ଅଷ୍ଟ୍ରେଲିଆକୁ ହରାଇ ଭାରତ ଫାଇନାଲରେ

କଲମ୍ବୋ,୨୨ା୧୧ : ସ୍ଥାନୀୟ ପି. ସାରାଭାନାମୁଟ୍ଟୁ ଷ୍ଟାଡିୟମରେ ଅଷ୍ଟ୍ରେଲିଆକୁ ୯ ଉଇକେଟରେ ପରାସ୍ତ କରି ଭାରତ ଦୃଷ୍ଟିବାଧିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ର ଫାଇନାଲରେ ପ୍ରବେଶ କରିଛି। ରବିବାର ଫାଇନାଲରେ ଦଳ ନେପାଳକୁ ଭେଟିବ। ନେପାଳ ଅନ୍ୟ ସେମିଫାଇନାଲରେ ପାକିସ୍ତାନକୁ ୭ ଉଇକେଟରେ ହରାଇ ଦେଇଛି।

ଶନିବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ ହରାଇ ୧୦୯ ରନ କରିଥିଲା। ଦଳର ଟପ୍‌ ସ୍କୋରର ଜାନାକାନ ବୁଆଖାଓ ୩୪ ରନ କରିଥିଲେ। ଅଷ୍ଟ୍ରେଲିଆର ୬ଜଣ ବ୍ୟାଟର ରନଆଉଟ ହୋଇଥିଲେ। ଭାରତର ସିମରନଜିତ୍‌ କୌର ତାଙ୍କ ୨ ଓଭର ବୋଲିଂରେ ମାତ୍ର ୬ରନ ଦେଇ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ଭାରତ ୧୧.୫ ଓଭରରେ ୧ ଉଇକେଟ ବିନିମୟରେ ୧୧୨ ରନ୍‌ କରିଥିଲା। ଦଳର ଟପ୍‌ ସ୍କୋରର ତଥା ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବାସନ୍ତୀ ହାଁସଦା ୪୫ରନ କରିଥିବା ବେଳେ ଗଙ୍ଗା କଦମ ଓ କେ. କରୁଣା ଯଥାକ୍ରମେ ୪୧ ଓ ୧୬ ରନ କରି ଅପରାଜିତ ରହିଥିଲେ।