ଏଇ ଭାରତରେ

ପରିବେଶ ସୁରକ୍ଷା ଆଗରେ ଚାକିରିର ମୂଲ୍ୟ କିଛି ନୁହେଁ, ଏହା ପ୍ରମାଣ କରିଛନ୍ତି ମୀରା ଚନ୍ଦ୍ରନ। କେରଳର ଉକ୍ତ ମହିଳା ବନ ବିଭାଗ ଓ ସ୍ଥାନୀୟ ଆଦିବାସୀମାନଙ୍କୁ ନେଇ ପଶ୍ଚିମଘାଟ ପର୍ବତମାଳାର ସୁରକ୍ଷାରେ ଲାଗିଛନ୍ତି। ମୀରା ଇଲେକ୍ଟ୍ରିକାଲ ଆଣ୍ଡ୍‌ ଇଲେକ୍‌ଟ୍ରୋନିକ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରି ଭଲ ଚାକିରି କରିଥିଲେ। ହେଲେ ତାହାକୁ ଛାଡ଼ି ପଶ୍ଚିମଘାଟ ପର୍ବତମାଳାରେ ଜଙ୍ଗଲ ସୁରକ୍ଷା ଲାଗି କାର୍ଯ୍ୟ କରୁଛନ୍ତି। ୨୦୧୦ରେ ‘ଫରେଷ୍ଟ ଫାଷ୍ଟ ସମିତି’ ଗଠନ କରି ସେ ଅଭିଯାନ ଚଳାଇଛନ୍ତି। ଜଙ୍ଗଲ ଧ୍ୱଂସ ଭଳି ପରିବେଶ ବିରୋଧୀ କାର୍ଯ୍ୟକଳାପରେ ବିଲୁପ୍ତ ହୋଇଯାଉଥିବା ମୂଲ୍ୟବାନ ଗଛର ସୁରକ୍ଷା କରିବା ସହ ସେ ୩୦୦ ଏକର ଜମିରେ ପୁନର୍ବାର ଜଙ୍ଗଲ ସୃଷ୍ଟି କରିପାରିଛନ୍ତି। ଜଙ୍ଗଲରେ ମାଟିକୁ ଆଚ୍ଛାଦିତ କରି ଜଙ୍ଗଲିଗଛକୁ ବଢ଼ାଇ ଦେଉ ନ ଥିବା ଜଙ୍ଗଲି ଘାସ ଜାତୀୟ ଗଛଗୁଡ଼ିକୁ ସଫା କରି ସ୍ଥାନୀୟ ଜଙ୍ଗଲି ଗଛ ଲଗାଉଛନ୍ତି। ଏବେ ସୁଦ୍ଧା ମୀରା ଓ ତାଙ୍କ ଟିମ୍‌ ବିଭିନ୍ନ ଔଷଧୀୟ ବୃକ୍ଷ ସମେତ ୧୫୦ ପ୍ରଜାତିର ଦେଶୀ ଗଛ ସୁରକ୍ଷା କରିସାରିଲେଣି। ଜଙ୍ଗଲରୁ ବିଲୁପ୍ତ ହେବାକୁ ଯାଉଥିବା ବହୁ ପ୍ରଜାତି ବୃକ୍ଷର ମଧ୍ୟ ସେ ସଂରକ୍ଷଣ କରୁଛନ୍ତି। କେରଳର ଓ୍ବେନାଡା ଏବଂ କର୍ନାଟକର କୋଡାଗୁରେ ସେ ୩୦୦ ଏକରରେ ଏହିସବୁ ଗଛ ବଢ଼ାଇବାରେ ସକ୍ଷମ ହୋଇଛନ୍ତି। ମୀରା ଏହି କାର୍ଯ୍ୟ କରି ସ୍ଥାନୀୟ ଲୋକମାନଙ୍କୁ ଜୀବିକା ଯୋଗାଇବାରେ ସକ୍ଷମ ହୋଇଛନ୍ତି।