ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ ପୁଣି ଥରେ ସ୍ବାଭାବିକ ହେବାକୁ ଯାଉଛି। ଦୁଇ ଦେଶ ମଧ୍ୟରେ ବ୍ୟାପାର, ପର୍ଯ୍ୟଟନ ଏବଂ ଯାତ୍ରୀଙ୍କ ଯାତାୟାତକୁ ସହଜ କରିବା ପାଇଁ ଏୟାର କନେକ୍ଟିଭିଟିକୁ ପ୍ରାଧାନ୍ୟ ଦିଆଯାଉଛି। ଏହି କ୍ରମରେ ଭାରତର ଅଗ୍ରଣୀ ବିମାନ ସେବା ସଂସ୍ଥା ଇଣ୍ଡିଗୋ (IndiGo) କଲିକତା ଏବଂ ସାଂଘାଇ ମଧ୍ୟରେ ନିଜର ଦୈନିକ ବିମାନ ସେବା ଆରମ୍ଭ କରିଛି।
ଭାରତ ଓ ଚାଇନା ମଧ୍ୟରେ ବିମାନ ଚଳାଚଳ ବୃଦ୍ଧି ପାଇବା ଦ୍ୱିପାକ୍ଷିକ ସମ୍ପର୍କରେ ଏକ ବ୍ୟାବହାରିକ ସୁଧାରର ସଙ୍କେତ ଦେଉଛି। ସାଂଘାଇରେ ଥିବା ଭାରତୀୟ କନସୁଲେଟ ଜେନେରାଲ ପ୍ରତୀକ ମାଥୁରଇଣ୍ଡିଗୋର ଏହି ନୂତନ ସେବାକୁ ଉଦ୍ଘାଟନ କରିଛନ୍ତି। ଏହାଦ୍ୱାରା ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ସମ୍ପର୍କ ମଜବୁତ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ଦିଲ୍ଲୀ ପରେ କଲିକତା ହେଉଛି ଦ୍ୱିତୀୟ ଭାରତୀୟ ମହାନଗର ଯାହା ସାଂଘାଇ ସହିତ ସିଧାସଳଖ ବିମାନ ସେବା ଦ୍ୱାରା ଯୋଡ଼ି ହୋଇଛି। ଚାଇନାର ସରକାରୀ ବିମାନ ସଂସ୍ଥା ’ଏୟାର ଚାଇନା’ ଆସନ୍ତା ଏପ୍ରିଲ ୨୧ ତାରିଖରୁ ବେଜିଂ ଏବଂ ଦିଲ୍ଲୀ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ଆରମ୍ଭ କରିବାକୁ ଯୋଜନା କରୁଛି। କଲିକତା-ସାଂଘାଇ ବିମାନ ସେବା ଦ୍ୱାରା ଭାରତର ପୂର୍ବ ଏବଂ ପୂର୍ବୋତ୍ତର (Northeast) ଅଞ୍ଚଳରେ ବିକାଶ ଏବଂ ବାଣିଜ୍ୟ କାରବାର ବୃଦ୍ଧି ପାଇବ।
ସୂଚନାଯୋଗ୍ୟ, ସୀମା ବିବାଦ ଏବଂ କରୋନା କଟକଣା ଯୋଗୁ ପ୍ରାୟ ୫ ବର୍ଷ ଧରି ଦୁଇ ଦେଶ ମଧ୍ୟରେ ବିମାନ ସେବା ପ୍ରଭାବିତ ହୋଇଥିଲା। ଗତ ବର୍ଷ ଅକ୍ଟୋବର ମାସରୁ ବିଭିନ୍ନ ସହର ମଧ୍ୟରେ ବିମାନ ଚଳାଚଳ ପୁଣି ଆରମ୍ଭ ହେବା ପରେ ଏବେ ଏହା ଗତି ପକାଇଛି। ଚାଇନା ପ୍ରବକ୍ତା ୟୁ ଜିଙ୍ଗ (Yu Jing) ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଏହି ନୂତନ ବିମାନ ସେବା ବିଷୟରେ ସୂଚନା ଦେଇ ସନ୍ତୋଷ ପ୍ରକାଶ କରିଛନ୍ତି। ରାଜନୈତିକ ସ୍ତରରେ ଆହ୍ବାନ ଥିଲେ ମଧ୍ୟ ଏହି ବିମାନ ସେବା ବାଣିଜ୍ୟିକ ସ୍ତରରେ ଦୁଇ ପଡ଼ୋଶୀ ଦେଶକୁ ନିକଟତର କରିବାରେ ସହାୟକ ହେବ।
Dharitri – Odisha’s No.1 Odia Daily