‘ନା ଆମେ ପାକିସ୍ତାନୀ ଥିଲୁ, ନା ଅଛୁ, ନା କେବେ ହେବୁ…ଆମେ ହେଉଛୁ ଭାରତର ମୁକୁଟ’ 

ଶ୍ରୀନଗର,୪।୫: ଜମ୍ମୁ ଏବଂ କଶ୍ମୀର ନ୍ୟାସନାଲ କନଫରେନ୍ସ (ଜେକେଏନ୍‌ସି) ସଭାପତି ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ଫାରୁକ ଅବଦୁଲ୍ଲା ଶନିବାର ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଜମ୍ମୁ ଏବଂ କାଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏଠାକାର ଲୋକମାନେ କେବେବି ଆତଙ୍କବାଦକୁ ସମର୍ଥନ କରିନାହାନ୍ତି। ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ମୁଖ୍ୟ ମେହବୁବା ମୁଫତିଙ୍କ ସାମ୍ପ୍ରତିକ ବୟାନ ଉପରେ ପ୍ରତିକ୍ରିୟା ଦେଇ ଫାରୁକ କହିଛନ୍ତି ଯେ ମେହବୁବାଙ୍କ ସମସ୍ତ କଥାର ଉତ୍ତର ଦେବା ଭଲ ହେବ ନାହିଁ। ମୁଁ କେବଳ ଏତିକି କହିବି ଯେ ଏପରି କଥା କୁହନ୍ତୁ ନାହିଁ। ଆମେ କେବେ ଆତଙ୍କବାଦ ସହିତ ନ ଥିଲୁ, ଆମେ ପାକିସ୍ତାନୀ ନ ଥିଲୁ, ନା ଏବେ ଆମେ ଅଛୁ ଏବଂ କେବେ ହେବୁ ମଧ୍ୟ ନାହିଁ। ଆମେ ଭାରତର ଏକ ଅବିଚ୍ଛେଦ୍ୟ ଅଂଶ ଏବଂ ଭାରତର ମୁକୁଟ।
ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ପର୍ଯ୍ୟଟକଙ୍କ ମୃତ୍ୟୁ, ବିଶେଷକରି ଜଣେ ନବବିବାହିତା ମହିଳାଙ୍କ ସ୍ବାମୀଙ୍କ ମୃତ୍ୟୁରେ ସେ ଭାବପ୍ରବଣ ହୋଇ କହିଲେ, ଆମେ ନବବିବାହିତା କନ୍ୟାର ଯନ୍ତ୍ରଣା ମଧ୍ୟ ଅନୁଭବ କରୁଛୁ। ସମସ୍ତେ ଯେତେ କାନ୍ଦିଛନ୍ତି, ଆମେ ମଧ୍ୟ ସେତିକି କାନ୍ଦିଛୁ। ଆମେ ମଧ୍ୟ ଏହା ଭାବି ଶୋଇ ପାରିଲୁ ନାହିଁ ଯେ ମାନବତାକୁ ହତ୍ୟା କରୁଥିବା ଏପରି ନିଷ୍ଠୁର ଲୋକମାନେ ଏବେ ବି ବଞ୍ଚିଛନ୍ତି।
ଆହୁରି ପଢ଼ନ୍ତୁ…
ଫାରୁକ ଅବଦୁଲ୍ଲା ଆତଙ୍କବାଦୀମାନଙ୍କୁ ଏକ କଡ଼ା ବାର୍ତ୍ତା ଦେଇ କହିଛନ୍ତି, ଯେଉଁମାନେ ଭାବୁଛନ୍ତି ଯେ ଆକ୍ରମଣ କରି ସେମାନେ ଜିତିବେ, ସେମାନେ ଜାଣିବା ଉଚିତ ଯେ ସେମାନେ କେବେ ଜିତିପାରିବେ ନାହିଁ। ଏହି ବଳିଦାନ ବ୍ୟର୍ଥ ଯିବ ନାହିଁ। ଦେଶ ଏହାର ଉତ୍ତର ଦେବ। ସମଗ୍ର ଭାରତ, ଜମ୍ମୁ-କାଶ୍ମୀର ଏବଂ ଆତଙ୍କବାଦର ଶିକାର ହୋଇଥିବା ବିଶ୍ୱର ସମସ୍ତ ଦେଶ ସମସ୍ତ ପୀଡିତଙ୍କ ସହିତ ଠିଆ ହୋଇଛନ୍ତି।
ଆହୁରି ପଢ଼ନ୍ତୁ…
ଏହା ପରେ ସେ କହିଥିଲେ ଯେ ସବୁଠାରୁ ବଡ଼ ବାର୍ତ୍ତା ହେଉଛି ପର୍ଯ୍ୟଟକମାନେ ଭୟଭୀତ ନୁହନ୍ତି। ଯେଉଁମାନେ ଭୟ ପ୍ରସାର କରିବାକୁ ଚାହୁଁଥିଲେ ସେମାନେ ହାରିଗଲେ। ସେହି ଆତଙ୍କବାଦୀମାନେ ପରାଜିତ ହୋଇଛନ୍ତି। ଆଜି ଏହା ପ୍ରମାଣିତ ହୋଇଛି।