Categories: Home Leftଖେଳ

ପାକିସ୍ତାନର ଷ୍ଟାର କ୍ରିକେଟରଙ୍କ ଘର ଉପରେ ଭାରତ କଲା ଏୟାର ଷ୍ଟ୍ରାଇକ୍‌! ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ, ୮।୫: ଭାରତୀୟ ସେନା ଓ ବାୟୁସେନା ମଙ୍ଗଳବାର ରାତିରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ଥିବା ୯ଟି ଆତଙ୍କବାଦୀ ଶିବିର ଉପରେ ବିମାନ ଆକ୍ରମଣ କରି ସେଗୁଡିକୁ ଧ୍ୱଂସ କରିଛି। ଏହି ଅଭିଯାନର ନାମ ଦିଆଯାଇଛି ‘ଅପରେସନ ସିନ୍ଦୂର’। ଏହି ଆକ୍ରମଣ ଏପ୍ରିଲ ୨୨ରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ହମଲାର ପ୍ରତିଶୋଧ ସ୍ବରୂପ କରାଯାଇଥିଲା, ଯେଉଁଥିରେ ୨୬ ଜଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା।

ଏହି ୯ଟି ଟାର୍ଗେଟ ମଧ୍ୟରୁ ଗୋଟିଏ ଥିଲା ପାକିସ୍ତାନର ସିଆଲକୋଟରେ ଅବସ୍ଥିତ ହିଜବୁଲ ମୁଜାହିଦ୍ଦିନର ମେହମୁନା ଜୋୟା ଶିବିର। ଏହି ଶିବିର ଜମ୍ମୁ ଓ କାଶ୍ମୀରର କଠୁଆ ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପର ନିୟନ୍ତ୍ରଣ କେନ୍ଦ୍ର ଥିଲା ଏବଂ ୨୦୧୬ରେ ପଠାନକୋଟ ବାୟୁସେନା ମୁଖ୍ୟାଳୟ ଉପରେ ହୋଇଥିବା ଆକ୍ରମଣର ଯୋଜନା ମଧ୍ୟ ଏହି ଶିବିରରୁ କରାଯାଇଥିଲା। ସିଆଲକୋଟ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କ ଜନ୍ମସ୍ଥାନ ଭାବେ ମଧ୍ୟ ପରିଚିତ।

ଭାରତୀୟ ସେନାର ବିବୃତି ଅନୁଯାୟୀ, ଏହି ଆକ୍ରମଣ ସମ୍ପୂର୍ଣ୍ଣ ଭାବେ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ (ଜେଇଏମ), ଲସ୍କର-ଏ-ତୋଇବା (ଏଲଇଟି) ଓ ହିଜବୁଲ ମୁଜାହିଦ୍ଦିନ ଉପରେ କେନ୍ଦ୍ରୀଭୂତ ଥିଲା। ଏହା ଏକ ସୁନିୟୋଜିତ ଓ ସୀମିତ ଅଭିଯାନ ଥିଲା, ଯେଉଁଥିରେ ପାକିସ୍ତାନୀ ସେନାର କୌଣସି ସ୍ଥାପନାକୁ ଟାର୍ଗେଟ କରାଯାଇ ନ ଥିଲା। କର୍ନେଲ ସୋଫିୟା କ୍ୟୁରେଶୀ ଓ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହଙ୍କ ନେତୃତ୍ୱରେ ଏହି ଅଭିଯାନର ସୂଚନା ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଛି।

Share