ବିବାଦୀୟ ସ୍ଥାନରୁ ସେନା ପ୍ରତ୍ୟାହାର କଲା ଭାରତ, ଚାଇନା

ଲଦାଖ,୮।୯: ଭାରତ ଓ ଚାଇନା ସେନା ମଧ୍ୟରେ ଷୋଡ଼ଶ ପର୍ଯ୍ୟାୟ କମାଣ୍ଡରସ୍ତରୀୟ ଆଲୋଚନା ପରେ ପୂର୍ବ ଲଦାଖ ଅନ୍ତର୍ଗତ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ରହିଥିବା ଗୋଗ୍ରା-ହଟ୍‌ ସ୍ପ୍ରିଙ୍ଗ୍‌ (ପିପି-୧୫) ଅଞ୍ଚଳରୁ ଉଭୟ ପକ୍ଷ ସେମାନଙ୍କ ସୈନ୍ୟ ପ୍ରତ୍ୟାହାର ଆରମ୍ଭ କରିଛନ୍ତି। ସମନ୍ବିତ ଓ ଯୋଜନାବଦ୍ଧ ଭାବେ ଦୁଇଦେଶର ସୈନ୍ୟଙ୍କୁ ଫେରାଇ ନିଆଯାଉଛି। ଏହା ସୀମାନ୍ତ ଅଞ୍ଚଳରେ ସ୍ଥାୟୀ ଶାନ୍ତି ଓ ସ୍ଥିରତା ବଜାୟ ରଖିବାରେ ସହାୟକ ହେବ ବୋଲି ଭାରତ ଓ ଚାଇନା ପକ୍ଷରୁ ମିଳିତ ବିବୃତିରେ କୁହାଯାଇଛି। ୨୦୨୦ ଏପ୍ରିଲ୍‌-ମେ’ରେ ଚାଇନା ସୈନ୍ୟ ପୂର୍ବ ଲଦାଖର ଏକାଧିକ ସ୍ଥାନରେ ଜବରଦସ୍ତ ଅନୁପ୍ରବେଶ କରିବାରୁ ଉଭୟ ସେନା ମଧ୍ୟରେ ମୁହଁାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହା ପରେ ଉଭୟ ସାମରିକ ଓ କୂଟନୈତିକ ସ୍ତରରେ ଏକାଧିକ ପର୍ଯ୍ୟାୟ ଆଲୋଚନା ହୋଇ ପଙ୍ଗଓଙ୍ଗ ସୋ’ର ଉତ୍ତର ଓ ଦକ୍ଷିଣ ପାର୍ଶ୍ୱ ଏବଂ ଗଲଓ୍ବାନର କେତେକ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତି ହୋଇଥିଲା। ମୋଟାମୋଟି ଭାବେ ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ପାଇଁ ଲଦାଖ ସମସ୍ୟାର ସ୍ଥାୟୀ ସମାଧାନ ଉପରେ ଭାରତ କ୍ରମାଗତ ଭାବେ ଜୋର୍‌ ଦେଇଆସିଛି। ଏହା ସତ୍ତ୍ୱେ ଚାଇନା ସୈନ୍ୟମାନେ ଅନେକ ସମୟରେ ସ୍ଥିତିକୁ ଅଧିକ ଜଟିଳ କରିଛନ୍ତି। ନିକଟରେ ପୂର୍ବ ଲଦାଖର ଡେମ୍‌ଚୋକ୍‌ ଅଞ୍ଚଳକୁ ଯାଇଥିବା ଭାରତୀୟ ଗୋଚାରଣକାରୀଙ୍କୁ ଚାଇନା ସୈନ୍ୟ ଅଟକାଇଥିଲେ।

Share