Categories: Home Leftଖେଳ

ଜର୍ମାନୀକୁ ହରାଇ ଶୀର୍ଷରେ ଭାରତ

ରାଉରକେଲା ଅଫିସ, ଭୁବନେଶ୍ୱର(କ୍ରୀଡ଼ା ପ୍ରତିନିଧି), ୧୪।୩: ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ପ୍ରୋଲିଗ୍‌ରେ ଭାରତ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ସୋମବାର ଅନୁଷ୍ଠିତ ମ୍ୟାଚରେ ଘରୋଇ ଦଳ ବିଶ୍ୱ ଚାମ୍ପିୟନ ଜର୍ମାନୀକୁ ୬-୩ ଗୋଲରେ ପରାସ୍ତ କରିଛି। ଚଳିତ ଲିଗ୍‌ରେ ଜର୍ମାନୀ ବିପକ୍ଷରେ ଭାରତର ଏହା ଦ୍ୱିତୀୟ ଏବଂ କ୍ରମାଗତ ତୃତୀୟ ବିଜୟ। ୧୦ ତାରିଖରେ ନିଜର ପ୍ରଥମ ମ୍ୟାଚରେ ଜର୍ମାନୀକୁ ୩-୨ ଗୋଲରେ ହରାଇଥିବା ଭାରତ ରବିବାର ଅଷ୍ଟ୍ରେଲିଆକୁ ୫-୪ ଗୋଲରେ ପରାସ୍ତ କରିଥିଲା। ଏଥିସହ ଭାରତ ପଏଣ୍ଟ ଟେବୁଲର ଶୀର୍ଷକୁ ଉନ୍ନୀତ ହୋଇଛି। ଭାରତ ୭ ମ୍ୟାଚରୁ ୧୭ ଏବଂ ସ୍ପେନ୍‌ ୮ ମ୍ୟାଚରୁ ୧୭ ପଏଣ୍ଟ ପାଇଛି। ତେବେ ଗୋଲ ବ୍ୟବଧାନରେ ଭାରତ ଆଗରେ ରହିଛି। ଆର୍ଜେଣ୍ଟିନା ୧୩ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛି।
ସୋମବାର ମ୍ୟାଚରେ ଜର୍ମାନୀ ଆକ୍ରମଣାତ୍ମକ ଆଭିମୁଖ୍ୟ ନେଇ ଖେଳ ଆରମ୍ଭ କରିଥିଲେ ହେଁ ପରେ ଭାରତ ମ୍ୟାଚକୁ ନିଜ ନିୟନ୍ତ୍ରଣରେ ରଖିବାରେ ସକ୍ଷମ ହୋଇଥିଲା। ୩ୟ ମିନିଟରେ ଟମ୍‌ ଗ୍ରାମ୍‌ବୁଶ୍ଚ ପେନାଲ୍ଟି କର୍ନରରୁ ଏକ ଗୋଲ ଦେଇ ଜର୍ମାନୀକୁ ଅଗ୍ରଣୀ କରିଥିଲେ। ପ୍ରଥମ କ୍ୱାର୍ଟରରେ ଭ୍ରମଣକାରୀ ଦଳ ଅଗ୍ରଣୀ ରହିଥିବାବେଳେ ଦ୍ୱିତୀୟ କ୍ୱାର୍ଟରରେ ଭାରତ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା। ୨୧ତମ ମିନିଟରେ ଯୁଗରାଜ ସିଂ ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ମ୍ୟାଚକୁ ସମାନ ସ୍ତରକୁ ନେଇ ଆସିଥିଲେ। ୨୨ତମ ମିନିଟରେ ଅଭିଷେକ ଏକ ଗୋଲ ଦେଇ ଭାରତକୁ ଅଗ୍ରଣୀ କରିଥିବାବେଳେ ୨୩ତମ ମିନିଟରେ ଗୋଞ୍ଜାଲୋ ପିଲାଟ ଗୋଲ ପରିଶୋଧ କରିବାରୁ ମ୍ୟାଚ ୨-୨ ସ୍ଥିତିକୁ ଚାଲି ଆସିଥିଲା। ତେବେ ୨୪ତମ ମିନିଟରେ ସେଲଭାମ୍‌ କାର୍ଥି ଓ ୨୬ତମ ମିନିଟରେ ଅଧିନାୟକ ହରମନପ୍ରୀତ ସିଂ ଗୋଟିଏ ଲେଖାଏ ଗୋଲ ଦେବାରୁ ପ୍ରଥମାର୍ଦ୍ଧ ଶେଷ ବେଳକୁ ଭାରତ ୪-୨ ଗୋଲରେ ଅଗ୍ରଣୀଲାଭ କରିଥିଲା। ତୃତୀୟ କ୍ୱାର୍ଟର ଆରମ୍ଭ ହେବା କ୍ଷଣି ଅର୍ଥାତ୍‌ ୩୧ତମ ମିନିଟରେ ମାଲ୍‌ଟେ ହେଲଓ୍ବିଗ୍‌ ଗୋଟିଏ ଗୋଲ ଦେଇ ମ୍ୟାଚରେ ଉଷ୍ମତା ଭରିଥିଲେ। ମାତ୍ର ୪ର୍ଥ କ୍ୱାର୍ଟରରେ ଭାରତ ୨ଟି ଗୋଲ ଦେବା ସହ ବଡ଼ ବିଜୟ ହାସଲ କରିଥିଲା। ୪୬ତମ ମିନିଟରେ କାର୍ଥି ଏବଂ ୫୧ତମ ମିନିଟରେ ଅଭିଷେକ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ।