ଦୁବାଇ,୧୧ା୯: ଚଳିତ ଏସିଆ କପ୍ ଟି୨୦ ଟୁର୍ନାମେଣ୍ଟରେ ବୁଧବାର ଖେଳାଯାଇଥିବା ଲିଗ୍ ମ୍ୟାଚ୍ରେ ଡିଫେଣ୍ଡିଂ ଚାମ୍ପିୟନ ଭାରତ ଅତି ସହଜରେ ଆୟୋଜକ ୟୁନାଇଟେଡ୍ ଆରବ ଏମିରେଟ୍ସ(ୟୁଏଇ)କୁ ୯ ଉଇକେଟରେ ପରାସ୍ତ କରିଦେଇଛି। ପ୍ରଥମେ ବ୍ୟାଟିଂ କରିଥିବା ୟୁଏଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୩.୧ ଓଭରରେ ୫୭ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ୫୮ ରନ୍ର ଛୋଟିଆ ଟାର୍ଗେଟ୍କୁ ଭାରତ ମାତ୍ର ୪.୩ ଓଭରରେ(୨୭ ବଲ୍ରେ) ୧ ଉଇକେଟ ହାରାଇ ଲକ୍ଷ୍ୟ ହାସଲ କରି ନେଇଥିଲା। ଭାରତ ତା’ର ପରବର୍ତ୍ତୀ ମ୍ୟାଚ୍ରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ଭାରତର ଫର୍ମ ପାକିସ୍ତାନକୁ କଡ଼ା ଚେତାବନୀ ସଦୃଶ ହୋଇଛି।
ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ୟୁଏଇ ୧୩.୧ ଓଭରରେ ୫୭ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଏହା ଏସିଆ କପ୍ ଟି୨୦ ଟୁର୍ନାମେଣ୍ଟ ଇତିହାସର ଦ୍ୱିତୀୟ ସର୍ବନିମ୍ନ ଦଳଗତ ସ୍କୋର ଏବଂ ଅନ୍ତର୍ଜାତୀୟ ଟି୨୦ରେ ଏହା ୟୁଏଇର ସର୍ବନିମ୍ନ ସ୍କୋର। ତେବେ ଟୁର୍ନାମେଣ୍ଟ ଇତିହାସରେ ସର୍ବନିମ୍ନ ସ୍କୋର କରିବାର ରେକର୍ଡ ହଂକଂ ନାମରେ ରହିଛି। ହଂକଂ ଦଳ ୨୦୨୨ ସଂସ୍କରଣରେ ପାକିସ୍ତାନ ବିପକ୍ଷରେ ୩୮ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଘରୋଇ ଦଳ ପାଇଁ ଦୁଇ ଓପ୍ନର ଆଲିଶାନ ଶାରାଫୁ ୨୨ ଓ ଅଧିନାୟକ ମହମ୍ମଦ ଓ୍ବାସିମ ୧୯ ରନ୍ କରିଥିଲେ। ଏମାନଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟର ଦୁଇଅଙ୍କ ସ୍କୋର ଛୁଇଁପାରି ନ ଥିଲେ। ଭାରତ ପାଇଁ କୁଲଦୀପ ଯାଦବ ୪ ଓ ଶିବମ୍ ଦୁବେ ୩ ଉଇକେଟ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ ଓ ଯଶ୍ପ୍ରୀତ ବୁମ୍ରା ଗୋଟିଏ ଲେଖାଏ ଉଇକେଟ ହାତେଇଥିଲେ। ଜବାବରେ ଭାରତକୁ ଅଭିଷେକ ଶର୍ମା ଓ ଶୁବମନ ଗିଲ୍ ବିସ୍ଫୋରକ ଆରମ୍ଭ ପ୍ରଦାନ କରିଥିଲେ। ଦୁହେଁ ୩.୫ ଓଭରରେ ୪୮ ରନ୍ କରିଥିଲେ। ଏକମାତ୍ର ବ୍ୟାଟର ଭାବେ ଅଭିଷେକ ୧୬ ବଲ୍ରେ ୨ ଚୌକା ଓ ୩ ଛକା ସହିତ ୩୦ ରନ୍ କରି ପାଭିଲିୟନ ଫେରିଥିଲେ। ତାଙ୍କ ବଳରେ କ୍ରିଜ୍କୁ ଓହ୍ଲାଇଥିବା ଅଧିନାୟକ ସୂର୍ଯ୍ୟକୁମାର ୭ ଓ ଗିଲ୍ ୨୦ (୨ ଚୌକା ଓ ୧ ଛକା) ରନ୍କରି ମ୍ୟାଚ୍ ଫିନିଶ୍ କରିଥିଲେ। ୟୁଏଇ ପକ୍ଷରୁ ଜୁନେଦ୍ ସିଦ୍ଦିକି ଏକମାତ୍ର ଉଇକେଟ ନେଇଥିଲେ।