ଏଇ ଭାରତରେ

ଏମିତି କୃଷକ ହୁଏତ ଭାରତରେ କାହିଁକି ସାରା ବିଶ୍ୱରେ ବି କମ୍‌ ଥିବେ, ଯିଏ ନିଜେ ଚାଷ କରି ବିଭିନ୍ନ କିସମର ଦେଶୀ ବିହନ ସଂଗ୍ରହ କରିବା ସହ ଅନ୍ୟ ଚାଷୀମାନଙ୍କୁ ମାଗଣାରେ ତାହାକୁ ବାଣ୍ଟୁଛନ୍ତି। ମଧ୍ୟପ୍ରଦେଶର ନର୍ମଦାପୁରମ୍‌ ଗଲେ ଦେଖିବେ ସେହି କୃଷକ ମାନସିଂ ଗୁର୍ଜରଙ୍କୁ। ମାନସିଂ ୬୦୦ରୁ ଊର୍ଦ୍ଧ୍ୱ ଦେଶୀ ବିହନ ସଂଗ୍ରହ କରି ରଖିଛନ୍ତି। ଏହାର ଚାଷ କରି ପ୍ରତିବର୍ଷ ଅନେକ ହଜାର ଚାଷୀଙ୍କୁ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ବିହନ ମାଗଣାରେ ଦେଉଛନ୍ତି। ବଡ଼ କଥା ହେଉଛି, ମାନସିଂ ଜୈବିକ ପଦ୍ଧତିରେ ୧୨ ବର୍ଷ ବୟସରୁ ଚାଷ କରୁଛନ୍ତି। ତାଙ୍କ ଚାଷ ପଦ୍ଧତି ସମ୍ପର୍କରେ ଚାଷୀମାନଙ୍କୁ ପ୍ରଶିକ୍ଷଣ ବି ଦେଉଛନ୍ତି। ସେ ନିଜ କ୍ଷେତରେ ୭ ଫୁଟର ଲାଉ ଓ ୩୦ କେଜି ଓଜନର ତରଭୂଜ ଫଳାଇବାରେ ସକ୍ଷମ ହୋଇଛନ୍ତି। ଦେଶୀ ବିହନ ସଂରକ୍ଷଣ କାର୍ଯ୍ୟ କରିବା ପାଇଁ ତାଙ୍କ ପରିବାରର ପୂର୍ବଜମାନଙ୍କଠାରୁ ସେ ପ୍ରେରଣା ପାଇଥିଲେ। ଏବେ ତାଙ୍କ ପାଖରେ ୨୩୦ ପ୍ରଜାତିର ଧାନ, ୧୦୦ ପ୍ରକାର ଗହମ, ୧୫୦ରୁ ଅଧିକ କିସମର ପରିବା ମଞ୍ଜି ଅଛି। ଲାଉର ୧୬ କିସମ ଓ ଲଙ୍କାର ୨୭ ପ୍ରକାର ମଞ୍ଜି ମଧ୍ୟ ତାଙ୍କ ନିକଟରେ ଉପଲବ୍ଧ ହେଉଛି। ଏହା ବ୍ୟତୀତ ୩୦ ପ୍ରଜାତିର ଡାଲି ବି ତାଙ୍କ ସଂଗ୍ରହାଳୟରେ ଅଛି। ମାନସିଂ ଏତେ କିସମର ବିହନ ବଞ୍ଚାଇ ରଖିବା ଲାଗି ୧୭ ଏକର ଜମିରେ ଚାଷ କରୁଛନ୍ତି।