୫ କ୍ରଶରରେ ଆୟକର ଚଢ଼ାଉ

ଯାଜପୁର ଅଫିସ/ଧର୍ମଶାଳା, ୧୭ା୬(ଡି.ଏନ.ଏ.):ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ଡଙ୍କାରୀ ପାହାଡ଼ ପାଦଦେଶରେ ଥିବା କ୍ରଶର ୟୁନିଟ୍‌ କୋଣାର୍କ, ଅରୁଣୀ, କଲ୍ୟାଣୀ, ଏସ୍‌ଟି ମିନେରାଲ୍ସ ଓ ପିଜେ ମିନେରାଲ୍ସ ଉପରେ ଗୁରୁବାର ସକାଳେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ୨ ପ୍ଲାଟୁନ ପୋଲିସ ଫୋର୍ସ ସହାୟତାରେ ଆୟକର ବିଭାଗ ଅଧିକାରୀ ମଙ୍ଗରାଜ ସେଠୀଙ୍କ ନେତୃତ୍ୱରେ ଏକ ଟିମ୍‌ ଏକ ସାଙ୍ଗରେ ସାରୋଇ, ଜାରକା ସମେତ ଡଙ୍କାରୀଠାରେ ବିଭିନ୍ନ କ୍ରଶର ୟୁନିଟ୍‌ରେ ଛାନଭିନ କରିଛନ୍ତି। ସେହିପରି ଡଙ୍କାରୀ ପାହାଡ଼ର ଲିଜ୍‌ଧାରୀ ଶ୍ରୀବାସ ଜେନାଙ୍କ ଭୁବନେଶ୍ୱର ଓ ସାରୋଇସ୍ଥିତ ବାସଭବନ, କାର୍ଯ୍ୟାଳୟରେ ମଧ୍ୟ ଆୟକର ବିଭାଗ ଟିମ୍‌ ଚଢ଼ାଉ କରି ଯାଞ୍ଚ ଚଳାଇଥିବା ଜଣାପଡ଼ିଛି। ଜିଏସ୍‌ଟି ଓ ଅନ୍ୟାନ୍ୟ ଆୟକର ଠକେଇ ଅଭିଯୋଗ କ୍ରମେ ଏହି ଚଢ଼ାଉ ହୋଇଥିବା ସୂଚନା ମିଳିଛି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ସରକାରୀ ଭାବେ କୌଣସି ତଥ୍ୟ ଜଣାପଡ଼ିନାହିଁ।
ରାଜସ୍ବ ଲୁଟ୍‌ ଏବଂ ଆୟକର ଫାଙ୍କି କରୁଥିବା ବ୍ୟକ୍ତିଙ୍କ ବାସ୍ତବତା ଲୋକ ଲୋଚନକୁ ଆସି ପାରିଲେ ତାହା ଧର୍ମଶାଳା ତହସିଲର ଡିମାଣ୍ଡ ନୋଟିସ ଏବଂ ଏନଜିଟିର ରାୟ ଉପରେ ପ୍ରଭାବ ପଡିପାରେ ବୋଲି ଆବେଦନକାରୀ ସର୍ବେଶ୍ୱର ବେହୁରା ଆଶାପ୍ରକାଶ କରିଛନ୍ତି। ୨୦୦୨ରୁ ୨୦୧୮ ମଧ୍ୟରେ ଡଙ୍କାରୀ ପାହାଡରୁ ବିପୁଳ ମୂଲ୍ୟବାନ କଳାପଥର ଲୁଟ ଅଭିଯୋଗ ହୋଇଥିଲା। ଏନେଇ ଖଣି ବିଭାଗ ପକ୍ଷରୁ ମାପଚୁପ କରି କ୍ଷୟକ୍ଷତିର ରିପୋର୍ଟ ଦାଖଲ କରାଯାଇଥିଲା। ଏହାପରେ ଧର୍ମଶାଳା ତହସିଲଦାର ୨୮ା୫ା୨୦୧୬ରେ ସାରୋଇ ଗ୍ରାମର ଲିଜଧାରୀ ଶ୍ରୀବାସ ଜେନାଙ୍କୁ ୫୮ କୋଟି ୬୨ ଲକ୍ଷ ୭୯ ହଜାର ୬୩୩ ଟଙ୍କା ଅତିରିକ୍ତ ରାଜସ୍ବ ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଲିଜଧାରୀ ଶ୍ରୀବାସ ଏହା ବିରୋଧରେ ହାଇକୋର୍ଟର ଦ୍ୱାରସ୍ଥ ହେବା ପରେ ତାହା ବିଚାରାଧୀନ ରହିଛି। ଏହାପରେ ଆବେଦନକାରୀ ସର୍ବେଶ୍ୱର ବେହୁରା ନ୍ୟାୟ ପାଇଁ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ର