କୋଲକାତା,୧।୩: କୋଲକାତାର ଐତିହାସିକ ଇଡେନ୍ ଗାର୍ଡେନ୍ସ ମଇଦାନରେ ରବିବାର ଖେଳାଯାଇଥିବା ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମ୍ୟାଚ୍ରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ୱେଷ୍ଟଇଣ୍ଡିଜ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ ହରାଇ ୧୯୫ ରନ୍ କରିଛି। ଫଳରେ ଭାରତ ଆଗରେ ୧୯୬ ରନ୍ର ବିଶାଳ ଟାର୍ଗେଟ୍ ରଖିଛି ୱେଷ୍ଟଇଣ୍ଡିଜ। ଏହି ମ୍ୟାଚ୍ର ବିଜେତା ଦଳ ସେମିଫାଇନାଲକୁ ଯୋଗ୍ୟତା ହାସଲ କରିବ। ଉଲ୍ଲେଖଯୋଗ୍ୟ ଯେ, ଟି୨୦ ବିଶ୍ୱକପ୍ ଇତିହାସରେ ଭାରତ କଦାପି ୧୮୦ରୁ ଅଧିକ ରନର ପିଛା କରି ମ୍ୟାଚ୍ ଜିତିନାହିଁ।
ୱେଷ୍ଟଇଣ୍ଡିଜ୍ର ଶାଇ ହୋପ ଓ ରୋଷ୍ଟନ ଚେଜ ପ୍ରଥମ ଉଇକେଟରେ ୮.୫ ଓଭରରେ ୬୮ ରନ କରିଥିଲେ। ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀ ୯ମ ଓଭରରେ ହୋପ(୩୨ ରନ, ୩ ଚୌକା ଓ ୧ ଛକା)ଙ୍କୁ କ୍ଲିନ ବୋଲ୍ଡ କରି ଭାରତକୁ ବ୍ରେକଥ୍ରୁ ଆଣି ଦେଇଥିଲେ। ଏହାପରେ ୧୨ତମ ଓଭରରେ ଯଶପ୍ରୀତ ବୁମରା ବିସ୍ଫୋରକ ବ୍ୟାଟିଂ କରୁଥିବା ଶିମରନ ହେଟମେୟର (୧୨ ବଲ ୨୭ ରନ, ୧ ଚୌକା ଓ ୨ ଛକା) ଓ ଚେଜ (୪୦ ରନ, ୫ ଚୌକା ଓ ୧ ଛକା)ଙ୍କୁ ପାଭିଲିଅନ ପଠାଇଥିଲେ।
ଶେରଫେନ ରଦରଫୋର୍ଡ (୧୪) ଫେଲ ମାରିଥିଲେ। ଶେଷ ଆଡ଼କୁ ରବମାନ ପାଓ୍ବେଲ ଓ ଜାସନ ହୋଲ୍ଡର ବିସ୍ଫୋରକ ବ୍ୟାଟିଂ କରି ପଞ୍ଚମ ଉଇକେଟରେ ୩୫ ବଲରେ ୭୬ ରନ କରି ଦଳକୁ ଭଲ ଫିନିଶିଂ ପ୍ରଦାନ କରିଥିଲେ। ଫଳରେ ଓ୍ବେଷ୍ଟଇଣ୍ଡିଜ୍ ୨୦ ଓଭରରେ ୪ ଉଇକେଟ ହରାଇ ୧୯୫ ରନ କରିଥିଲା।
ପାଓ୍ବେଲ ୧୯ ବଲରେ ୩୪ (୩ ଚୌକା ଓ ୨ ଛକା) ଓ ହୋଲ୍ଡର ୨୨ ବଲରେ ୩୭ (୨ ଚୌକା ଓ ୩ ଛକା) ରନ କରି ଅପରାଜିତ ଥିଲେ। ଭାରତ ପାଇଁ ବୁମରା ଦୁଇଟି ଉଇକେଟ ନେଇଥିବା ବେଳେ ବରୁଣ ଚକ୍ରବର୍ତ୍ତୀ ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏ ଉଇକେଟ ହାତେଇଥିଲେ।