ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା ହୋଇଛି । ସାମ୍ପ୍ରତିକ ତଥ୍ୟ ଅନୁସାରେ, ୨୦୩୦ ସୁଦ୍ଧା ଭାରତ ଜର୍ମାନୀକୁ ଅତିକ୍ରମ କରି ତୃତୀୟ ସ୍ଥାନ ଅଧିକାର କରିବା ପଥରେ ଅଗ୍ରସର ହେଉଛି ।
୨୦୨୫-୨୬ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ଭାରତର ପ୍ରକୃତ GDP ଅଭିବୃଦ୍ଧି ୮.୨ ପ୍ରତିଶତ ରହିଛି, ଯାହା ଗତ ୬ଟି ତ୍ରୈମାସିକ ମଧ୍ୟରେ ସର୍ବାଧିକ । ୨୦୩୦ ସୁଦ୍ଧା ଭାରତର GDP ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ ବୋଲି ଆକଳନ କରାଯାଇଛି ।
ବର୍ତ୍ତମାନ ଆମେରିକା ପ୍ରଥମ ଏବଂ ଚାଇନା ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଭାରତ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛି । ବିଶ୍ୱ ବ୍ୟାଙ୍କ, IMF ଏବଂ ମୁଡିସ୍ ଭଳି ସଂସ୍ଥାଗୁଡ଼ିକ ଭାରତର ଏହି ଦ୍ରୁତ ଅଭିବୃଦ୍ଧିକୁ ନେଇ ସକାରାତ୍ମକ ମତ ପ୍ରକାଶ କରିଛନ୍ତି ।
ସରକାରଙ୍କ ସୂଚନା ଅନୁଯାୟୀ, ଦେଶରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ରହିବା ସହ ବେକାରୀ ହାର ହ୍ରାସ ପାଉଛି । ରପ୍ତାନି କ୍ଷେତ୍ରରେ ଉନ୍ନତି ଏବଂ ସହରାଞ୍ଚଳରେ ଖାଉଟିଙ୍କ ଚାହିଦା ବୃଦ୍ଧି ପାଇବା ଯୋଗୁଁ ଭାରତୀୟ ଅର୍ଥନୀତି ଅଧିକ ସୁଦୃଢ଼ ହେବାରେ ଲାଗିଛି । ୨୦୪୭ ସୁଦ୍ଧା ଭାରତକୁ ଏକ ଉଚ୍ଚ ମଧ୍ୟମ ଆୟକାରୀ ଦେଶରେ ପରିଣତ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ।