ନୂଆଦିଲ୍ଲୀ,୬ା୫: ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପ୍ରଥମ ପଦକ୍ଷେପ ସ୍ବରୂପ ସିନ୍ଧୁନଦୀ ଜଳ ଚୁକ୍ତିକୁ ସ୍ଥଗିତ ରଖିଥିବାବେଳେ ରବିବାର ଜମ୍ମୁର ବାଗ୍ଲିହାର ଡ୍ୟାମ୍ରୁ ଚେନାବ ନଦୀଜଳ ପ୍ରବାହକୁ ସାମୟିକ ଭାବେ ରୋକିଛି। ବନ୍ଦିପୋର ନିକଟ କିଶନଗଙ୍ଗା ଡ୍ୟାମ୍ରୁ ମଧ୍ୟ ଅନୁରୂପ ଭାବେ ଜଳ ରୋକିବାକୁ କେନ୍ଦ୍ର ସରକାର ଯୋଜନା କରୁଥିବା ଜଣାପଡ଼ିଛି। କଶ୍ମୀରର ୨ଟି ଜଳବିଦ୍ୟୁତ୍ ପ୍ରକଳ୍ପର ଭଣ୍ଡାର ଜଳଧାରଣ କ୍ଷମତା ବଢ଼ାଇବାକୁ ସରକାର କାମ ଆରମ୍ଭ କରିଛନ୍ତି। ଏଥିସହିତ ଉକ୍ତ ଅଞ୍ଚଳରେ ଅଟକି ରହିଥିବା ୬ଟି ଜଳବିଦ୍ୟୁତ୍ ପ୍ରକଳ୍ପ କାର୍ଯ୍ୟ ଖୁବ୍ଶୀଘ୍ର ଆରମ୍ଭ ହେବା ଆଶା କରାଯାଉଛି। ସେଗୁଡ଼ିକ ହେଲା ସାଓ୍ବଲକୋଟ୍ର ୧,୮୫୬ ମେଗାଓ୍ବାଟ ପ୍ରକଳ୍ପ, ୧,୩୨୦ ମେଗାଓ୍ବାଟ୍ କ୍ଷମତା ବିଶିଷ୍ଟ କିର୍ଥାଇ-୧ ପ୍ରକଳ୍ପ ଏବଂ ୧୦୦୦ ମେଗାଓ୍ବାଟ କ୍ଷମତା ବିଶିଷ୍ଟ ପକଲ ଡୁଲ୍। ଏହା ବ୍ୟତୀତ ଅନ୍ୟ ୩ଟି ପ୍ରକଳ୍ପରୁ ୨,୨୨୪ ମେଗାଓ୍ବାଟ୍ ବିଦ୍ୟୁତ୍ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି। ଏହି ୬ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ଜମ୍ମୁ-କଶ୍ମୀର ମୋଟ ୧୦ ହଜାର ମେଗାଓ୍ବାଟ ବିଦ୍ୟୁତ୍ ଉତ୍ପାଦନ କରିବା ସହ ଜଳସେଚନ ଓ ଘରୋଇ ବ୍ୟବହାର ପାଇଁ ଅଧିକ ଜଳ ପାଇପାରିବ। ତେବେ ସିନ୍ଧୁନଦୀ ଜଳ ଚୁକ୍ତି ଏବେ ମଧ୍ୟ କାର୍ଯ୍ୟକାରୀ ଥିବାରୁ ଉପରୋକ୍ତ ନିର୍ମାଣର ୬ ମାସ ପୂର୍ବରୁ ଭାରତ ପାକିସ୍ତାନକୁ ନୋଟିସ୍ କରିବାକୁ ପଡ଼ିବ। ଇସ୍ଲାମାବାଦ ପ୍ରକଳ୍ପକୁ ବିଳମ୍ବିତ କିମ୍ବା ବାତିଲ କରାଇବା ପାଇଁ ବିଭିନ୍ନ ଆଇନଗତ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ।