Categories: Home Leftଖେଳ

ଇତିହାସ ରଚିଲେ ରୋହିତ ଶର୍ମା; ସାହିଦ ଆଫ୍ରିଦିଙ୍କ ବିଶ୍ୱ ରେକର୍ଡ ଭାଙ୍ଗିଲେ

ରାଞ୍ଚି,୩୦।୧୧: ଭାରତର ଷ୍ଟାର୍ ବ୍ୟାଟର ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ଏକ ବଡ଼ ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ସେ ଦିନିକିଆ କ୍ରିକେଟରେ ସର୍ବାଧିକ ଛକା ମାରିବାରେ ପାକିସ୍ତାନର ପୂର୍ବତନ ଖେଳାଳି ସାହିଦ ଆଫ୍ରିଦିଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି।

ରାଞ୍ଚିର ଜେଏସସିଏ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ କମ୍ପ୍ଲେକ୍ସରେ ଖେଳାଯାଇଥିବା ଏହି ମ୍ୟାଚ୍ ପୂର୍ବରୁ ରୋହିତଙ୍କୁ ରେକର୍ଡ ଭାଙ୍ଗିବା ପାଇଁ ମାତ୍ର ୩ଟି ଛକାର ଆବଶ୍ୟକତା ଥିଲା।୧୫ ତମ ଓଭରରେ ସେ ସ୍ପିନର ପ୍ରେନେଲାନ୍ ସୁବ୍ରାଏନ୍‌ଙ୍କୁ ଲଗାତାର ଦୁଇଟି ଛକା ମାରି ଆଫ୍ରିଦିଙ୍କ ୩୫୧ ଛକାର ରେକର୍ଡ ସହ ସମକକ୍ଷ ହୋଇଥିଲେ। ଏହା ପରେ ସେ ମାର୍କୋ ଜାନସେନଙ୍କୁ ନିଜର ଟ୍ରେଡମାର୍କ ପୁଲ୍ ସଟ୍ ମାରି ଆଫ୍ରିଦିଙ୍କ ରେକର୍ଡ ଭାଙ୍ଗି ଦିନିକିଆରେ ସର୍ବାଧିକ ୩୫୨ ଛକା ମାରିବାର ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ୩୬୯ ଇନିଂସରେ ୩୫୧ ଛକା ମାରିଥିବା ଆଫ୍ରିଦିଙ୍କ ତୁଳନାରେ ବହୁତ କମ୍ ଇନିଂସରେ ପ୍ରାୟ ୧୦୦ ଇନିଂସ କମ୍ ଏହି ରେକର୍ଡ ହାସଲ କରିଛନ୍ତି।

ରୋହିତ ଶର୍ମା ରବିବାର ତାଙ୍କର ୬୦ ତମ ଦିନିକିଆ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୫୧ ବଲ୍‌ରେ ୫୭ ରନ୍ କରି ପାଞ୍ଚଟି ଚୌକା ଓ ତିନୋଟି ଛକା ସହାୟତାରେ ଆଉଟ୍ ହୋଇଥିଲେ। ବିରାଟ କୋହଲିଙ୍କ ସହ ମିଶି ସେ ଦ୍ୱିତୀୟ ୱିକେଟ ପାଇଁ ୧୦୯ ବଲରେ ୧୩୬ ରନର ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ କରିଥିଲେ। ସେ T20Iରେ (୨୦୫) ଏବଂ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟ୍‌ରେ (୬୪୨) ସର୍ବାଧିକ ଛକା ମାରିବାର ବିଶ୍ୱ ରେକର୍ଡ ମଧ୍ୟ ନିଜ ନାମରେ ରଖିଛନ୍ତି।