ଦ୍ୱାରସ୍ଥ ହୋଇଥିଲେ। ଏନ୍‌ଜିଟିରେ ଏନେଇ ୬୦୪/୨୦୧୮ ନମ୍ବରରେ ଏକ ମାମଲା ରୁଜୁ ହୋଇଥିଲା। ଏନ୍‌ଜିଟି ୨୦୧୯ ଫେବୃୟାରୀରେ ଏହି ମାମଲାର ଶୁଣାଣି କରି କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) ପାଖରେ ମଧ୍ୟବର୍ତ୍ତିକାଳୀନ କ୍ଷତିପୂରଣ ବାବଦକୁ ୧ ମାସ ମଧ୍ୟରେ ୨୫ କୋଟି ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ପୃକ୍ତ ଅଧିକାରୀମାନଙ୍କଠାରୁ କିମ୍ବା ବେଆଇନ ଖାଦାନ ବ୍ୟବସାୟୀଙ୍କଠାରୁ ଉପରୋକ୍ତ ଅର୍ଥ ଆଦାୟ କରାଯିବ ବୋଲି ନିର୍ଦ୍ଦେଶରେ ଦର୍ଶାଯାଇଥିଲା।
ତେବେ ଏହା ବିରୋଧରେ ଯାଜପୁର ଜିଲା ପ୍ରଶାସନ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲା। ଆସନ୍ତା ଜୁଲାଇରେ ଏହାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଆବେଦନକାରୀ ବେହୁରା ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ଏହି ବେଆଇନ କାର୍ଯ୍ୟକୁ ସହଯୋଗ କରିଥିବା ଡଙ୍କାରୀ ସର୍କଲର ୧୦ ଜଣ ରାଜସ୍ବ ନିରୀକ୍ଷକଙ୍କ ସମେତ ଧର୍ମଶାଳା ତହସିଲର ୧୦ ଜଣ ତହସିଲଦାର ଓ ୬ ଜଣ ଯାଜପୁର ଉପଜିଲାପାଳଙ୍କ ନାମରେ ୨୩ା୮ା୨୦୧୬ରେ ଓଡ଼ିଶା ସିଭିଲ ସର୍ଭିସ ଧାରା-୧୫ ଅନୁଯାୟୀ ତଦନ୍ତ କରିବାକୁ ତତ୍କାଳୀନ ଜିଲାପାଳ ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀ ବିଜ୍ଞପ୍ତି ପ୍ରକାଶ କରିଥିଲେ। ତେବେ ଏହି ବିଜ୍ଞପ୍ତିର ୬ ବର୍ଷ ଅତିକ୍ରାନ୍ତ ହୋଇସାରିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରିଲା ନାହିଁ। ତେବେ ଏନ୍‌ଜିଟି ନିର୍ଦ୍ଦେଶ ପରେ ଉପରୋକ୍ତ ଅଧିକାରୀମାନେ ଉତ୍ତରଦାୟୀ ରହିବା କଥା। ଏହି ବେଆଇନ ଉତ୍ତୋଳନରେ ପ୍ରାୟ ୬ ଜଣ ପଥର ବ୍ୟବସାୟୀ ସମ୍ପୃକ୍ତ ଥିବା କୁହାଯାଉଛି। ଏନ୍‌ଜିଟି ନିର୍ଦ୍ଦେଶ ଅନୁସାରେ ସେମାନଙ୍କଠାରୁ ୨୫ କୋଟି ଟଙ୍କା ଆଦାୟ କରି ଜମା କରିବା କଥା। କିନ୍ତୁ ରାଜ୍ୟ ସରକାର ଏହି ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ ପଥର ମାଫିଆଙ୍କୁ ସୁରକ୍ଷା ଦେବାକୁ ଯାଇ ଅଯଥା କୋର୍ଟକଚେରୀର ଦ୍ୱାରସ୍ଥ ହେଉଥିବା ମତପ୍ରକାଶ ପାଇଛି।