ହ୍ୟାଣ୍ଡଶେକ୍‌ ବିବାଦ ପରେ ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ, ସାମ୍ନାକୁ ଆସିଲା ତାରିଖ  

ନୂଆଦିଲ୍ଲୀ,୧୮।୯: ଏସିଆ କପ୍‌ ୨୦୨୫ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଗ୍ରୁପ ଷ୍ଟେଜ ମ୍ୟାଚ୍‌ ଖୁବ ଚର୍ଚ୍ଚାରେ ରହିଥିଲା। କିନ୍ତୁ ମ୍ୟାଚ ପରେ ଉପୁଜିଥିବା ବିବାଦ ତା’ଠାରୁ ଅଧିକ ଚର୍ଚ୍ଚା ହୋଇଥିଲା। ଗ୍ରୁପ ଷ୍ଟେଜ ମ୍ୟାଚ ପରେ ଭାରତୀୟ ଖେଳାଳିମାନେ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇ ନ ଥିଲେ, ଯାହା ପରେ ଉଭୟ ଦେଶ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଏହି ଘଟଣା ପରେ ପାକିସ୍ତାନ ଟୁର୍ନାମେଣ୍ଟ ବୟକଟ କରିବା ପାଇଁ ଧମକ ଦେଇଥିଲା, ଯେଉଁଥିଲାଗି ପାକିସ୍ତାନ-ୟୁଏଇ ମ୍ୟାଚ ବିଳମ୍ବରେ ଆରମ୍ଭ ହୋଇଥିଲା। ଏହି ବିବାଦ ଏପର୍ଯ୍ୟନ୍ତ ଶାନ୍ତ ପଡ଼ି ନ ଥିବା ବେଳେ ଏବେ ପୁଣି ଥରେ ଉଭୟ ଦଳ ମୁହାଁମୁହିଁ ହେବାକୁ ଯାଉଛନ୍ତି।
ଭାରତ ଓ ପାକିସ୍ତାନ ଦଳ ଏସିଆ କପ ୨୦୨୫ରେ ଗ୍ରୁପ-ଏ ରୁ ସୁପର-୪ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏବେ ଉଭୟ ଦଳ ମଧ୍ୟରେ ଆଗାମୀ ମୁକାବିଲା ୨୧ ସେପ୍ଟେମ୍ବରରେ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଗ୍ରୁପ-ଏ ରେ ଦମଦାର ପ୍ରଦର୍ଶନ କରି ଭାରତ ସୁପର-୪ ପାଇଁ ଯୋଗ୍ୟତା ହାସଲ କରିଛି। ଅନ୍ୟପକ୍ଷରେ, ପାକିସ୍ତାନ ଦଳ କୌଣସି ପ୍ରକାରେ ପରବର୍ତ୍ତୀ ରାଉଣ୍ଡକୁ ପହଞ୍ଚିବାରେ ସଫଳ ହୋଇଛି। ଗ୍ରୁପ ଷ୍ଟେଜ୍‌ରେ ଭାରତୀୟ ଦଳ ଏପର୍ଯ୍ୟନ୍ତ ୨ଟି ମ୍ୟାଚ ଖେଳି ଉଭୟରେ ବିଜୟୀ ହୋଇ ଶୀର୍ଷରେ ରହିଛି।
ପାକିସ୍ତାନର ଗ୍ରୁପ ଷ୍ଟେଜ ମ୍ୟାଚ ଶେଷ ହୋଇଛି। ସେମାନେ ୩ଟି ମ୍ୟାଚ୍‌ରୁ ୨ଟିରେ ଜିତିଛନ୍ତି ଏବଂ ୧ଟିରେ ହାରିଛନ୍ତି, ଯାହା ଫଳରେ ୪ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ୟୁଏଇର ଅଭିଯାନ ମଧ୍ୟ ଶେଷ ହୋଇଛି, ସେମାନେ ୩ଟି ମ୍ୟାଚ୍‌ରୁ ମାତ୍ର ଗୋଟିଏ ଜିତି ପାରିଛନ୍ତି। ଅନ୍ୟପକ୍ଷରେ ଓମାନ ଦଳକୁ ଭାରତ ବିପକ୍ଷରେ ନିଜର ଶେଷ ମ୍ୟାଚ ଖେଳିବାକୁ ଅଛି, କିନ୍ତୁ ସେମାନେ ପୂର୍ବରୁ ସୁପର-୪ ରେସରୁ ବାହାରି ସାରିଛନ୍ତି। ପ୍ରଥମ ଦୁଇଟି ମ୍ୟାଚ୍‌ରେ ସେମାନଙ୍କୁ  ପରାଜିତ ହେବାକୁ ପଡ଼ିଛି।
ଭାରତ ଓ ପାକିସ୍ତାନ ମଧ୍ୟରେ ଗ୍ରୁପ ଷ୍ଟେଜ ମ୍ୟାଚ୍‌ ମଧ୍ୟ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିଲା, ଯେଉଁଠାରେ ଭାରତୀୟ ଦଳ ପାକିସ୍ତାନକୁ ଏକତରଫା ଭାବେ ପରାସ୍ତ କରିଥିଲା। ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ଉଇକେଟ ହରାଇ ମାତ୍ର ୧୨୭ ରନ ସଂଗ୍ରହ କରି ପାରିଥିଲା। ଜବାବରେ ଭାରତୀୟ ଦଳ ଏହି ଲକ୍ଷ୍ୟକୁ ୧୫.୫ ଓଭରରେ ମାତ୍ର ୩ ଉଇକେଟ ହରାଇ ହାସଲ କରି ନେଇଥିଲା। ତେଣୁ ଏଥର ମଧ୍ୟ ଭାରତୀୟ ଦଳର ବିଜେତା ହେବା ନିଶ୍ଚିତ ବୋଲି କୁହାଯାଉଛି।

Share
Tags: Ind vs Pak