Categories: Home Leftଖେଳ

ସ୍ଲୋ ଓଭର ରେଟ୍‌ ବୋଲିଂ ପାଇଁ ଭାରତକୁ ଜରିମାନା

ସିଡ୍‌ନୀ, ୧୦ା୧୨ (ପି.ଟି.)-ଏଠାରେ ମଙ୍ଗଳବାର ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ରେ ସ୍ଲୋ ଓଭର-ରେଟ୍‌ ବୋଲିଂ ପାଇଁ ଭାରତୀୟ କ୍ରିକେଟ ଦଳକୁ ଏହାର ମ୍ୟାଚ୍‌ ଫି’ର ୨୦ ପ୍ରତିଶତ ଜରିମାନା ହୋଇଛି। ବୋଲିଂ ପାଇଁ ରହିଥିବା ଟର୍ଗେଟ୍‌ ସମୟ ଭିତରେ ଭାରତୀୟ ଦଳ ଗୋଟିଏ ଓଭର ପଛରେ ରହିଯାଇଥିଲା। ଏହାଦ୍ୱାରା ଦଳ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଆଚରଣ ସଂହିତାର ଅନୁଚ୍ଛେଦ ୨.୨୨ର ଉଲ୍ଲଂଘନ କରିଥିଲା। ଅଧିନାୟକ ବିରାଟ କୋହଲି ଭୁଲ୍‌ ମାନିଯିବାରୁ ଆନୁଷ୍ଠାନିକ ଶୁଣାଣିର ଆବଶ୍ୟକ ପଡ଼ି ନ ଥିଲା। ଅନ୍‌-ଫିଲ୍ଡ ଅମ୍ପାୟର ରଡ୍‌ ଟକ୍କର, ଜେରାର୍ଡ ଆବୁଡ୍‌, ଟିଭି ଅମ୍ପାୟର ପଲ୍‌ ଓ୍ବିଲସନ ଏବଂ ଚତୁର୍ଥ ଅମ୍ପାୟର ସାମ୍‌ ନୋଗାଜସ୍କି ସ୍ଲୋ ଓଭର-ରେଟ୍‌ ପାଇଁ ଭାରତୀୟ ଦଳ ବିପକ୍ଷରେ ରିପୋର୍ଟ କରିଥିଲେ। ମଙ୍ଗଳବାର ଅନୁଷ୍ଠିତ ତୃତୀୟ ଅନ୍ତର୍ଜାତୀୟ ଟି୨୦ରେ ଭାରତ ୧୨ରନରେ ପରାଜିତ ହୋଇଥିଲା କିନ୍ତୁ ୩ ମ୍ୟାଚ ବିଶିଷ୍ଟ ସିରିଜ ୨-୧ରେ ଜିତିଥିଲା।