ଭାରତ-EU ମୁକ୍ତ ବାଣିଜ୍ୟ ଚୁକ୍ତି: କେଉଁ ରାଜ୍ୟକୁ ମିଳିବ କେତେ ଫାଇଦା? ଜାଣନ୍ତୁ

ନୂଆଦିଲ୍ଲୀ,୨୭।୧: ଭାରତ ଏବଂ ୟୁରୋପୀୟ ସଂଘ (EU) ମଧ୍ୟରେ ସ୍ୱାକ୍ଷରିତ ହୋଇଛି ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି (FTA)। ଏହି ଚୁକ୍ତି ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି । ଏହି ଚୁକ୍ତି ଦ୍ୱାରା ଭାରତରୁ ୟୁରୋପକୁ ହେଉଥିବା ରପ୍ତାନିରେ ୬.୪ ଲକ୍ଷ କୋଟି ଟଙ୍କାର ବୃଦ୍ଧି ଘଟିବ ବୋଲି ବାଣିଜ୍ୟ ମନ୍ତ୍ରଣାଳୟ ଆକଳନ କରିଛି । ଏହି ଚୁକ୍ତି ଅନ୍ତର୍ଗତ ୯,୪୨୫ଟି ଉତ୍ପାଦ ଉପରୁ ଆମଦାନୀ ଶୁଳ୍କ ହଟାଇ ଦିଆଯାଇଛି, ଯାହା ଭାରତର ବିଭିନ୍ନ ରାଜ୍ୟ ପାଇଁ ସମୃଦ୍ଧିର ଦ୍ୱାର ଖୋଲିବ ।

କେଉଁ ରାଜ୍ୟକୁ ମିଳିବ କେତେ ଫାଇଦା:
ମହାରାଷ୍ଟ୍ର: ପୋଷାକ ଶିଳ୍ପ ଉପରେ ଥିବା ୧୨% ଏବଂ ଇଲେକ୍ଟ୍ରୋନିକ୍ସ ଉପରେ ଥିବା ୧୪% ଶୁଳ୍କ ହଟିବା ଦ୍ୱାରା ଇଚଲକରଞ୍ଜୀ, ପୁଣେ ଏବଂ ମୁମ୍ବାଇର ଇଞ୍ଜିନିୟରିଂ ଓ ଫାର୍ମା ହବ୍ ଉପକୃତ ହେବେ ।

ଗୁଜରାଟ: ସୁରଟର କପଡ଼ା ଓ ହୀରା ଶିଳ୍ପ ସହ ଭରୁଚ ଏବଂ ବଦୋଦରାର କେମିକାଲ ଉଦ୍ୟୋଗ ପାଇଁ ରପ୍ତାନି ସୁଯୋଗ ବଢ଼ିବ । ରାଜକୋଟର ଇଞ୍ଜିନିୟରିଂ ଏବଂ ବେରାଭାଲର ସାମୁଦ୍ରିକ ଉତ୍ପାଦ ରପ୍ତାନିରେ ବୃଦ୍ଧି ଘଟିବ ।

ତାମିଲନାଡୁ: ତିରୁପୁରର ଟେକ୍ସଟାଇଲ୍ ଏବଂ ଭେଲୋର-ଅମ୍ବୁରର ଚମଡ଼ା ଓ ଜୋତା ଶିଳ୍ପ ଉପରୁ ଯଥାକ୍ରମେ ୧୨% ଓ ୧୭% ଶୁଳ୍କ ହଟିବା ଦ୍ୱାରା ବ୍ୟବସାୟୀମାନେ ବିଶେଷ ଲାଭବାନ ହେବେ ।

ପଶ୍ଚିମବଙ୍ଗ: ଉତ୍ତର ବଙ୍ଗର ଦାର୍ଜିଲିଂ ଚା’ ଏବଂ ଦୀଘା-ହଳଦିଆର ସାମୁଦ୍ରିକ ଖାଦ୍ୟ ପାଇଁ ୟୁରୋପୀୟ ବଜାର ପ୍ରଶସ୍ତ ହେବ । ପୂର୍ବରୁ ସାମୁଦ୍ରିକ ଖାଦ୍ୟ ଉପରେ ଲାଗୁଥିବା ୨୬% ଶୁଳ୍କ ଏବେ ହ୍ରାସ ପାଇବ ।

ଉତ୍ତର ପ୍ରଦେଶ: କାନପୁର ଓ ଆଗ୍ରାର ଚମଡ଼ା ଜୋତା, ସହାରନପୁରର ଆସବାବପତ୍ର ଏବଂ ନୋଏଡାର ଇଲେକ୍ଟ୍ରୋନିକ୍ସ ହବ୍ ପାଇଁ ଏହା ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ଆସାମ ଓ କେରଳ: ଆସାମର ଚା’, ମସଲା ଓ ବାଉଁଶ ଶିଳ୍ପ ସହ କେରଳର କୋଚି ଓ ଆଲାପୁଝାର ମାଛ ରପ୍ତାନି ଏବଂ ଇଡୁକ୍କିର ଗୋଲମରିଚ ଓ ଅଳେଇଚ ବ୍ୟବସାୟରେ ବ୍ୟାପକ ଅଭିବୃଦ୍ଧି ହେବ ।

ରାଜସ୍ଥାନ, ପଞ୍ଜାବ ଓ କର୍ଣ୍ଣାଟକ: ଜୟପୁରର ଅଳଙ୍କାର, ଯୋଧପୁରର ହସ୍ତଶିଳ୍ପ, ଲୁଧିଆନାର ବୁଣାକାର ଶିଳ୍ପ ଏବଂ ବେଙ୍ଗାଲୁରୁର ଫାର୍ମା ଓ ଆଇଟି ସେକ୍ଟର ପାଇଁ EU ବଜାରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହେବ ।