ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ ପଡ଼ିବାକୁ ଯାଉଛି। ଅଷ୍ଟ୍ରେଲିଆର ପ୍ରସିଦ୍ଧ ଖବରକାଗଜ ‘ଦି ଏଜ୍’ର ରିପୋର୍ଟ ଅନୁଯାୟୀ, ଆଇସିସି ଆଗାମୀ ଦିନରେ ଭାରତରେ ହେବାକୁ ଥିବା ୨୦୨୯ ଚାମ୍ପିଅନ୍ସ ଟ୍ରଫି ଏବଂ ୨୦୩୧ ଦିନିକିଆ ବିଶ୍ୱକପ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ବିଚାର କରୁଛି।
ରିପୋର୍ଟ ଅନୁସାରେ, ଯଦି ଏହି ଟୁର୍ଣ୍ଣାମେଣ୍ଟ ଗୁଡ଼ିକ ଭାରତରୁ ସ୍ଥାନାନ୍ତର ହୁଏ, ତେବେ ଆୟୋଜକ ଦୌଡ଼ରେ ଅଷ୍ଟ୍ରେଲିଆ ସବୁଠାରୁ ଆଗରେ ରହିଛି । ପୂର୍ବରୁ ୨୦୧୫ ଦିନିକିଆ ବିଶ୍ୱକପ୍ ଏବଂ ୨୦୨୨ ଟି-୨୦ ବିଶ୍ୱକପ୍ ସଫଳତାର ସହ ଆୟୋଜନ କରିଥିବାରୁ ଅଷ୍ଟ୍ରେଲିଆକୁ ଏକ ବିକଳ୍ପ ଭାବେ ଦେଖାଯାଉଛି ।
ଦୁଇ ଦେଶ ପରସ୍ପରର ଦେଶକୁ ଯାଇ ଖେଳିବା ପାଇଁ ମନା କରିଦେଇଛନ୍ତି। ଭାରତ ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ ଯିବାକୁ ମନା କରିବା ପରେ ଏହି ସମସ୍ୟା ଉଗ୍ର ରୂପ ଧାରଣ କରିଛି।
ପହଲଗାମ୍ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ତିକ୍ତ ହୋଇଛି । ଏପରିକି ଚଳିତ ଟି-୨୦ ବିଶ୍ୱକପ୍ ଏବଂ ଏସିଆ କପ୍ରେ ଭାରତୀୟ ଖେଳାଳିମାନେ ପାକିସ୍ତାନୀ ଖେଳାଳିଙ୍କ ସହ କରମର୍ଦ୍ଦନ କରିବାକୁ ମଧ୍ୟ ମନା କରିଛନ୍ତି।
ଏହାରି ମଧ୍ୟରେ ୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ ବାଂଲାଦେଶ ଭାରତ ଗସ୍ତ କରିବାକୁ ମନା କରିଦେଇଥିଲା, ଯାହାଫଳରେ ବାଂଲାଦେଶକୁ ଟୁର୍ଣ୍ଣାମେଣ୍ଟରୁ ଓହରିବାକୁ ପଡ଼ିଥିଲା ।
ICC ବର୍ତ୍ତମାନ ଏସୀୟ ଦେଶଗୁଡ଼ିକ ମଧ୍ୟରେ ଲାଗି ରହିଥିବା ଏହି ଅଚଳାବସ୍ଥାକୁ ଦୃଷ୍ଟିରେ ରଖି ଏକ ‘ବ୍ୟାକଅପ୍ ପ୍ଲାନ’ ପ୍ରସ୍ତୁତ କରୁଛି। ୨୦୨୭ ପର୍ଯ୍ୟନ୍ତ ହୋଇଥିବା ପୁରୁଣା ଚୁକ୍ତିକୁ ଆଗକୁ ବଢ଼ାଇବାକୁ ICC ଲକ୍ଷ୍ୟ ରଖିଛି, ଯେଉଁଥିରେ ଭାରତ ଓ ପାକିସ୍ତାନ କେବଳ ନ୍ୟୁଟ୍ରାଲ୍ ଭେନ୍ୟୁରେ ପରସ୍ପରକୁ ଭେଟିବେ। ତେବେ ଲଜିଷ୍ଟିକାଲ୍ ସମସ୍ୟା ଏବଂ ବିବାଦର ସ୍ଥାୟୀ ସମାଧାନ ପାଇଁ ଭବିଷ୍ୟତର ବଡ଼ ଇଭେଣ୍ଟଗୁଡ଼ିକୁ ଭାରତ ବାହାରକୁ ନେବାକୁ ICC ଏବେ ଯୋଜନା କରୁଥିବା ଜଣାପଡ଼ିଛି।