Categories: Home Leftଖେଳ

ଭାରତ ୫୧୮/୫, ଓ୍ବେଷ୍ଟଇଣ୍ଡିଜ୍‌ ୧୪୦/୪

ନୂଆଦିଲ୍ଲୀ, ୧୧।୧୦- ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଦଳ ଶନିବାର ତା’ର ପ୍ରଥମ ଇନିଂସରେ ୫ ଉଇକେଟରେ ୫୧୮ ରନ କରି ପାଳି ଘୋଷଣା କରିଛି। ଜବାବରେ ଓ୍ବେଷ୍ଟଇଣ୍ଡିଜ୍‌ ଦଳ ପ୍ରଥମ ଇନିଂସରେ ଦ୍ୱିତୀୟ ଦିନ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରି ୪ ଉଇକେଟ ହରାଇ ୧୪୦ ରନ କରିଛି। ଦ୍ୱିତୀୟ ଦିନରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଅପରାଜିତ ରହି ଶତକ ହାସଲ କରିଥିଲେ।

ଭାରତୀୟ ଦଳ ତା’ର ଅସମାପ୍ତ ପ୍ରଥମ ଇନିଂସ ସ୍କୋର (୩୧୮/୨)ରୁ ବ୍ୟାଟିଂ ଆରମ୍ଭ କରି ୩ ଉଇକେଟରେ ୨୦୦ ରନ ଯୋଡ଼ିବା ପରେ ପାଳି ଘୋଷଣା କରିଥିଲା। ପୂର୍ବଦିନ ୧୭୩ ରନରେ ଅପରାଜିତ ଥିବା ଯଶସ୍ବୀ ଜୟସ୍ବାଲ ଆଜି ନିଜ ସ୍କୋରରେ ମାତ୍ର ୨ ରନ ଯୋଡ଼ି ପାରିଥିଲେ। ସେ ୧୭୫ (୨୨ ଚୌକା) ରନ୍‌ କରି ରନ୍‌ ଆଉଟ ହୋଇଥିଲେ। ତାଙ୍କ ବଦଳରେ କ୍ରିଜ୍‌କୁ ଆସିଥିବା ନୀତୀଶ କୁମାର ରେଡ୍ଡୀଙ୍କ ସହ ଅଧିନାୟକ ଶୁବମନ ଗିଲ୍‌ ମିଶି ଚତୁର୍ଥ ଉଇକେଟରେ ୯୧ ରନ ଯୋଡ଼ିଥିଲେ। ୪ ଚୌକା ଓ ୨ ଛକା ସହିତ ୪୩ ରନ କରିଥିବା ନୀତୀଶଙ୍କୁ ଜୋମେଲ ଓ୍ବାରିକାନ କ୍ୟାଚ୍‌ ଆଉଟ୍‌ କରାଇଥିଲେ। ଏହାପରେ ଧ୍ରୁବ ଜୁରେଲ ଓ ଗିଲ୍‌ ୫ ଉଇକେଟରେ ୧୦୨ ରନ ଯୋଡ଼ିଥିଲେ। ଜୁରେଲ ୫ ଚୌକା ସହିତ ୪୪ ରନ କରି ଆଉଟ୍‌ ହେବା ପରେ ଭାରତୀୟ ଦଳ ପାଳି ଘୋଷଣା କରିଥିଲା। ଗିଲ ୧୨୯ ରନ କରି ଅପରାଜିତ ରହିଥିଲେ। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୧୦ମ ଓ ଚଳିତ ବର୍ଷର ପଞ୍ଚମ ଟେଷ୍ଟ ଶତକ ଥିଲା।

ଓ୍ବେଷ୍ଟଇଣ୍ଡିଜ ପାଇଁ ଓ୍ବାରିକାନ ୩ ଓ ଅଧିନାୟକ ରୋଷ୍ଟନ ଚେଜ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ଓ୍ବେଷ୍ଟଇଣ୍ଡିଜ୍‌ ଆରମ୍ଭରୁ ଦୁର୍ଭାଗ୍ୟଜନକ ଭାବେ ଜନ କାମ୍ପବେଲ(୧୦)ଙ୍କ ଉଇକେଟ ହରାଇଥିଲା। ଓପନର ତାଗେନାରିନ ଚନ୍ଦ୍ରପାଲ ଓ ଆଲିକ୍‌ ଆଥାନେଜ ଦ୍ୱିତୀୟ ଉଇକେଟରେ ୬୬ ରନ ଯୋଡ଼ି ଦଳୀୟ ସ୍କୋରକୁ ୮୭/୧ରେ ପହଞ୍ଚାଇଥିଲେ। ହେଲେ ଏହିଠାରୁ ଦଳ କ୍ରମାଗତ ବ୍ୟବଧାନରେ ଚନ୍ଦ୍ରପାଲ (୩୪), ଆଥାନେଜ (୪୧) ଓ ଅଧିନାୟକ ରୋଷ୍ଟନ ଚେଜ (୦)ଙ୍କ ଉଇକେଟ ହରାଇଥିଲା। ଏହାପରେ ଶାଇ ହୋପ୍‌ (୩୧) ଓ ଟେଭିନ ଇମଲାଚ (୧୪) ଭାରତୀୟ ବୋଲରଙ୍କୁ ଉଇକେଟ ନେବାକୁ ସୁଯୋଗ ଦେଇ ନ ଥିଲେ। ଫଳରେ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଓ୍ବେଷ୍ଟଇଣ୍ଡିଜ ୪ ଉଇକେଟ ହରାଇ ୧୪୦ ରନ କରିଛି। ଭାରତ ପାଇଁ ରବୀନ୍ଦ୍ର ଜାଡେଜା ୩ ଓ କୁଲଦୀପ ଯାଦବ ଗୋଟିଏ ଉଇକେଟ ନେଇଛନ୍ତି।

Share