ନୂଆଦିଲ୍ଲୀ,୭ା୬:ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି)ର ୨ଟି ଆତଙ୍କବାଦ ନିରୋଧୀ କମିଟିରେ ପାକିସ୍ତାନକୁ ଅଧ୍ୟକ୍ଷ ଓ ସହଅଧ୍ୟକ୍ଷ ନିଯୁକ୍ତ କରାଯାଇଥିବାରୁ ଭାରତ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିଛି। ୟୁଏନ୍ଏସ୍ସିର ତାଲିବାନ ବିରୋଧୀ କଟକଣା କମିଟିରେ ଇସ୍ଲାମାବାଦକୁ ଅଧ୍ୟକ୍ଷତା ମିଳିଥିବାବେଳେ ୯/୧୧ ପରବର୍ତ୍ତୀ ଆତଙ୍କବାଦ ନିରୋଧୀ କମିଟି ଏବଂ ଜାତିସଂଘ ପ୍ରତିବନ୍ଧ ବ୍ୟବସ୍ଥା କାର୍ଯ୍ୟକାରୀ ଗୋଷ୍ଠୀର ଉପାଧ୍ୟକ୍ଷ କରାଯାଇଛି, ଯାହା ନୂଆଦିଲ୍ଲୀକୁ କ୍ଷୁବ୍ଧ କରିଛି।
ଏପ୍ରିଲ ୨୨ରେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଏବଂ ମେ’ ୭ରୁ ୪ ଦିନ ଧରି ଭାରତ ଓ ପାକିସ୍ତାନ ମଧ୍ୟରେ ସାମରିକ ସଂଘର୍ଷ ପରେ ପାକିସ୍ତାନକୁ ଆତଙ୍କବାଦର କେନ୍ଦ୍ରସ୍ଥଳ ଭାବେ ପ୍ରଚାର କରାଇବା ପାଇଁ ଭାରତ ଉଦ୍ୟମ ଚଳାଇଥିବା ସତ୍ତ୍ୱେ ଜାତିସଂଘର ଆତଙ୍କବାଦ ନିରୋଧୀ କମିଟିରେ ଇସ୍ଲାମାବାଦକୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯିବା ନୂଆଦିଲ୍ଲୀକୁ ବିସ୍ମିତ କରିଛି। ପାକିସ୍ତାନରୁ ସୃଷ୍ଟ ଆତଙ୍କବାଦ ବିରୋଧରେ ଭାରତର ଲଢ଼େଇ ପଛରେ ସମର୍ଥନ ଯୋଗାଡ଼ ଉଦ୍ୟମ ସ୍ବରୂପ କେନ୍ଦ୍ର ସରକାର ଗତ ମାସରେ ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟ ରାଷ୍ଟ୍ର ସମେତ ବିଭିନ୍ନ ଦେଶର ରାଜଧାନୀକୁ ବହୁଦଳୀୟ ସଂସଦୀୟ ପ୍ରତିନିଧି ମଣ୍ଡଳୀ ପଠାଇଥିଲେ।