ନୂଆଦିଲ୍ଲୀ,୭।୧୧: ସାଧାରଣତଃ ଲୋକେ ଭାବନ୍ତି ଯେ ବ୍ୟାଙ୍କରେ ଟଙ୍କା ଜମା କରିବା ସମ୍ପୂର୍ଣ୍ଣ ନିରାପଦ। କିନ୍ତୁ ଯଦି ଆପଣ ଗୋଟିଏ ଆର୍ଥିକ ବର୍ଷରେ ନିର୍ଦ୍ଧିଷ୍ଟ ସୀମା ଅପେକ୍ଷା ଅଧିକ ନଗଦ ଟଙ୍କା ବ୍ୟାଙ୍କରେ ଜମା କରନ୍ତି, ତେବେ ଏହା ଆୟକର ବିଭାଗର ନଜରରେ ପଡ଼ିପାରେ। ପ୍ରକୃତରେ ବ୍ୟାଙ୍କ ଏବଂ ସହକାରୀ ବ୍ୟାଙ୍କଗୁଡ଼ିକର ନେଣଦେଣ ସୂଚନା ଆୟକର ବିଭାଗକୁ ଦେବା ବାଧ୍ୟତାମୂଳକ।
ନିକଟରେ ଦିଲ୍ଲୀର ଆୟକର ଆପିଲେଟ ଟ୍ରିବ୍ୟୁନାଲ (ITAT) ଗୋଟିଏ ମାମଲାରେ ସ୍ପଷ୍ଟ କହିଛି ଯେ ଯଦି କୌଣସି ବ୍ୟକ୍ତିର ଖାତାରେ ବଡ଼ ପରିମାଣର ନଗଦ ରାଶି ଜମା ହୋଇଥାଏ, ତେବେ ଆୟକର ବିଭାଗକୁ ତାହାର ଉତ୍ସ (ସୋର୍ସ) ଯାଞ୍ଚ କରିବାର ପୂର୍ଣ୍ଣ ଅଧିକାର ରହିଛି। ଏହି ରାୟ ପରେ ଅନେକ ଲୋକ ବଡ଼ ନଗଦ ଜମାକୁ ନେଇ ସତର୍କ ହୋଇଯାଇଛନ୍ତି।
ଆୟକର ବିଭାଗ କାହିଁକି ନଜର ରଖେ?
ବ୍ୟାଙ୍କରେ ଅଧିକ ନଗଦ ଜମା କରିବା କୌଣସି ଅପରାଧ ନୁହେଁ, କିନ୍ତୁ ଯଦି ଆପଣ ସେହି ଟଙ୍କାର ଉତ୍ସ ପ୍ରମାଣ କରିପାରିବେ ନାହିଁ, ତେବେ ତାହାକୁ ଅଘୋଷିତ ଆୟ (Unaccounted Money) ଭାବେ ଗଣାଯାଇପାରେ। ଆୟକର ବିଭାଗ ଏଭଳି ନେଣଦେଣ ଉପରେ ନଜର ରଖେ କାରଣ ଏହା ଟ୍ୟାକ୍ସ ଚୋରି କିମ୍ବା କଳା ଟଙ୍କା ସହ ଜଡ଼ିତ ହୋଇପାରେ। ଯଦି ଆପଣ ଗୋଟିଏ କିମ୍ବା ଏକାଧିକ ବ୍ୟାଙ୍କ ଖାତାରେ ୧୦ ଲକ୍ଷ ଟଙ୍କା କିମ୍ବା ତା’ଠାରୁ ଅଧିକ ନଗଦ ଜମା କରନ୍ତି, ତେବେ ବ୍ୟାଙ୍କ ସ୍ବୟଂ ଏହାର ସୂଚନା ଟ୍ୟାକ୍ସ ବିଭାଗକୁ ପଠାଇଦିଏ। ତା’ପରେ ବିଭାଗ ଆପଣଙ୍କୁ ନୋଟିସ ପଠାଇ ସେହି ରାଶିର ଉତ୍ସ ପଚାରିପାରେ।
ନୋଟିସ ଆସିଲେ କ’ଣ କରିବେ?
