ନୂଆଦିଲ୍ଲୀ,୭।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ ଫାଇନାଲ ପୂର୍ବରୁ ଭାରତୀୟ ଟିମ୍କୁ ଲାଗିଛି ବଡ଼ ଝଟ୍କା। ସେମିଫାଇନାଲ ମୁକାବିଲାରେୀ ଆହତ ହେବା ପରଠାରୁ ନ୍ୟୁଜିଲ୍ୟାଣ୍ଡର ଦ୍ରୁତ ବୋଲର ମ୍ୟାଟ ହେନରୀ ଖେଳି ନ ପାରନ୍ତି ବୋଲି କୁହାଯାଉଥିଲା। ହେଲେ ଏବେ ତାଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ନ୍ୟୁଜିଲ୍ୟାଣ୍ଡର ମୁଖ୍ୟ ପ୍ରଶିକ୍ଷକ ଗ୍ୟାରି ଷ୍ଟିଡ ସୂଚନା ଦେଇଛନ୍ତି ଯେ ହେନରୀ ଦଳରେ ଯୋଗ ଦେଇଛନ୍ତି। ସେ ନେଟ୍ସରେ ବୋଲିଂ ମଧ୍ୟ ଆରମ୍ଭ କରିଛନ୍ତି। ହେଲେ ସେ ଫାଇନାଲ ମ୍ୟାଚ ଖେଳିବା କିମ୍ବା ନ ଖେଳିବା ପ୍ରସଙ୍ଗରେ ଏବେ କିଛି କୁହାଯାଇପାରିବ ନାହିଁ ବୋଲି ସେ କହିଛନ୍ତି।
ଚାମ୍ପିଅନ୍ସ ଟ୍ରଫି ଫାଇନାଲ ପୂର୍ବରୁ ଏକ ଖବରଦାତା ସମ୍ମିଳନୀରେ ପ୍ରଶିକ୍ଷକ ଗ୍ୟାରି ଷ୍ଟିଡ କହିଥିଲେ ଯେ ଦଳ ଆଶାବାଦୀ ଯେ ହେନରୀ ମ୍ୟାଚ ପାଇଁ ଫିଟ୍ ହୋଇଯିବେ। ତାଙ୍କ କାନ୍ଧର ତଳ ଭାଗରେ ଏବେ ବି ଯନ୍ତ୍ରଣା ହେଉଛି। ତାଙ୍କର ଉପଲବ୍ଧତା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ହେନରୀ ନେଟ୍ସରେ ବୋଲିଂ ଆରମ୍ଭ କରିସାରିଛନ୍ତି। ଏହା ଦଳ ପାଇଁ ଶୁଭଙ୍କର ଆମେ ତାଙ୍କର ସ୍କାନ କରାଇଛୁ । ଆମେ ତାଙ୍କୁ ଏହି ମ୍ୟାଚ ଖେଳିବା ପାଇଁ ସମସ୍ତ ସୁଯୋଗ ଦେବୁ। କିନ୍ତୁ ଏପର୍ଯ୍ୟନ୍ତ କିଛି ନିଶ୍ଚିତ ହୋଇନାହିଁ ବୋଲି ସେ କହିଛନ୍ତି।
ବୁଧବାର ଦକ୍ଷିଣ ଆଫ୍ରିକା ବିପକ୍ଷ ସେମିଫାଇନାଲରେ ହେନରୀଙ୍କ କାନ୍ଧରେ ଆଘାତ ଲାଗିଥିଲା। ଯଦିଓ ସେ ଯିବା ପରେ ପୁଣି ପଡ଼ିଆକୁ ଫେରି ଆସିଥିଲେ, ଅଧିନାୟକ ସାଣ୍ଟନର ତାଙ୍କ ଅବସ୍ଥା ବିଷୟରେ କହିଥିଲେ ଯେ ତାଙ୍କ କାନ୍ଧ ଏବେ ବି ଯନ୍ତ୍ରଣା କରୁଛି । ଦଳକୁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ କିଛି ଦିନ ଅପେକ୍ଷା କରିବାକୁ ପଡିବ।
କହିରଖୁଛୁ,ହେନରୀ ଟିମ ଇଣ୍ଡିଆ ପାଇଁ ବିପଜ୍ଜନକ କାରଣ ତାଙ୍କର ଲାଇନ-ଲେନ୍ଥ ଏବଂ ଗତି ସର୍ବଦା ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧାରେ ପକାଏ। ଯଦି ଆମେ ୨୦୨୩ ଆରମ୍ଭରୁ ଏଯାବତର ପରିସଂଖ୍ୟାନ ଉପରେ ନଜର ପକାଇବା, ତେବେ ଏହି ଖେଳାଳି ହେଉଛନ୍ତି ସବୁଠାରୁ ଅଧିକ ଅନ୍ତର୍ଜାତୀୟ ଉଇକେଟ ନେଇଥିବା ବୋଲର। ସେ ୬୬ ଇନିଂସରେ ୧୩୬ଟି ଆନ୍ତର୍ଜାତୀୟ ଉଇକେଟ ନେଇଛନ୍ତି। ଏହା ସ୍ପଷ୍ଟ ଯେ ଟିମ ଇଣ୍ଡିଆ କେବେ ଚାହିଁବ ନାହିଁ ଯେ ହେନରୀ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ପାଇଁ ଫିଟ୍ ହୁଅନ୍ତୁ।