ବିଜେଡି ବିକ୍ଷୋଭରେ ଛାତ୍ରୀଛାତ୍ରଙ୍କୁ ସାମିଲ ଘଟଣା: ଥାନାରେ ଅଭିଯୋଗ କଲା ବ୍ରାହ୍ମଣୀଗାଁ ଭାଜପା

ଦାରିଙ୍ଗବାଡି, ୭।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଯୁବ ଏବଂ ଛାତ୍ର ବିଜେଡି ପକ୍ଷରୁ ବୁଧବାର ରାଜ୍ୟରେ ଛାତ୍ରୀ ଓ ନାରୀ ଅସୁରକ୍ଷିତ ଓ ନିର୍ଯାତନା ବୃଦ୍ଧି ପ୍ରତିବାଦରେ ସଭା ଓ ଶୋଭାଯାତ୍ରା କରାଯାଇଥିଲା। ଏଥିରେ ବ୍ରାହ୍ମଣୀଗାଁଠାରେ ରହିଥିବା ଋଷିମାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଋଷିମାଳ ମହାବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କୁ ସାମିଲ କରାଯାଇଥିବା ଅଭିଯୋଗ ହୋଇଛି। ବ୍ରାହ୍ମଣୀଗାଁର ଭାଜପା ମଣ୍ଡଳ ସଭାପତି ଗଣେଶ ଡାକୁଆ ଏନେଇ ବ୍ରାହ୍ମଣୀଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ୨ଟି ଯାକ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ନାମରେ ଦଳ ଅଭିଯୋଗ କରିଛ।
ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି ଯେ ଛାତ୍ରୀଛାତ୍ରମାନେ ଏକ ନିର୍ଦ୍ଧିଷ୍ଟ ଦଳରେ ସାମିଲ ହୋଇ ପ୍ରତିବାଦ ସଭା ଓ ଶୋଭାଯାତ୍ରାରେ ଯାଇ ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ ଏବଂ ଆଇନ ମନ୍ତ୍ରୀଙ୍କ ବିରୋଧରେ ନାରାବାଜି ଦେଇଥିଲେ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପୋଷ୍ଟର, ପ୍ଲାକାର୍ଡ ଧରି ମହାବିଦ୍ୟାଳୟରୁ ଏହି ଶୋଭାଯାତ୍ରା ବାହାରି ବଜାର ଦେଇ ଥାନାରେ ପହଞ୍ଚିଥିବା ଦେଖିବାକୁ ମିଳିଥିଲା। ଏଣୁ ଦୁଇ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶରେ ଏହି ସବୁ ଆନ୍ଦୋଳନ ହୋଇଥିବା ଓ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦଳ ଦାବି କରିଛି। ଏହି ଅଭିଯୋଗ ପତ୍ର ଥାନାରେ ଆଇଆଇସି ବିଜୟ କୁମାର ହାଇବୁରୁଙ୍କୁ ପ୍ରଦାନ କରାଯିବା ସହ ନିରପେକ୍ଷ ତଦନ୍ତ ଦାବି କରିଛି ଭାଜପା ଦଳ। ଏହି ଅଭିଯୋଗ ଥାନାରେ ଦିଆଯିବା ସମୟରେ ବ୍ରାହ୍ମଣୀଗାଁ ମଣ୍ଡଳ ସଭାପତି ଗଣେଶ ଡାକୁଆଙ୍କ ସମେତ ରାଜ୍ୟ କାର୍ଯ୍ୟକାରିଣୀ ପରିଷଦର ସଦସ୍ୟ ସୁକାନ୍ତ କୁମାର ସାହୁ, ଶଙ୍କର ବେହେର ଦଳାଇ, ସୁଧୀର ସିଂ,ବାଳକୃଷ୍ଣ ମହାକୁଡ଼, ତ୍ରିନାଥ ବିଶୋଇ, ଶ୍ୟାମ ମହାକୁଡ଼,କପିକେଶ୍ୱର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Share
Tags: bjpodisha