ଯଦି ଆୟକର ବିଭାଗରୁ ନୋଟିସ ଆସେ, ତେବେ ଭୟଭୀତ ହେବାର ଆବଶ୍ୟକତା ନାହିଁ। ପ୍ରଥମେ ନୋଟିସ କାହିଁକି ଆସିଛି ତାହା ବୁଝନ୍ତୁ। ଯଦି ଏହା ବଡ଼ ନଗଦ ଜମା ସହ ଜଡ଼ିତ, ତେବେ ଆପଣଙ୍କୁ ସେହି ଟଙ୍କାର ଉତ୍ସ ଏବଂ ଆୟର ପ୍ରମାଣ ଦେଖାଇବାକୁ ପଡ଼ିବ। ଉଦାହରଣସ୍ବରୂପ ଯଦି ଟଙ୍କା ସମ୍ପତ୍ତି ବିକ୍ରି, ବ୍ୟବସାୟ ଆୟ, ନିବେଶ ରିଟର୍ଣ୍ଣ କିମ୍ବା ଉପହାର ରୂପେ ମିଳିଛି, ତେବେ ତାହାର ଡକ୍ୟୁମେଣ୍ଟସ, ବ୍ୟାଙ୍କ ଷ୍ଟେଟମେଣ୍ଟ କିମ୍ବା ରସିଦ ପ୍ରସ୍ତୁତ ରଖନ୍ତୁ। ସଠିକ ପ୍ରମାଣ ଦେଲେ ଆପଣ ସହଜରେ ପରିସ୍ଥିତିରୁ ମୁକୁଳିପାରିବେ ଏବଂ କୌଣସି ଆଇନଗତ ଝାମେଲାରୁ ରକ୍ଷା ପାଇପାରିବେ।
ନୋଟିସରୁ ବର୍ତ୍ତିବାର ସହଜ ଉପାୟଗୁଡ଼ିକ:
-ନଗଦ ସୀମାର ଧ୍ୟାନ ରଖନ୍ତୁ: ଗୋଟିଏ ଆର୍ଥିକ ବର୍ଷରେ ମୋଟ ନଗଦ ଜମା ୧୦ ଲକ୍ଷ ଟଙ୍କାରୁ କମ ରଖିବାକୁ ଚେଷ୍ଟା କରନ୍ତୁ।
-ସବୁ ଲେଣଦେଣ ଡକ୍ୟୁମେଣ୍ଟ ଦାଖଲ ରଖନ୍ତୁ: ଯଦି ବଡ଼ ନଗଦ ଜମା କରିବାକୁ ପଡ଼େ, ତାହାର ଉତ୍ସ ଡକ୍ୟୁମେଣ୍ଟରେ ନିହିତ କରନ୍ତୁ।
-ଡିଜିଟାଲ ପେମେଣ୍ଟ ଅପଣାନ୍ତୁ: ଯେତେ ସମ୍ଭବ ଅନଲାଇନ ଲେଣଦେଣ କରନ୍ତୁ ଯାହା ଦ୍ୱାରା ରେକର୍ଡ ସ୍ବୟଂ ତିଆରି ହୋଇଥାଏ।
-ନୋଟିସର ତୁରନ୍ତ ପ୍ରତିକ୍ରିୟା ଦିଅନ୍ତୁ: ବିଳମ୍ବ କଲେ ଟିକସ ବିଭାଗ ଜରିମାନା କିମ୍ବା ପେନାଲ୍ଟି ଲଗାଇପାରେ।
-ITRରେ ସଠିକ ସୂଚନା ଦିଅନ୍ତୁ: ଆୟକର ରିଟର୍ନରେ ସବୁ ଆୟର ଉତ୍ସ ସଚ୍ଚୋଟ ଭାବେ ଦର୍ଶାନ୍ତୁ।
ନଗଦ ଉଠାଣ (କ୍ୟାଶ ଉଇଥଡ୍ରଲ) ଉପରେ ମଧ୍ୟ ନଜର ରହିଛି:
ଆୟକର ବିଭାଗ କେବଳ ଜମା ଟଙ୍କା ଉପରେ ନୁହେଁ, ନଗଦ ଉଠାଣ ଉପରେ ମଧ୍ୟ ନଜର ରଖେ। ବ୍ୟାଙ୍କ ପ୍ରତି ମାସରେ ଗୋଟିଏ ଉଠାଣ ସୀମା ନିର୍ଦ୍ଧାରଣ କରେ। ଉଦାହରଣସ୍ବରୂପ, HDFC ବ୍ୟାଙ୍କରେ ପ୍ରତି ମାସ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନଗଦ ଉଠାଣ ମାଗଣା, କିନ୍ତୁ ତା’ପରେ ଚାରି ଲେଣଦେଣ ପରେ ପ୍ରତ୍ୟେକ ଥର ୧୫୦ ଟଙ୍କା ଚାର୍ଜ ଲାଗେ। ଯଦି ଆପଣ ବାରମ୍ବାର ବଡ଼ ନଗଦ ଟଙ୍କା ଉଠାନ୍ତି ଏବଂ ତାହା ଆପଣଙ୍କ ଆୟ ସହ ମେଳ ଖାଏ ନାହିଁ, ତେବେ ବ୍ୟାଙ୍କ ଏହାର ରିପୋର୍ଟ ଆୟକର ବିଭାଗକୁ ପଠାଇପାରେ।