ଟ୍ରମ୍ପଙ୍କ ‘ବୋର୍ଡ ଅଫ୍ ପିସ୍’ର ପ୍ରଥମ ବୈଠକ: ପର୍ଯ୍ୟବେକ୍ଷକ ଭାବେ ସାମିଲ ହେଲା ଭାରତ

ୱାଶିଂଟନ,୨୦।୨: ଓ୍ୱାଶିଂଟନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂତନ ସଂଗଠନ ‘ବୋର୍ଡ ଅଫ୍ ପିସ୍’ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ସବୁଠାରୁ ବଡ଼ ଖବର ହେଉଛି, ଭାରତ ଏହି ବୈଠକରେ ଏକ ‘ପର୍ଯ୍ୟବେକ୍ଷକ’ ରାଷ୍ଟ୍ର ଭାବେ ସାମିଲ ହୋଇଛି। ଗାଜା ପୁନର୍ଗଠନ ଏବଂ ବିଶ୍ୱ ଶାନ୍ତି ପାଇଁ ଟ୍ରମ୍ପଙ୍କ ଏହି ମିଶନରେ ଭାରତର ଉପସ୍ଥିତି ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଓ୍ୱାଶିଂଟନରେ ଅନୁଷ୍ଠିତ ଏହି ହାଇ-ପ୍ରୋଫାଇଲ୍ ବୈଠକରେ ଭାରତ ପକ୍ଷରୁ ଓ୍ୱାଶିଂଟନସ୍ଥିତ ଭାରତୀୟ ଦୂତାବାସର ଚାର୍ଜ ଡି’ ଆଫେୟାର୍ସ ନମଗ୍ୟା ସି. ଖମ୍ପା ପ୍ରତିନିଧିତ୍ୱ କରିଥିଲେ। ସମ୍ପୂର୍ଣ୍ଣ ସଦସ୍ୟ ନହେଲେ ମଧ୍ୟ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇ ଭାରତ ଏହି ପ୍ରକ୍ରିୟାରେ ନିଜର ଆଗ୍ରହ ପ୍ରକାଶ କରିଛି।

ବୈଠକରେ ପ୍ରାୟ ୫୦ଟି ଦେଶ ଅଂଶଗ୍ରହଣ କରିଥିଲେ। ପାକିସ୍ତାନ, ଇସ୍ରାଏଲ୍, ସାଉଦି ଆରବ ଏବଂ ୟୁଏଇ ଭଳି ୨୭ଟି ଦେଶ ଏହି ବୋର୍ଡର ସଦସ୍ୟ ଥିବାବେଳେ, ଭାରତ ଓ ୟୁରୋପୀୟ ସଂଘ ପର୍ଯ୍ୟବେକ୍ଷକ ଭାବେ ଉପସ୍ଥିତ ଥିଲେ।

ଏହି ବୈଠକରେ ଗାଜା ପାଇଁ ୭ ବିଲିୟନ ଡଲାରର ଏକ ବଡ଼ ସହାୟତା ପ୍ୟାକେଜ୍ ଘୋଷଣା କରାଯାଇଛି। ଏଥିସହ ଆମେରିକା ନିଜ ପକ୍ଷରୁ ୧୦ ବିଲିୟନ ଡଲାର ଦେବାକୁ ପ୍ରତିଶ୍ରୁତି ଦେଇଛି। ଗାଜାରେ ଶାନ୍ତି ରକ୍ଷା ପାଇଁ ମରୋକୋ ଓ କାଜାଖସ୍ତାନ ଭଳି ଦେଶ ସୈନ୍ୟ ପଠାଇବାକୁ ମଧ୍ୟ ସମ୍ମତି ଜଣାଇଛନ୍ତି।

ଏହି ବୋର୍ଡ ଜାତିସଂଘ (UN) ର ବିକଳ୍ପ ହେବ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଟ୍ରମ୍ପ କହିଛନ୍ତି ଯେ, ସେ ଜାତିସଂଘ ସହ ମିଶି କାମ କରିବେ ଏବଂ ଏହି ବୋର୍ଡ ଜାତିସଂଘକୁ ଆହୁରି ସଶକ୍ତ କରିବାରେ ସାହାଯ୍ୟ କରିବ।

ଏହା ପୂର୍ବରୁ ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୈସୱାଲ କହିଥିଲେ ଯେ, ଭାରତ ସବୁବେଳେ ପଶ୍ଚିମ ଏସିଆରେ ଶାନ୍ତିର ସମର୍ଥକ। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଗାଜାରେ ସ୍ଥାୟୀ ଶାନ୍ତି ପାଇଁ ସମସ୍ତ ପଦକ୍ଷେପକୁ ସ୍ୱାଗତ କରିଛନ୍ତି।

Share