ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଅପହଞ୍ଚ: ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବାରୁ ଗର୍ଭବତୀଙ୍କ ଅକାଳ ମୃତ୍ୟୁ ଅଭିଯୋଗ

ଦାରିଙ୍ଗବାଡି, ୩।୪ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଜଣେ ଗର୍ଭବତୀଙ୍କ ଗୁରୁବାର ଅପରାହ୍ନରେ ଅକାଳରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ରାସ୍ତା ଖରାପ ଯୋଗୁ ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବା କାରଣରୁ ଏହି ମୃତ୍ୟୁ ହୋଇଥିବା ପରିବାର ଲୋକ କହିଛନ୍ତି। ମୃତ ଗର୍ଭବତୀ ମହିଳା ହେଲେ ଉକ୍ତ ଥାନା ସରାମୁଳି ପଞ୍ଚାୟତ ସିଞ୍ଜାକୁଟି ଗ୍ରାମର ହେମଲୀ ପାଟମାଝୀ (୨୨) ବୋଲି ଜଣାପଡିଛି। ତାଙ୍କର ଏହା ପ୍ରଥମ ଗର୍ଭ ବୋଲି ଜଣାପଡିଛି ।

ପ୍ରକାଶ ଯେ, ହେମଲୀ ୭ ମାସର ଗର୍ଭବତୀ ରହିଥିଲେ। ସେ ଗୁରୁବାର ହଠାତ ଅସୁସ୍ଥ ହେବା ସହ ଗୋଡ଼ ହାତ ଛାଟିପିଟି ହୋଇଥିଲା। ପରିବାର ଲୋକ ଆମ୍ବୁଲାନ୍ସ ଡକାଇଥିଲେ ତେବେ ଗାଁକୁ ସବୁଦିନିଆ ଭଲ ରାସ୍ତାଟିଏ ନ ଥିବାରୁ ବିଳମ୍ବରେ ଆମ୍ବୁଲାନ୍ସ ପହଞ୍ଚିଥିଲା। ସେଠାରୁ ବ୍ରାହ୍ମଣୀଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯିବା ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ ଅନ୍ୟତ୍ର ଅଧିକା ଚିକିତ୍ସା ପାଇଁ ପଠାଇଥିଲେ। ପରେ ପରିବାର ଲୋକ ଜନନୀ ଆମ୍ବୁଲାନ୍ସ କରି ବ୍ରହ୍ମପୁର ଅଭିମୁଖେ ନେବା ସମୟରେ ହେମଲୀ ଆହୁରି ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ଗଜପତି ଜିଲା ମୋହନା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିବା ପରିବାର ଲୋକ କହିଛନ୍ତି। ଏନେଇ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଇନଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟ କହିଛନ୍ତି ଯେ, ତାଙ୍କର ରକ୍ତଚାପ ବୃଦ୍ଧି ସହ ଫିଟସ ମାରିଥିଲା। ବ୍ରାହ୍ମଣୀଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଅନ୍ୟତ୍ର ଅଧିକା ଚିକିତ୍ସା ପାଇଁ ଯିବାକୁ ପରାମର୍ଶ ଦିଆଯାଇଥିଲା। ଘଟଣାର ତଦନ୍ତ ପାଇଁ ସେ ଓ ସିଡିପିଓ ମିଳିତ ଭାବେ ତଦନ୍ତ କରିବୁ ଓ ତଦନ୍ତ ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି ସେ କହିଛନ୍ତି।

 

Dharitri – Odisha’s No.1 Odia Daily