ଏଇ ଭାରତରେ

ପବନରୁ ମିଳୁଥିବା ପାଣି ଜଳ ସଙ୍କଟ ଦୂର କରିବ। ଏଥିପାଇଁ ବିଶ୍ୱ ସ୍ତରରେ ଅଭିନବ ଉପାୟ ଅବଲମ୍ବନ କରୁଛନ୍ତି ବୈଜ୍ଞାନିକମାନେ। ହେଲେ ଭାରତର ଏକ ଷ୍ଟାର୍ଟଅପ୍‌ ଏ କ୍ଷେତ୍ରରେ କିଛି ପାଦ ଆଗକୁ ବଢ଼ିଛି। ବେଙ୍ଗାଲୁରୁସ୍ଥିତ ଷ୍ଟାର୍ଟଅପ୍‌ ‘ଉରାଭୁ ଲ୍ୟାବ୍‌’ର ୪ ଜଣ ଇଞ୍ଜିନିୟରଙ୍କ ଦ୍ୱାରା ଏହା ସମ୍ଭବ ହୋଇଛି। ସେମାନେ ଏକ ପ୍ରୋଟୋଟାଇପ ନିର୍ମାଣ କରିଛନ୍ତି; ଯାହା ପବନରୁ ଦିନକୁ ୫ ଲିଟର ପାଣି ସଂଗ୍ରହ କରୁଛି। ଏହାର ନାମ ରଖାଯାଇଛି ଉରାଭୁ ଏମ୍‌ଡବ୍ଲ୍ୟୁଜି। ସବୁଠୁ ବଡ଼ କଥା ହେଉଛି, ଏହି ମେଶିନ୍‌ ଶତପ୍ରତିଶତ ଅକ୍ଷୟ ଶକ୍ତି ଦ୍ୱାରା ପରିଚାଳିତ। ନ୍ୟାଶ୍‌ନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍‌ନୋଲୋଜି (ଏନ୍‌ଆଇଟି), କାଲିକଟର ସ୍ବପ୍ନିଳ ଶ୍ରୀବାସ୍ତବ ଏବଂ ଭେଙ୍କଟେଶ ଆର୍‌ ପ୍ରଥମେ ବର୍ଷାଜଳ ଅମଳ ଏବଂ ଓ୍ବେଷ୍ଟ ଓ୍ବାଟର ଟ୍ରିଟମେଣ୍ଟ୍‌ ଉପରେ କାମ କରୁଥିଲେ। ପରେ ସେମାନେ ଏହାକୁ ଆରମ୍ଭ କରିଛନ୍ତି। ୨୦୧୯ରେ ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ, ମାସାଚ୍ୟୁସେଟ୍‌ସ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜିର ପ୍ରଦୀପ ଗର୍ଗ ଓ କୋଏମ୍ବାଟୁର ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜିର ଗୋବିନ୍ଦ ବାଲାଜୀ ଯୋଗ ଦେବା ପରେ ସେମାନେ ଏହାକୁ ଚୂଡାନ୍ତ ରୂପ ଦେଇପାରିଛନ୍ତି। ସେମାନେ ଦୁଇପ୍ରକାର ମେଶିନ ନିର୍ମାଣ କରିଛନ୍ତି। ଏହାକୁ ଘରେ ଓ ବିଭିନ୍ନ ଅନୁଷ୍ଠାନରେ ଲଗାଯାଇପାରିବ। ଉରାଭୁ ଇଣ୍ଟର୍‌ନ୍ୟାଶନାଲ ଅର୍ଗାନାଇଜେଶନ ଫର୍‌ ଷ୍ଟାଣ୍ଡାର୍ଡାଇଜେଶନ (ଆଇଏସ୍‌ଓ) ଏବଂ ଓ୍ବାଲର୍‌ଡ ହେଲ୍‌ଥ ଅର୍ଗାନାଇଜେଶନ(ଡବ୍ଲ୍ୟୁଏଚ୍‌ଓ)ର ମାନକ ଅନୁଯାୟୀ ପିଟ କରାଯାଇଛି। ପବନରୁ ସଂଗୃହୀତ ଜଳ ମଧ୍ୟ ନ୍ୟାଶ୍‌ନାଲ ଆକ୍ରିଡେଶନ ବୋର୍ଡ ଫର୍‌ ଟେଷ୍ଟିଂ ଆଣ୍ଡ୍‌ କ୍ୟାଲିବରେଶନ ଲାବୋରେଟୋରିଜ (ଏନ୍‌ଏବିଏଲ୍‌)ର ସ୍ବୀକୃତି ପାଇଛି।