ନୂଆଦିଲ୍ଲୀ,୧୦ା୫: ପହଲଗାମ୍ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ମେ’ ୭ରେ ‘ଅପରେଶନ୍ ସିନ୍ଦୂର’ ପରଠୁ ଭାରତ- ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମସୀମାରେ ପହଞ୍ଚିଛି। ଏଭଳିସ୍ଥତିରେ ଶନିବାର ରେଳବିଭାଗ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଜମ୍ମୁ ଏବଂ ପଞ୍ଜାବର ପାକିସ୍ତାନ ସୀମା ସଂଲଗ୍ନ ଅଞ୍ଚଳରେ ରାତିରେ ଟ୍ରେନ ଚଳାଚଳ ଉପରେ ବଡ଼ ପଦକ୍ଷେପ ନିଆଯାଇଛି। ରାତିରେ ପାକିସ୍ତାନ ସହିତ ଜମ୍ମୁ ଏବଂ ପଞ୍ଜାବର ସୀମାବର୍ତ୍ତୀ ଅଞ୍ଚଳକୁ ଯାଉଥିବା ଟ୍ରେନଗୁଡ଼ିକୁ ବନ୍ଦ କରିବାକୁ ରେଳ ବିଭାଗ ନିଷ୍ପତ୍ତି ନେଇଛି।
ମିଳିଥିବା ସୂଚନା ଅନୁଯାୟୀ, ରାତିରେ ଅମୃତସର, ବଠିଣ୍ଡା, ଫିରୋଜପୁର, ଜମ୍ମୁ ଭଳି ସ୍ଥାନ ଦେଇ ଯାଉଥିବା ଟ୍ରେ ଗୁଡ଼ିକର ସମୟସୂଚୀ ଏବେ ପୁନଃନିର୍ଦ୍ଧାରିତ ହେବ। ଏହି ସ୍ଥାନଗୁଡ଼ିକ ଦେଇ ଯାଉଥିବା ଟ୍ରେନଗୁଡ଼ିକର ସମୟସୂଚୀ ପୁନଃର୍ନିଦ୍ଧାରଣ କରାଯିବ ଏବଂ ସକାଳେ ଚଳାଚଳ କରାଯିବ। ସେହି ସମୟରେ, କମ୍ ଦୂରତା ଟ୍ରେନଗୁଡ଼ିକୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ଜୈସଲମେର ଅଞ୍ଚଳରେ ହାଇଆଲର୍ଟ ଯୋଗୁ ଜିଲା ପ୍ରଶାସନର ପରାମର୍ଶ ଅନୁଯାୟୀ ଜୈସଲମେର ଷ୍ଟେସନରେ ଟ୍ରେନ ଚଳାଚଳକୁ ସ୍ଥଗିତ ରଖାଯାଇଛି।
ସୂଚନା ଯୋଗ୍ୟ, ଯେଉଁ ଟ୍ରେନ୍ଗୁଡିକ ରାତିରେ ସୀମାବର୍ତ୍ତୀ ଅଞ୍ଚଳ, ଯେପରିକି ଅମୃତସର, ଜମ୍ମୁ ଏବଂ ଫିରୋଜପୁରରେ ପହଞ୍ଚୁ ଥିଲା ସେଗୁଡ଼ିକ ସକାଳେ ଗନ୍ତବ୍ୟସ୍ଥଳରେ ପହଞ୍ଚିବ। ଏହି ନିଷ୍ପତ୍ତି ଯୋଗୁ ୧୫ରୁ ଅଧିକ ଟ୍ରେନ ପ୍ରଭାବିତ ହେବ। ତଥାପି, ଯାତ୍ରୀମାନଙ୍କୁ ଆଣିବା ପାଇଁ, ରେଳ ବିଭାଗ ଦିନରେ ସ୍ବତନ୍ତ୍ର ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନେଇଛି। ଏପରିକି ଦିନରେ ଚାଲୁଥିବା ସମସ୍ତ ଟ୍ରେନ ଯଥାରୀତି ଚାଲିବ।
ସୀମାନ୍ତ ଅଞ୍ଚଳରେ ବଢ଼ିଲା ସତର୍କତା
ପହଲଗାମ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ଏପରି ପରିସ୍ଥିତିରେ ଭାରତ ପାକିସ୍ତାନ ଉପରେ କଠୋର କଟକଣା ଲଗାଇଥିଲା। ହେଲେ ପାକିସ୍ତାନ ତାର କାର୍ଯ୍ୟକଳାପରୁ ନିବୃତ୍ତ ହେଉନାହିଁ ଏବଂ ବାରମ୍ବାର ସୀମା ଉଲ୍ଲଂଘନ କରୁଛି। ଏହା ଉପରେ ଭାରତୀୟ ସେନା ପାକିସ୍ତାନକୁ ଉଚିତ ଜବାବ ଦେଉଛି। ଏହି ସମୟରେ, ସୀମାରେ ସତର୍କତା ବୃଦ୍ଧି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି, ଭାରତୀୟ ରେଳ ବିଭାଗ ସୀମାନ୍ତ ଅଞ୍ଚଳକୁ ଯାଉଥିବା ଟ୍ରେନଗୁଡ଼ିକ ପାଇଁ କଟକଣା ଜାରି କରିଛି।