Categories: Home Leftଖେଳ

ବର୍ଷେ ଘୁଞ୍ଚିଲା ଭାରତ-ବାଂଲାଦେଶ ସିରିଜ୍‌

ନୂଆଦିଲ୍ଲୀ,୫ା୭: ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବି) ଓ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଶନିବାର ଆପୋସ ବୁଝାମଣାରେ ଭାରତ ଓ ବାଂଲାଦେଶ ମଧ୍ୟରେ ହେବାକୁ ଥିବା ହ୍ବାଇଟ୍‌ ବଲ କ୍ରିକେଟ୍‌ ସିରିଜ୍‌କୁ ଆସନ୍ତା ବର୍ଷ ସେପ୍ଟେମ୍ବରକୁ ଘୁଞ୍ଚାଇ ଦିଆଯାଇଛି।

ଏହି ସିରିଜ୍‌ ଆସନ୍ତା ଅଗଷ୍ଟରେ ହେବାର ଥିଲା। ଏହି ସିରିଜ୍‌ରେ ୩ ଲେଖାଏ ଦିନିକିଆ ଓ ଟି୨୦ ମ୍ୟାଚ୍‌ ଖେଳାଯିବାର ଅଛି। ସିରିଜ୍‌ର ସମସ୍ତ ମ୍ୟାଚ୍‌ ଅଗଷ୍ଟ ୧୭ରୁ ୩୧ ପର୍ଯ୍ୟନ୍ତ ଚିଟାଗଙ୍ଗ ଓ ଢାକାରେ ହେବ ବୋଲି ଘୋଷଣା କରାଯାଇଥିଲା।

କ୍ରିକେଟ ଚୁକ୍ତି ଓ ଉଭୟ ଦଳର କାର୍ଯ୍ୟସୂଚୀକୁ ଦୃଷ୍ଟିରେ ରଖି ବୋର୍ଡ ମଧ୍ୟରେ ଆଲୋଚନା ପରେ ସିରିଜ୍‌କୁ ଘୁଞ୍ଚାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି। ବିସିବି ହ୍ବାଇଟ୍‌ ବଲ ସିରିଜ୍‌ ଲାଗି ଭାରତୀୟ ଦଳକୁ ଆସନ୍ତା ବର୍ଷ ସେପ୍ଟେମ୍ବରରେ ସ୍ବାଗତ କରିବ।

ପରିବର୍ତ୍ତିତ ତାରିଖ ଓ କାର୍ଯ୍ୟସୂଚୀ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ ବୋଲି ବିସିବି ପକ୍ଷରୁ ଜାରି କରାଯାଇଥିବା ବିବୃତିରେ କୁହାଯାଇଛି। ଗତ ବର୍ଷଠାରୁ ଦେଖାଦେଇଥିବା ରାଜନୈତିକ ଅସ୍ଥିରତା କାରଣରୁ ବାଂଲାଦେଶରେ ସାଧାରଣ ନିର୍ବାଚନ ମାଧ୍ୟମରେ ଏକ ସ୍ଥାୟୀ ସରକାର ଗଠନ ନ ହେଲା ପର୍ଯ୍ୟନ୍ତ ବିସିସିଆଇ ଭାରତୀୟ ଦଳକୁ ପଠାଇବାକୁ ଚାହୁଁ ନ ଥିବା ନେଇ ଏକ ରିପୋର୍ଟ ପ୍ରକାଶ ପାଇଥିଲା।

ହେଲେ ବାଂଲାଦେଶ ସାଧାରଣ ନିର୍ବାଚନ ଆସନ୍ତା ବର୍ଷ ପୂର୍ବରୁ ହେବାର ସମ୍ଭାବନା ନାହିଁ। ଏବେ ଏହି ଦେଶରେ ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାର ରହିଛି।