କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି ଭାରତୀୟ ଓପନର୍ ଅଭିଷେକ ଶର୍ମାଙ୍କୁ ଶସ୍ତାରେ ଆଉଟ୍ କରିବାରେ ସଫଳ ହୋଇଛି। ଅସୁସ୍ଥତା କାରଣରୁ ନାମ୍ବିୟା ବିପକ୍ଷ ମ୍ୟାଚ୍ ମିସ୍ କରିଥିବା ଅଭିଷେକ ଦଳକୁ ଫେରିଥିଲେ ମଧ୍ୟ ୪ଟି ବଲ୍ ଖେଳି କୌଣସି ରନ୍ ନ କରି ପ୍ୟାଭିଲିୟନ ଫେରିଥିଲେ।
ସାଧାରଣତଃ ଶାହୀନ ଆଫ୍ରିଦି ନୂଆ ବଲ୍ରେ ବୋଲିଂ ଆରମ୍ଭ କରନ୍ତି। କିନ୍ତୁ ଆଜି ସଲମାନ ଆଘା ନିଜେ ପ୍ରଥମ ଓଭର ବୋଲିଂ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ। ଏହି ରଣନୀତି କାମ ଦେଇଥିଲା ଏବଂ ଓଭରର ଶେଷ ବଲ୍ରେ ସେ ଅଭିଷେକଙ୍କୁ ଆଉଟ୍ କରିଥିଲେ। ଚଳିତ ବିଶ୍ୱକପ୍ରେ ଅଭିଷେକ ଶର୍ମାଙ୍କର ଏହା ଦ୍ୱିତୀୟ ଶୂନ ରନ୍। ପୂର୍ବରୁ ସେ ଆମେରିକା (USA) ବିପକ୍ଷରେ ମଧ୍ୟ ‘ଗୋଲ୍ଡେନ୍ ଡକ୍’ର ଶିକାର ହୋଇଥିଲେ।
ମ୍ୟାଚ୍ ଆରମ୍ଭ ପୂର୍ବରୁ ଟସ୍ ସମୟରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ପାକ୍ ଅଧିନାୟକ ସଲମାନ ଆଘାଙ୍କ ମଧ୍ୟରେ କୌଣସି କରମର୍ଦ୍ଦନ ହୋଇନଥିଲା। ଗତ ବର୍ଷ ଏସିଆ କପ୍ରୁ ଚାଲିଆସୁଥିବା ଏହି ପରମ୍ପରା ଆଜି ମଧ୍ୟ ଦେଖିବାକୁ ମିଳିଛି।
ଆଜିର ମ୍ୟାଚ୍ ଯିଏ ଜିତିବ, ସେ ଦଳ ସୁପର-୮ ପର୍ଯ୍ୟାୟ ପାଇଁ ନିଜର ସ୍ଥାନ ପ୍ରାୟତଃ ପକ୍କା କରିବ। ଭାରତୀୟ ଦଳ ଏହି ମ୍ୟାଚରେ ଦୁଇଟି ପରିବର୍ତ୍ତନ କରିଛି—ଅର୍ଶଦୀପ ସିଂ ଓ ସଞ୍ଜୁ ସାମସନଙ୍କ ବଦଳରେ ଅଭିଷେକ ଶର୍ମା ଓ କୁଲଦୀପ ଯାଦବଙ୍କୁ ସୁଯୋଗ ମିଳିଛି।