୧୮,୨୦୦ ହେକ୍ଟର ଜଙ୍ଗଲ ହରାଇଛି ଭାରତ

ନୂଆଦିଲ୍ଲୀ, ୨୨।୫ (ପି.ଟି.): ୨୦୨୪ରେ ଭାରତ ୧୮,୨୦୦ ହେକ୍ଟରର ପ୍ରାକୃତିକ ଜଙ୍ଗଲ ହରାଇଛି। ଗ୍ଲୋବାଲ ଫରେଷ୍ଟ ଓ୍ବାଚ୍‌ ଏବଂ ୟୁନିଭର୍ସିଟି ଅଫ୍‌ ମେରିଲାଣ୍ଡ ପକ୍ଷରୁ ଏ ସମ୍ପର୍କିତ କରାଯାଇଥିବା ଏକ ଅଧ୍ୟୟନର ରିପୋର୍ଟକୁ ବୁଧବାର ପ୍ରକାଶ କରାଯାଇଛି। ରିପୋର୍ଟ ଅନୁଯାୟୀ, ୨୦୨୩ରେ ଭାରତ ୧୭,୭୦୦ ହେକ୍ଟର ପ୍ରାକୃତିକ ଜଙ୍ଗଲ ହରାଇଥିଲା। ସେହିପରି ୨୦୦୧ରୁ ବର୍ତ୍ତମାନ ସୁଦ୍ଧା ଦେଶରେ ୨.୩୧ ମିଲିୟନ ହେକ୍ଟରର ବୃକ୍ଷ ପରିବେଷ୍ଟିତ କ୍ଷେତ୍ର ନଷ୍ଟ ହୋଇସାରିଛି। ଏହି ଅବଧି ମଧ୍ୟରେ ଦେଶର ବୃକ୍ଷ ପରିବେଷ୍ଟିତ କ୍ଷେତ୍ର ୭.୧% ହ୍ରାସ ଘଟିଛି, ଯାହା ୧.୨୯ ଗିଗାଟନ ଅଙ୍ଗାରକାମ୍ଳ ନିର୍ଗମନ ସହ ସମାନ ବୋଲି ଏହି ରିପୋର୍ଟ କହିଛି। ୨୦୦୨ରୁ ୨୦୨୪ ମଧ୍ୟରେ ଦେଶ ୩ ଲକ୍ଷ ୪୮ ହଜାର ହେକ୍ଟରର ଆଦର୍‌ର ପ୍ରାକୃତିକ ଜଙ୍ଗଲ ହରାଇଛି, ଯାହା ମୋଟ ଆଦର୍‌ର ପ୍ରାକୃତିକ ଜଙ୍ଗଲର ୫.୪% ରହିଛି। ୨୦୧୯ରୁ ୨୦୨୪ ମଧ୍ୟରେ ଭାରତ ୧ ଲକ୍ଷ ୩ ହଜାର ହେକ୍ଟରର ଆଦର୍‌ର ପ୍ରାକୃତିକ ଜଙ୍ଗଲ ହରାଇଛି, ଯାହା ଉକ୍ତ ଅବଧିରେ ନଷ୍ଟ ହୋଇଥିବା ବୃକ୍ଷ ପରିବେଷ୍ଟିତ କ୍ଷେତ୍ରର ୧୪% ହୋଇଥିବା ରିପୋର୍ଟ କହିଛି। ୨୦୨୨ରେ ଦେଶ ୧୬,୯୦୦ ହେକ୍ଟର, ୨୦୨୧ରେ ୧୮,୩୦୦ ହେକ୍ଟର, ୨୦୨୦ରେ ୧୭,୦୦୦ ହେକ୍ଟର, ୨୦୧୯ରେ ୧୪,୫୦୦ ହେକ୍ଟରର ଆଦର୍‌ର ପ୍ରାଥମିକ ଜଙ୍ଗଲ ହରାଇଛି। ଗ୍ଲୋବାଲ ଫରେଷ୍ଟ ଓ୍ବାଚ୍‌ର ଗବେଷକମାନେ ଲ୍ୟାଣ୍ଡସାଟ୍‌ ସାଟେଲାଇଟ ଚିତ୍ର ଏବଂ ପ୍ରତ୍ୟେକ ଅଞ୍ଚଳ ପାଇଁ ସ୍ବତନ୍ତ୍ର ଆଲ୍‌ଗୋରିଦମର ବ୍ୟବହାର କରି ଭାରତର ବିଭିନ୍ନ ଜଙ୍ଗଲକୁ ଚିହ୍ନଟ କରି ଏହି ଅଧ୍ୟୟନ କରିଛନ୍ତି।