନ୍ତି। ବ୍ଲେସିଂ ମୁଜରବାନି, ରିଚାର୍ଡ ଏନଗରାଭା ଓ ବ୍ରାଡ ଇଭାନ୍ସଙ୍କୁ ନେଇ ଗଠିତ ପେସ ଆଟାକ ଭାରତୀୟ ବ୍ୟାଟିଂ ଲାଇନକୁ କଷ୍ଟକର ପ୍ରଶ୍ନ ପଚାରିପାରେ।
ସମ୍ଭାବ୍ୟ ଭାରତୀୟ ଦଳ: ଅଭିଷେକ ଶର୍ମା, ଇଶାନ କିଶନ(ଉଇକେଟକିପର), ତିଲକ ବର୍ମା/ସଞ୍ଜୁ ସାମସନ, ସୂର୍ଯ୍ୟକୁମାର ଯାଦବ, ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂ, ଅକ୍ଷର ପଟେଲ, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ବରୁଣ ଚକ୍ରବର୍ତ୍ତୀ।
ସମ୍ଭାବ୍ୟ ଜିମ୍ବାଓ୍ବେ ଦଳ: ବ୍ରିଆନ ବେନେଟ, ତାଦିଓ୍ବାନଶେ ମାରୁମାନି, ରିଆନ ବର୍ଲ, ସିକନ୍ଦର ରଜା, ଡିଅନ ମାୟର୍ସ, ଟୋନି ମୁନୟୋଙ୍ଗା, ତାଶିଙ୍ଗା ମୁସେକିଓ୍ବା, ବ୍ରାଡ ଇଭାନ୍ସ, ଗ୍ରେମ କ୍ରେମର/ଓ୍ବେଲିଂଟନ ମାସ୍କାଡଜା, ରିଚାର୍ଡ ଏନଗରଭା, ବ୍ଲେସିଂ ମୁଜରବାନୀ।