ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା ଅଣ୍ଡର-୧୯ ଏସିଆ କପ୍‌ ୨୦୨୫ରେ ଭାରତୀୟ ଦଳ ଫାଇନାଲ୍‌ରେ ସ୍ଥାନ ପାଇଛି। ଆୟୁଷ ମାହାତ୍ରେଙ୍କ ଅଧିନାୟକତ୍ୱରେ ଥିବା ଭାରତୀୟ ଦଳ ସେମିଫାଇନାଲରେ ଶ୍ରୀଲଙ୍କାକୁ ୮ ଉଇକେଟ୍‌ରେ ହରାଇ ଟାଇଟଲ୍‌ ମୁକାବିଲାରେ ପ୍ରବେଶ କରିଛି ଏବଂ ଫାଇନାଲ୍‌ରେ ଭାରତର ସାମ୍ନା ପାକିସ୍ତାନ ସହିତ ହେବ। ଅପରପକ୍ଷେ ପାକିସ୍ତାନ ଅନ୍ୟ ଏକ ସେମିଫାଇନାଲ୍‌ରେ ବାଂଲାଦେଶକୁ ହରାଇ ଫାଇନାଲରେ ସ୍ଥାନ ପାଇଛି।
ବର୍ଷା କାରଣରୁ ଉଭୟ ସେମିଫାଇନାଲ ସମୟରେ ଆରମ୍ଭ ହୋଇପାରି ନ ଥିଲା। ଏହାଫଳରେ ୫୦-୫୦ ଓଭରର ମ୍ୟାଚ୍‌କୁ ସଂକ୍ଷିପ୍ତ କରାଯାଇଥିଲା। ଭାରତ ଓ ଶ୍ରୀଲଙ୍କାର ମୁକାବିଲା ଟି୨୦ ଫର୍ମାଟ୍‌ରେ ପରିଣତ ହୋଇଥିଲା, ଯେଉଁଥିରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୮ ଉଇକେଟ ହରାଇ ୧୩୮ ରନ କରିଥିଲା। ଶ୍ରୀଲଙ୍କା ପକ୍ଷରୁ ଅଧିନାୟକ ଭିମତ ଦିନସରା ୩୨ ରନ ଏବଂ ଚାମିକା ହୀନାତିଗାଲା ୪୨ ରନ କରିଥିଲେ। ଅନ୍ୟପକ୍ଷରେ, ଲୋୟର୍‌ ଅର୍ଡରରେ ସେତମିକା ସେନାଭିରତ୍ନେ ଦ୍ରୁତଗତିରେ ୩୦ ରନ କରି ଦଳକୁ ୧୩୮ ରନ ପର୍ଯ୍ୟନ୍ତ ପହଞ୍ଚାଇଥିଲେ। ଭାରତ ପାଇଁ ସ୍ପିନର କନିଷ୍କ ଚୌହାନ ଏବଂ ପେସର ହେନିଲ ପଟେଲ ୨-୨ ଉଇକେଟ ନେଇଥିଲେ।
କିନ୍ତୁ ଟିମ ଇଣ୍ଡିଆର ଜବାବୀ ଇନିଂସର ଆରମ୍ଭ ଭଲ ନ ଥିଲା ଏବଂ ଚତୁର୍ଥ ଓଭରରେ କେବଳ ୨୫ ରନ୍‌ରେ ଅଧିନାୟକ ଆୟୁଷ ମ୍ହାତ୍ରେ ଏବଂ ବୈଭବ ସୂର୍ଯ୍ୟବଂଶୀ ପ୍ୟାଭିଲିଅନ ଫେରିଥିଲେ। ଏହି ସମୟରେ ଶ୍ରୀଲଙ୍କା ପାଖରେ ଫେରିବାର ସୁଯୋଗ ଥିଲା କିନ୍ତୁ ଏଠାରୁ ବିହାନ ମଲ୍ହୋତ୍ରା ଏବଂ ଆରନ ଜର୍ଜ କ୍ରଜ୍‌ରେ ଜମି ଯାଇଥିଲେ। ଉଭୟେ ମିଶି ୧୧୪ ରନ୍‌ର ଅଜେୟ ଭାଗୀଦାରୀ କରି ଦଳକୁ ୧୮ ଓଭରରେ ଲକ୍ଷ୍ୟ ପାଖରେ ପହଞ୍ଚାଇ ଫାଇନାଲ୍‌ ଟିକଟ ଦେଇଥିଲେ।

ଏବେ ଭାରତ ଓ ପାକିସ୍ତାନ ମଧ୍ୟରେ ରବିବାର ୨୧ ଡିସେମ୍ବରରେ ଏହି ଟୁର୍ନାମେଣ୍ଟର ଫାଇନାଲ ଖେଳାଯିବ। ଭାରତୀୟ ଦଳ ରେକର୍ଡ ଅଷ୍ଟମ ଥର ପାଇଁ ଏହି ଏସିଆ କପ୍‌ର ଫାଇନାଲ ଖେଳିବ। ଅନ୍ୟପକ୍ଷରେ, ପାକିସ୍ତାନକୁ ଚତୁର୍ଥ ଥର ପାଇଁ ଫାଇନାଲ୍‌ରେ ପ୍ରବେଶ କରିିଛି। ଭାରତୀୟ ଦଳ ଟାଇଟଲର ଦାବିଦାର ଭାବେ ଏହି ଫାଇନାଲ୍‌ରେ ଓହ୍ଲାଇବ । କାରଣ ଟୁର୍ନାମେଣ୍ଟରେ ସେ ଏପର୍ଯ୍ୟନ୍ତ ଗୋଟିଏ ମ୍ୟାଚ ମଧ୍ୟ ହାରିନାହିଁ। ଏପର୍ଯ୍ୟନ୍ତ ଭାରତ ଓ ପାକିସ୍ତାନର ଗ୍ରୁପ ଷ୍ଟେଜ୍‌ରେ ହୋଇଥିବା ଟକ୍କରରେ ମଧ୍ୟ ଟିମ ଇଣ୍ଡିଆ ହିଁ ବାଜି ମାରିଥିଲା। ଏହି ରୋମାଞ୍ଚକର ଫାଇନାଲରେ କିଏ ଏସିଆର ଯୁବ ଚାମ୍ପିଅନ ହେବ, ତାହା ଦେଖିବା ଆକର୍ଷଣୀୟ ହେବ।

Dharitri – Odisha’s No.1 Odia Daily