ଏଇ ଭାରତରେ

ବହୁ ସମୟରେ ତୃଣମୂଳସ୍ତରରେ କୃଷକମାନେ ଦେଶୀ ଜ୍ଞାନକୌଶଳରେ ନୂତନ ଯନ୍ତ୍ର ଉଦ୍ଭାବନ କରିଥାଆନ୍ତି, କିନ୍ତୁ ନୂଆ କିସମର ବାଇଗଣ ବିକାଶ କରି ଉଦାହରଣ ସୃଷ୍ଟି କରିଛନ୍ତି ଛତିଶଗଡ଼ର ଲିଲାରାମ ସାହୁ। ଧମାରି ଜିଲା କୁରୁଦ ତହସିଲର ଧୁମା ଗାଁରେ ରହନ୍ତି ଲିଲାରାମ। ସେ ବିକାଶ କରିଥିବା ନୂଆ କିସମ ବାଇଗଣର ନାମ ‘ନିରଞ୍ଜନ ଭଟ’। ଏହା ସମ୍ପୂର୍ଣ୍ଣ କୀଟ ପ୍ରତିରୋଧକ ଓ ଏଥିତ୍ରେ ୧.୫ ରୁ ୧.୭ ଫୁଟ ଲମ୍ବ ବାଇଗଣ ଫଳୁଛି। ଗରିବର ପରିବା କୁହାଯାଉଥିବା ବାଇଗଣ ଚାଷ ୧୯୮୮ରୁ ଆରମ୍ଭ କରିଥିଲେ ଲିଲାରାମ। ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ସେ ଏହି ଚାଷ କରିଆସୁଛନ୍ତି। ବିଭିନ୍ନ କିସମର ବାଇଗଣ ଚାଷ କରିବା ସହ ଏହା ଉପରେ ଗବେଷଣା କରି ଏହି ନୂଆ କିସମ ସାମ୍ନାକୁ ଆଣିଛନ୍ତି। ଏବେ ‘ନିରଞ୍ଜନ ଭଟ’ କିସମ ବାଇଗଣ ଚାଷ ଭାରତର ବିଭିନ୍ନ ଅଞ୍ଚଳରେ ଆରମ୍ଭ ହୋଇଛି। ଭାରତରେ ଯେତେ ପ୍ରକାର ବାଇଗଣ ଫଳେ ତାହାର ଲମ୍ବ୧୦ରୁ ୨୫ ସେ.ମି. ମଧ୍ୟରେ ରହିଥାଏ। କିନ୍ତୁ ନିରଞ୍ଜନ ଭଟ ନୂଆ କିସମ ବାଇଗଣ ସବୁ ରେକର୍ଡ ଟପିଯାଇଛି। ଲିଲାରାମ ମଧ୍ୟ ୬୦ ଇଞ୍ଚ ଲମ୍ବ ବାଇଗଣ ଫଳାଇବାରେ ସକ୍ଷମ ହୋଇଛନ୍ତି। କିନ୍ତୁ ଲୋକମାନେ ଏହାକୁ ଗ୍ରହଣ କରିବେ ନାହିଁ ବୋଲି ମନେକରି ସେ ଏହି ଚାଷ ବନ୍ଦ କରିଦେଇଛନ୍ତି। ଧୁମା ଗାଁରେ ୧୫୦ ପରିବାର ରହୁଛନ୍ତି। ସବୁ ପରିବାରକୁ ବାଇଗଣ ଚାଷ ପ୍ରତି ଆକୃଷ୍ଟ କରିପାରିଛନ୍ତି ଲିଲାରାମ।
ପାଣି ଅଭାବ ଦୂର କରିବା ଲାଗି ସେ ଗ୍ରାମବାସୀଙ୍କ ସହଯୋଗରେ ଅନେକ ଚେକ୍‌ ଡ୍ୟାମ୍‌ ନିର୍ମାଣ କରିଛନ୍ତି। ବର୍ଷକୁ ସମସ୍ତେ ଦୁଇ ଥର ବାଇଗଣ ଚାଷ କରି ବେଶ୍‌ ଲାଭ ପାଉଛନ୍ତି। ଏହି ମଞ୍ଜି ସେ ବିଭିନ୍ନ ରାଜ୍ୟର କୃଷକମାନଙ୍କୁ ଦେଉଛନ୍ତି।