ଖଇରା,୨୬/୬(ଉତ୍କଳବନ୍ଧୁ ପଣ୍ଡା)ବାଲେଶ୍ବର ଜିଲା ଅନ୍ତର୍ଗତ ଖଇରା ବଜାର ଠାରୁ ଅନତିଦୁରରେ ଭୋଜି ବେଳେ ପୁରୁଣା ଟଙ୍କା ଦିଆନିଆକୁ ନେଇ ପ୍ରଥମେ ପାଟିତୁଣ୍ଡ ଓ ପରେ ଠେଲାପେଲା ଯୋଗୁ ଜଣକର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଜୟରାମ ସାହୁ(୫୧) । ଘର ଖଇରା ବଜାର ସଂଲଗ୍ନ ପୁରୁଷୋତ୍ତମପୁର ଗ୍ରାମରେ। ଜୟରାମ ଠେଲାପେଲା କରିବା ଓ ଏଥିଯୋଗୁ ମୃତ୍ୟୁବରଣ କରିବା ଅଭିଯୋଗରେ ଖଇରା ପୋଲିସ ଖଇରା ହାଇସ୍କୁଲ ନିକଟରେ ପାନ ଦୋକାନ କରିଥିବା ବସନ୍ତ ବେହେରା ଓ ଅନ୍ୟ ଜଣେ ସହଯୋଗୀଙ୍କୁ ଥାନାରେ ଅଟକ ରଖିଛି।
ବୁଧବାର ରାତିରେ ବସନ୍ତଙ୍କ ପାନ ଦୋକାନ ଠାରୁ ଅନତି ଦୁରରେ ଜୟରାମ,ବସନ୍ତ ଓ ତାଙ୍କର ଅନ୍ୟ କିଛି ସହଯୋଗୀ ଭୋଜିର ଆୟୋଜନ କରିଥିଲେ । ଭୋଜି ପରେ ପୁରୁଣା ବାକି ପଇସା ଦିଆନିଆକୁ ନେଇ ଜୟରାମ ଓ ବସନ୍ତଙ୍କ ମଧ୍ୟରେ ପାଟିତୁଣ୍ଡ ଓ ଠେଲାପେଲା ହୋଇଥିଲା । ଏଥିରେ ଜୟରାମ ଗୁରୁତର ହୋଇ ପଡିବା ପରେ ତାଙ୍କୁ ସହଯୋଗୀ ମାନେ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ ।